ଓଡ଼ିଶାଲାଇଭ୍ ବ୍ୟୁରୋ

ହର୍ଷଦ ମେହତାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଛି ‘ସ୍କାମ ୧୯୯୨’ ୱେବସିରିଜ୍।

ଓଟିଟି ଫର୍ମାଟରେ ରିଲିଜ୍ ହୋଇଥିବା ନୂଆ ୱେବସିରିଜ୍ ‘ସ୍କାମ ୧୯୯୨: ଦ ହର୍ଷଦ ମେହତା ଷ୍ଟୋରି’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜବରଦସ୍ତ ଡାଏଲଗ ସାଙ୍ଗକୁ ଟଙ୍କା ହେରଫେରର ଏହି କାହାଣୀ ଦର୍ଶକଙ୍କ ମନକୁ ଛୁଇଁଛି।

ଷ୍ଟକ୍ ମାର୍କେଟର ଅମିତାଭ ବଚ୍ଚନ ଏବଂ ବିଗ୍ ବୁଲ୍  କୁହାଯାଉଥିବା ହର୍ଷଦ ମେହତାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ସିରିଜରେ ଏକ ବଡ଼ ସ୍କାମର ଖୁଲାସା କରାଯାଇଛି। ତେବେ ଏହି ହର୍ଷଦ ମେହତା କିଏ ଏବଂ ସେ କେଉଁ ସ୍କାମ କରିଥିଲେ ଆପଣ ଜାଣିଛନ୍ତି କି?ହର୍ଷଦ ମେହତା କିଏ?

୧୯୫୪ ମସିହାରେ ଗୁଜରାଟର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିଲେ ହର୍ଷଦ ମେହତା। ତାଙ୍କର ଅଧିକାଂଶ ସମୟ ସେତେବେଳେ ଛତିଶଗଡ଼ର ରାୟପୁରରେ କଟିଥିଲା। ରାୟପୁରରେ ସ୍କୁଲ୍ ଶିକ୍ଷା କରିବା ପରେ ସେ ମୁମ୍ବାଇ ଚାଲିଆସିଥିଲେ। ଯେଉଁଠି ସେ ଲାଜପତ ରାୟ କଲେଜରେ ବି.କମ୍ ପଢିବା ପରେ ବିଭିନ୍ନ ସ୍ଥାନରେ ଚାକିରି କରିଥିଲେ। ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଥିବା ହର୍ଷଦ କିନ୍ତୁ କୌଣସି ଚାକିରିରେ ବହୁ ଦିନ ତିଷ୍ଠି ପାରିନଥିଲେ।

୧୯୮୧ ମସିହାରେ ବମ୍ବେ ଷ୍ଟକ୍ ମାର୍କେଟ ଦୁନିଆରେ ପ୍ରବେଶ କରିଥିଲେ ହର୍ଷଦ ମେହତା। ତିନି ବର୍ଷ ଧରି ସେଠାରେ ଷ୍ଟକ ମାର୍କେଟରେ ଲଗାତାର ବ୍ୟବସାୟ କରିଥିଲେ। ଏହାପରେ ୧୯୮୪ ମସିହାରେ ସେ ନିଜେ ‘ଗ୍ରୋ ମୋର୍’ ନାମକ ଏକ କମ୍ପାନି ଆରମ୍ଭ କରିଥିଲେ। ଯାହା ବମ୍ବେ ଷ୍ଟକ୍ ମାର୍କେଟରେ ଷ୍ଟକ୍ ଅଦଳବଦଳ କରୁଥିଲା। ଏହାର କିଛି ବର୍ଷ ଭିତରେ ଷ୍ଟକ୍ ମାର୍କେଟର ବାଦଶାହ୍ ହୋଇଯାଇଥିଲେ ହର୍ଷଦ ମେହତା।

୧୯୯୦ ମସିହା ବେଳକୁ ହର୍ଷଦଙ୍କୁ ଷ୍ଟକ୍ ମାର୍କେଟର ଅମିତାଭ ବଚ୍ଚନ ଏବଂ ବିଗ୍ ବୁଲ୍ କୁହାଯାଉଥିଲା। ଏପରିକି ତାଙ୍କ ସହ ବ୍ୟବସାୟ କରୁଥିବା ପ୍ରତିଟି ଲୋକକୁ ସେ ଲାଭରେ ରଖୁଥିଲେ ବୋଲି ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା।

ହର୍ଷଦଙ୍କ ଗୋଳମାଳ ବିଜନେସ୍

ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଫାଇଦା ନେଇଥିଲେ ହର୍ଷଦ ମେହତା। ଯାହାର ଖୁଲାସ କରିଥିଲେ ସାମ୍ବାଦିକା ସୁଚେତା ଦଲାଲ। ସୁଚେତାଙ୍କ କହିବା ଅନୁଯାୟୀ, ହର୍ଷଦ ଦୁଇଟି ବ୍ୟାଙ୍କ ଭିତରେ ହେଉଥିବା ଲୋନ୍ ଦେଣନେଣ ଭିତରେ ମଧ୍ୟସ୍ଥି ସାଜିଥିଲେ। ସେତେବେଳେ ଏହି ବ୍ୟାଙ୍କ ଦେଣନେଣ ପାଇଁ ୧୫ ଦିନର ସମୟ ଅବଧି ରହୁଥିଲା।

