ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆରମ୍ଭ ହୋଇଛି ଏସିଆର ସର୍ବବୃହତ ଏୟାର ସୋ’ ‘ଏରୋ ଇଣ୍ଡିଆ ୨୦୨୩’। ସୋମବାର ବେଙ୍ଗାଳୁରୁର ୟେଲେହଙ୍କା ବାୟୁସେନା ଏୟାର ବେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ସାମରିକ ଓ ବେସାମରିକ ବିମାନ ତଥା ପ୍ରତିରକ୍ଷା ଉପକରଣ ଆଦିର ପ୍ରଦର୍ଶନ କରାଯାଉଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହାର ଆୟୋଜନ ହେଉଛି।

ଏଥିରେ ବିଶ୍ଵର ୧୦୦ଟି ଦେଶର ପ୍ରାୟ ୭୫୦ରୁ ଅଧିକ କମ୍ପାନି ଏହି ଏୟାର ସୋ’ରେ ଭାଗ ନେଉଛନ୍ତି। ଏରୋ ସ୍ପେସ୍ କ୍ଷେତ୍ରରେ କାମ କରୁଥିବା ଭାରତୀୟ ଏମଏସଏମଇ ଓ ଷ୍ଟାର୍ଟଅପମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ତଥା ବେସାମରିକ କ୍ଷେତ୍ରର ବିଭିନ୍ନ କମ୍ପାନି ଏଠାରେ କାରବାର ତଥା ଅନେକ ବୁଝାମଣା ପତ୍ର ସ୍ଵାକ୍ଷର କରିବାକୁ ଯୋଜନା ରଖିଛନ୍ତି।

“ଏକବିଂଶ ଶତାବ୍ଦୀର ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ବହନ କରିବାକୁ ଲକ୍ଷ୍ୟ ରଖିଛି। ଏଥିଲାଗି ଆମେ କୌଣସି ସୁଯୋଗକୁ ହାତଛଡ଼ା କରିବୁ ନାହିଁ। କିଛି ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ସାମଗ୍ରୀର ନିର୍ମାଣ ବୃଦ୍ଧି ପାଇଛି। ଆଜି ଭାରତ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟ ଦେଶ ପାଇଁ ମଧ୍ୟ ପ୍ରତିରକ୍ଷା ସାମଗ୍ରୀର ନିର୍ମାଣ କରୁଛି। ୨୦୨୫ ସୁଦ୍ଧା ଭାରତର ପ୍ରତିରକ୍ଷା ରପ୍ତାନି ପାଞ୍ଚ ବିଲିୟନ ଡଲାରରୁ ଅଧିକ ହେବେ। ଏରୋ ଇଣ୍ଡିଆ ଭଳି ପ୍ରତିରକ୍ଷା ପ୍ରଦର୍ଶନୀ ଏଥିରେ ବହୁତ ସହାୟକ ହେବ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ରାଷ୍ଟ୍ରୀୟ ବିମାନ କମ୍ପାନି ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ(ହାଲ) ପକ୍ଷରୁ ବିଦେଶକୁ ରପ୍ତାନି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ଵଦେଶୀ ଯୁଦ୍ଧ ବିମାନ ତେଜସ୍‌, ଏଚଟିଟି-୪୦, ଓ ବିଭିନ୍ନ ପ୍ରକାରର ହେଲିକପ୍ଟର ପ୍ରଦର୍ଶନ କରାଯାଉଛି।

ଏରୋ ଇଣ୍ଡିଆ ଉଦଘାଟନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ଆକାଶରେ ଯୁଦ୍ଧ ବିମାନ ଓ ହେଲିକେପ୍ଟର ମାଧ୍ୟମରେ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରାଯାଇଛି। ଏଠାରେ ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍ ଜେନେରାଲ ଅନିଲ ଚୌହାନ,ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ ବି ଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆର ହରି କୁମାର ପ୍ରମୁଖ ଯୋଗ ଦେଇଥିଲେ।

୨୦୨୩ର ଏରୋ ଇଣ୍ଡିଆର ୧୪ତମ ସଂସ୍କରଣ ଆୟୋଜିତ ହେଉଛି। ଫେବ୍ରୁଆରି ୧୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Tags: #AeroIndia2023 #DefenceMinistry #IndianAirForce #Bengaluru #India

Comment