ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ କମାଲ୍ କରିଛି ମୋଦୀ ମ୍ୟାଜିକ୍। ଏନଡିଏକୁ ମିଳିଛି ବହୁମତ।

ବିହାର ନିର୍ବାଚନରେ କମାଲ୍ କରିଛି ମୋଦୀ ମ୍ୟାଜିକ୍। ଏନଡିଏ ମେଣ୍ଟରେ ଜେଡିୟୁକୁ ସାନ ଭାଇ ସଜେଇ ଏଥର ବଡ଼ ଭାଇ ସାଜିଛି ବିଜେପି। ୨୦୧୯ ସାଧାରଣ ନିର୍ବାଚନର ଦେଢ଼ ବର୍ଷ ପରେ ପୂର୍ବ ଭାରତର ଏହି ରାଜ୍ୟରେ ବିଜେପି ଏତେ ସଂଖ୍ୟକ ସିଟ୍ ଜିତିବା ଏବେ ଦଳୀୟ ଶିବିରରେ ଖୁସି ଖେଳାଇଦେଇଛି। ଯାହାଦ୍ୱାରା ବିହାର ବିଜୟର ଏହି ଖୁସି ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବେଶ ଧୁମଧାମର ସହ ପାଳନ ହୋଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗଦେଇ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।ବଡ଼ ଭାଇ ହେଲା ବିଜେପି

ବିହାରର କ୍ଷମତା ରାଜନୀତିରେ ‘ବଡ଼ ଭାଇ–ଛୋଟ ଭାଇ’ର ଫର୍ମୁଲା ଖୁବ ଦେଖିବାକୁ ମିଳିଥାଏ। ମେଣ୍ଟ ସରକାରରେ ଯେଉଁ ଦଳ ପାଖରେ ଅଧିକ ଆସନ ଥାଏ ତାକୁ ବଡ଼ ଭାଇ ଏବଂ କମ ସିଟ୍ ଥିବା ଦଳକୁ ଛୋଟ ଭାଇ କୁହାଯାଏ। ୨୦୨୦ ବିହାର ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟରେ ନୀତିଶ କୁମାରଙ୍କ ଜେଡିୟୁ ଦଳ ବଡ଼ ଭାଇ ବୋଲାଉଥିବାବେଳେ ବିଜେପି ଏଠାରେ ଛୋଟ ଭାଇ ଥିଲା। ହେଲେ ଏଥର ରାଜନୀତିର ହାୱା ବଦଳିବା ସହିତ ବିଜେପି ଏନଡିଏ ମେଣ୍ଟରେ ବଡ଼ ଭାଇ ହୋଇଛି।

ଚଳିତ ବିହାର ନିର୍ବାଚନରେ ଏନଡିଏର ୧୨୫ ଆସନରୁ ବିଜେପି ଖାତାକୁ ଆସିଛି ୭୪ଟି ଆସନ। ସେହିପରି ନୀତିଶଙ୍କ ଜେଡିୟୁ ଦଳକୁ ମିଳିଛି ମାତ୍ର ୪୩ଟି ଆସନ ମିଳିଛି। ଏହାସତ୍ତ୍ୱେ ମଧ୍ୟ ମେଣ୍ଟ ଧର୍ମ ପାଳନ କରି ବିଜେପି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ସୁଯୋଗ ଦେବ ବୋଲି ଜଣାପଡ଼ିଛି।

ବିହାର ବିଜୟ ପଛରେ ମୋଦୀ

ବିହାରରେ ବିଜେପିର ଏହି ସଫଳତା ପଛରେ ମୋଦୀ ଲହର ବେଶ କାମ କରିଥିବା କୁହାଯାଉଛି। ବିହାର ନିର୍ବାଚନ ପୂର୍ବରୁ ଏଠାରେ ନୀତିଶଙ୍କ ପକ୍ଷରେ ହାୱା ବୋହୁଥିଲା। ହେଲେ ଏନଡିଏ ମେଣ୍ଟରୁ ଏଲଜେପି ଓହରିଯିବା ଏବଂ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଲଗାତାର ନୀତିଶଙ୍କୁ ଟାର୍ଗେଟ କରିବା ପରେ ଏନଡିଏ ମେଣ୍ଟ ବ୍ୟାକଫୁଟକୁ ଚାଲି ଆସିଥିଲା। ଏପରି ସମୟରେ ମୋଦୀ ବିହାର ନିର୍ବାଚନ ପାଇଁ ୧୨ଟି ରାଲି କରିଥିଲେ।

