ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୋଲିସର ୬୨ ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ। ଏହି ସମ୍ମିଳନୀ ୪ ଦିନ ବ୍ୟାପୀ ଅନୁଷ୍ଠିତ ହୋଇ ୩୦ ତାରିଖରେ ଶେଷ ହେବ। ତେବେ ଏଥର କରୋନା ଯୋଗୁ ଏହି ସମ୍ମିଳନୀ ସମ୍ପୂର୍ଣ୍ଣ ଭାବେ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେବ।

ଏହି  ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଭାରତର ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ୍ ବିପିନି ରାଓ୍ୱତ। ଏହି କାର୍ଯ୍ୟକ୍ରମରେ ସେ ବକ୍ତବ୍ୟ ରଖିବା ସହ ପୋଲିସ ଅଧିକାରମାନଙ୍କୁ ନିଜର ଅଭିଜ୍ଞତା ବିଷୟରେ କହିବେ।

ଏଥିସହିତ କାର୍ଯ୍ୟକ୍ରମରେ ଇଣ୍ଟରପୋଲ୍‌ର ନିର୍ଦ୍ଦେଶକ ଏମ୍‌ଏମ୍ ଓବୋରଏ ଯୋଗ ଦେଇ ‘ଷ୍ଟ୍ରାଟେଜି ଟୁ କମ୍ବାଟ୍ ସାଇବର କ୍ରାଇମ୍‌’ ଉପରେ ବକ୍ତବ୍ୟ ପ୍ରଦାନ କରିବେ। ସେହିପରି ପ୍ରତିଷ୍ଠିତ ଲେଖକ ଓ ସାମାଜିକ କର୍ମୀ କମଳା ଭାସିନ ‘ଜେଣ୍ଡର ସେନ୍‌ସିଟିଭ୍ ପୋଲିସିଂ’ ଉପରେ ଆଲୋକପାତ କରିବେ। କାନପୁର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଅଭୟ କାରାଣ୍ଡିକର ‘ରୋଲ୍ ଅ୍‌ଫ୍ ଟେକ୍‌ନୋଲୋଜି ଇନ୍ ଏଡ୍ ଅଫ୍ ପୋଲିସିଂ’ ଉପରେ ନିଜର ମତ ଉପସ୍ଥାପନା କରିବେ। ରାଜ୍ୟ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ମଧ୍ୟରେ ଏଥିରେ ବିଭିନ୍ନ ନ୍ୟାୟିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

୨୭ ତାରିଖ ଅପରାହ୍‌ଣ ୩ଟାରେ ରାଜ୍ୟ ପୋଲିସ ଡିଜି ଅଭୟ କାର୍ଯ୍ୟକ୍ରମକୁ ଉଦ‌ଘାଟନ କରିବେ। ସମ୍ମିଳନୀରେ ସମସ୍ତ ଜିଲ୍ଲାର ଏସ୍‌ପି, ସଶସ୍ତ୍ର ବାଟାଲିଅନ କମାଣ୍ଡାଣ୍ଟ୍ ରେଞ୍ଜ୍‌ ଆଇଜି ଓ ଡିଆଇଜି, ପ୍ରଶିକ୍ଷଣ ନେଇଥିବା ଆଇପିଏସ୍‌ ଅଧିକାରୀ,  ହୋମ୍‌ଗାର୍ଡ, ଭିଜିଲାନ୍ସ, ଜେଲ୍ ବିଭାଗ ଓ ରାଜ୍ୟ ପୋଲିସ ଗୃହ ନର୍ମାଣ ନିଗମର ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିବେ। ଏହି ସମ୍ମିଳନୀରେ ଆଇନ ଶୃଙ୍ଖଳା ପରିସ୍ଥିତି, ରାଜ୍ୟରେ ଅପରାଧ ସ୍ଥିତି, ବାମପନ୍ଥୀ ସନ୍ତ୍ରାସବାଦ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ଗୁଣାତ୍ମକ ତଦନ୍ତ, ସଡ଼କ ନିରାପତ୍ତା, ବିନା କାଗଜରେ ଅଫିସ କାର୍ଯ୍ୟ ଭଳି ବିଷୟରେ ଆଲୋଚନା କରାଯିବ।

ସେହିପରି ରାଜ୍ୟ ଭିଜିଲାନ୍ସ, କାରାଗାର, ଗୃହରକ୍ଷୀ ଓ ଅଗ୍ନିଶମ ଏବଂ ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବ୍ୟାପକ ଭାବେ ଆଲୋଚନା କରାଯିବ। ୩୦ ତାରିଖ ଅର୍ଥାତ୍ ସମ୍ମିଳନୀର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗେ ଦେଇ  କାର୍ଯ୍ୟକ୍ରମକୁ ଉଦଯାପନ କରିବେ।

ସମ୍ମିଳନୀକୁ  ବ୍ୟବସ୍ଥିତ କରିବା ପାଇଁ ଏଡିଜି ଆଇନଶୃଙ୍ଖଳା ୱାଇ.ବି ଜେଠ୍‌ୱାଙ୍କୁ କନ୍‌ଫରେନ୍ସ ସେକ୍ରେଟାରୀ, ଆଇଜି ଆଧୁନିକରଣ ସଂଜୟ ସିଂହ. ଆଡିସନାଲ୍ କନ୍‌ଫରେନ୍ସ ସେକ୍ରେଟାରୀ, କ୍ରାଇମବ୍ରାଞ୍ଚ ଏସ୍‌ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ ଓ ପୋଲିସ ମୁଖ୍ୟାଳୟ ଅତିରିକ୍ତ ଆଇଜି ବିବେକାନନ୍ଦ ଶର୍ମାଙ୍କୁ ଯୁଗ୍ମ କନ୍‌ଫରେନ୍ସ ସେକ୍ରେଟାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comment