ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ନୂତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ) ଜେନେରାଲ ଅନିଲ ଚୌହାନ ଶୁକ୍ରବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏବେ ତିନି ସେନାର ମୁଖ୍ୟ ହୋଇଛନ୍ତି ଅନିଲ ଚୌହାନ। ପ୍ରତିରକ୍ଷା ବିଭାଗର ସର୍ବୋଚ୍ଚ ରାଙ୍କର ଦାୟିତ୍ଵ ଭାର ମିଳିଥିବାରୁ ଗର୍ବ ଅନୁଭବ କରୁଥିବା ଏହି ଅବସରରେ କହିଥିଲେ ନୂଆ ସିଡିଏସ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସମ୍ପୂର୍ଣ୍ଣ ନିଷ୍ଠାର ସହ ନିଜର ଦାୟିତ୍ଵ ସମ୍ପନ୍ନ କରିବେ ବୋଲି ସେ କହିଛନ୍ତି।

ଦାୟିତ୍ଵ ନେବା ପୂର୍ବରୁ ସିଡିଏସ ଜେନେରାଲ ଅନିଲ ଚୌହାନ ଦିଲ୍ଲୀ ସ୍ଥିତ ନ୍ୟାସନାଲ ଓ୍ଵାର ମେମୋରିଆଲଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସିଡିଏସ୍ ଭାବେ ସେ ବର୍ତ୍ତମାନ ପ୍ରତିରକ୍ଷା ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ସହ ଚିଫ୍ ଅଫ୍ ଷ୍ଟାଫ କମିଟି(ସିଓଏସସି)ର ମଧ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଗତ ୨୭ ତାରିଖ ଦିନ କେନ୍ଦ୍ର ସରକାର ଅନିଲ ଚୌହାନଙ୍କୁ ସିଡିଏସ ଭାବେ ନିଯୁକ୍ତି କରିଥିବା ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।

ଗତ ଡିସେମ୍ବର ମାସରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ଵତ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିଲା।

ଗତ ଜୁନ ମାସରେ ସିଡିଏସ୍ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ତିନି ସେନାର ପ୍ରଚଳିତ ଆଇନରେ ସଂଶୋଧନ କରିବା ପରେ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନଙ୍କ ନାଁ ଚୂଡ଼ାନ୍ତ କରାଯାଇଥିଲା। ପୂର୍ବତନ ସିଡିଏସ ବିପିନ ରାଓ୍ଵତଙ୍କ ପରି ଅନିଲ ଚୌହାନ ମଧ୍ୟ ୧୯୮୧ ମସିହାରେ ଗୋର୍ଖା ରେଜିମେଣ୍ଟରେ ନିଜର କ୍ୟାରିୟର ଆରମ୍ଭ କରି ଭାରତୀୟ ସେନାର ବହୁ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି।

୧୯୬୧ ମସିହା ମେ’ ୧୮ ତାରିଖରେ ଜନ୍ମଗ୍ରହଣ କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଖଡ଼କଓ୍ଵାସଲା ଏବଂ ଡେରାଡୁନ ଇଣ୍ଡିଆନ ମିଲିଟାରି ଏକାଡେମିର ଛାତ୍ର ଥିଲେ। ସେ ଲେପ୍ଟନାଣ୍ଟ ଜେନେରାଲ ଭାବେ ଉତ୍ତର-ପୂର୍ବରେ ଏକ କୋରର ମୁଖ୍ୟ ଭାବେ ଦାୟିତ୍ଵ ନେଇଥିଲେ। ଏହା ପରେ ୨୦୧୯ ମସିହା ସେପ୍ଟେମ୍ବର ମାସରେ ଜେନେରାଲ ଅଫିସର କମାଣ୍ଡିଙ୍ଗ ଇନ୍ ଚିଫ୍ ଭାବେ ନିଯୁକ୍ତି ହୋଇ ୨୦୨୧ ମସିହା ମେ’ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ।

Tags: #CDS #NewCDSofIndia #GeneralAnilChouhan #DefenceMinistry

Comment