ମୋଦୀ ନିଜର ରାଲିରେ ତେଜସ୍ୱୀଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ‘ଜଙ୍ଗଲରାଜର ଯୁବରାଜ’ ବୋଲି କହିଥିଲେ। ଏଥିସହ ନୀତିଶଙ୍କ ସହ ବିହାରରେ ଡବଲ ଇଞ୍ଜିନର ସରକାର ହେଲେ ବିହାରର ବିକାଶ ହୋଇପାରିବ ବୋଲି ମୋଦୀ ଜନସଭାମାନଙ୍କରେ ଉଦବୋଧନ ଦେଇଥିଲେ। ଯାହାର ଫଳ ସ୍ୱରୂପ ବହୁ ଭୋଟର ବିଜେପିକୁ ଭୋଟ ଦେଇ ଏନଡିଏକୁ ସରକାର ଗଢ଼ିବାକୁ ସୁଯୋଗ ଦେଇଛନ୍ତି ବୋଲି କୁହାଯାଉଛି।

୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରେ ମୋଦୀ ଲହର ବୋହୁଥିଲା। ହେଲେ ୨୦୧୫ରେ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ କିନ୍ତୁ ବିଜେପି ସେଭଳି କୌଣସି ସଫଳତା ପାଇନଥିଲା। ସେତେବେଳେ ଜେଡିୟୁ, ଆରଜେଡି ଓ କଂଗ୍ରେସ ମିଶି ବିହାରରେ ମହାମେଣ୍ଟ ଗଠନ କରିବା ସହିତ ଏକାଠି ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ବିହାର ଭୋଟର ମଧ୍ୟ ମହାମେଣ୍ଟ ସପକ୍ଷରେ ଭୋଟ୍ ଦେଇଥିଲେ। ଯାହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଜେଡିୟୁ ନେତା ନୀତିଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆରେଜେଡି ନେତା ତେଜସ୍ୱୀ ଯାଦବ।

୨୦୧୭ ମସିହାରେ ମହାମେଣ୍ଟ ସହ ବିବାଦ ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆରଜେଡି ମଧ୍ୟ ମହାମେଣ୍ଟରୁ ଅଲଗା ହୋଇଯାଇଥିଲା। ଏହାର ଗୋଟିଏ ଦିନ ପରେ ନୀତିଶ ବିଜେପି ସହ ମିଶି ବିହାରରେ ସରକାର ଗଠନ କରିଥିଲେ। ସେବେଠାରୁ ବିହାରରେ ଏନଡିଏରେ ସରକାର ରାଜ କରୁଛି। ଯାହାର ମୁଖ୍ୟମନ୍ତ୍ରୀ ଅଛନ୍ତି ନୀତିଶ କୁମାର।

ଚଳିତ ଥର କିନ୍ତୁ ନୀତିଶ ମୁଖ୍ୟମନ୍ତ୍ରୀ ରହିଲେ ବି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ହାତରେ ରହିବ ବୋଲି କୁହାଯାଉଛି। ବିଜେପି ସପକ୍ଷରେ ନିର୍ବାଚନରେ ଅଧିକ ସିଟ୍ ଆସିଥିବାରୁ ସରକାରରେ ମଧ୍ୟ ଦଳ ଅଧିକ ଗୁରୁତ୍ୱ ପାଇବ।ବିହାର ପରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ପାଳି

ବିହାରର ଏହି ବିଜୟ ଏନଡିଏ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଯାହାର ପ୍ରଭାବ ଆଗାମୀ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମଧ୍ୟ ପଡ଼ିପାରେ।

ପଶ୍ଚିମବଙ୍ଗରେ ଏବେ ମମତା ସରକାର ଶାସନରେ ଅଛି। ଯାହାକୁ ହଟାଇବାକୁ ବିଜେପି କଡ଼ା କସରତ କରୁଛି। ପୂର୍ବ ଭାରତର ଏହି ରାଜ୍ୟକୁ ହାତେଇବା ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ଆସନ୍ତାବର୍ଷ ଏଠାରେ ନିର୍ବାଚନ ହେବାକୁ ଥିବାବେଳେ ବିହାରର ଏହି ବିଜୟ ପଶ୍ଚିମବଙ୍ଗ ଭୋଟରଙ୍କୁ ବେଶ ପ୍ରଭାବିତ କରିବ ବୋଲି କୁହାଯାଉଛି।

ସେହିପରି ଉତ୍ତରପ୍ରଦେଶରେ ଏବେ ବିଜେପିର ଯୋଗୀ ସରକାର ଶାସନରେ ଅଛି। ହେଲେ କଂଗ୍ରେସ କିନ୍ତୁ ଏହି ରାଜ୍ୟ ଅକ୍ତିଆର କରିବାକୁ ଜୋରସୋରରେ ଲାଗିପଡ଼ିଛି। ତା’ସହିତ ଏସପି ଓ ବିଏସପି ମଧ୍ୟ ନିଜ ପୁରୁଣା ଶାସନ ଗାଦି ଫେରିପାଇବାକୁ ଆଶା ବାନ୍ଧୁଛନ୍ତି। ଏପରି ସ୍ଥିତିରେ ବିଜେପିକୁ ଉତ୍ତରପ୍ରଦେଶରେ ଭୋଟ୍ ଯୋଗାଡିବାକୁ ବିହାର ନିର୍ବାଚନ ସହାୟ ହେବ।

Comment