ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ବଜାରରେ ଥିବା ବାସନ୍ତୀ ଭଣ୍ଡାର ନାମକ ଏକ ଦୋକାନରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଜବତ ବାଣର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଦୋକାନ ମାଲିକ ସଞ୍ଜୟ ପ୍ରଧାନ ଓ ସେଲ୍‌ସ ମ୍ୟାନ୍ ସୁଭାଶିଷ ମହାନ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।

କରୋନା ପାଇଁ ଚଳିତବର୍ଷ ଦୀପାବଳିରେ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର। କିନ୍ତୁ କିଛି ଅମାନିଆ ବେଆଇନ ଭାବେ ଚୋରାରେ ବାଣ ବିକ୍ରି କରୁଛନ୍ତି। ତେବେ ଏହା ଉପରେ ପୁରୀ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।

ଅନ୍ୟପଟେ ପେଣ୍ଠକଟାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ ବାଣ ବିକ୍ରି କରିବା ଅଭିଯୋଗରେ ଗିରଫ କରିଛି ପୁରୀ ସି ବିଚ୍ ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ବଦ୍ରି ସୁବୁଦ୍ଧି। ସେ ପେଣ୍ଠକଟାରେ ଏକ ଗ୍ରୋସରି ଦୋକାନ କରିଥିବା ବେଳେ ବେଆଇନ ଭାବେ ସେଠାରେ ବାଣ ବିକ୍ରି କରୁଥିବା ପୋଲିସ ସୂଚନା ଦେଇଛି।

Comment