ହର୍ଷଦ ମେହତା ଚାଲାକର ସହ ଗୋଟିଏ ବ୍ୟାଙ୍କଠାରୁ ଲୋନ୍ ଆଣି ଏହାକୁ ଅନ୍ୟ ବ୍ୟାଙ୍କକୁ ଦେଉନଥିଲେ। ଏହି ଟଙ୍କାକୁ ସେ ଷ୍ଟକ୍ ମାର୍କେଟରେ ଲଗାଇବା ସହ କୋଟି କୋଟି ଟଙ୍କା ଲାଭ କରୁଥିଲେ। ଏହାପରେ ୧୫ ଦିନ ଭିତରେ ସେ ଟଙ୍କାକୁ ଅନ୍ୟ ବ୍ୟାଙ୍କକୁ ଦେଇ ଦେଉଥିଲେ। ଧାର୍ଯ୍ୟ ସମୟ ଭିତରେ ଏସବୁ କାମ ହେଉଥିବାରୁ ବ୍ୟାଙ୍କ୍ ଗୁଡ଼ିକ ମଧ୍ୟ ଏପ୍ରତି ଧ୍ୟାନ ଦେଇନଥିଲେ।

ଏହାପରେ କିନ୍ତୁ ଯେତେବେଳେ ଷ୍ଟକ୍ ମାର୍କେଟ ମାନ୍ଦା ହୋଇଥିଲା ହର୍ଷଦ ବ୍ୟାଙ୍କମାନଙ୍କର ବାକି ଟଙ୍କା ୧୫ ଦିନ ଭିତରେ ଶୁଝିପାରିନଥିଲେ। ଗଣମାଧ୍ୟମରେ ମଧ୍ୟ ତାଙ୍କୁ ନେଇ ଅନେକ ଲେଖା ପ୍ରକାଶ ପାଇଥିଲା। ଏହାପରେ ବ୍ୟାଙ୍କମାନେ ମଧ୍ୟ ତାଙ୍କୁ ସେମାନଙ୍କର ବଳକା ଟଙ୍କା ମାଗିବାକୁ ଆରମ୍ଭ କରିଦେଇଥିଲେ। ଯାହା ପରେ ହର୍ଷଦ ମେହତାଙ୍କ ଏହି ଗୋଳମାଳ ବିଜନେସ୍ ବିଷୟରେ ଜଣାପଡ଼ିଥିଲା।ପ୍ରଧାନମନ୍ତ୍ରୀଙ୍କ ଉପରେ ଆରୋପ

ହର୍ଷଦ ମେହତାଙ୍କ ଏହି ଗୋଳମାଳ ବିଜନେସ୍ ବିଷୟରେ ଜଣାପଡ଼ିବା ପରେ ତାଙ୍କୁ ନେଇ ତନାଘନା ଆରମ୍ଭ ହୋଇଯାଇଥିଲା। ଏହାପରେ ହର୍ଷଦ ମେହତା ସେ ସମୟରେ ପ୍ରଧାନମନ୍ତ୍ରୀ ଥିବା ପିଭି ନରସିଂହ ରାଓଙ୍କ ସହ ମଧ୍ୟ ଟଙ୍କା କାରବାର କରିଥିବା ନେଇ ଅଭିଯୋଗ ଆଣିଥିଲେ। ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ବ୍ୟବସାୟରେ ସାହାଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି। ପ୍ରଥମେ ୬୭ ଲକ୍ଷ ଓ ପରେ ଆଉ ୩୩ ଲକ୍ଷ ଟଙ୍କା ସେ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ହେଲେ ଏନେଇ କୌଣସି ବି ସୁରାକ୍ ପୋଲିସକୁ ମିଳିନଥିଲା।  କଂଗ୍ରେସ ମଧ୍ୟ ଏହି ଆରୋପକୁ ସିଧାସିଧା ଖାରଜ କରିଦେଇଥିଲା।

ରହସ୍ୟଜନକ ମୃତ୍ୟୁ

ଟଙ୍କା ହେରଫେରକୁ ନେଇ ହର୍ଷଦ ମେହତାଙ୍କ ଉପରେ ବହୁତ ଅଭିଯୋଗ ହୋଇଥିଲେ। ହେଲେ ସେ ମାତ୍ର ଗୋଟିଏ କେସରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୁପ୍ରିମକୋର୍ଟ ଏଥିପାଇଁ ତାଙ୍କୁ ୫ ବର୍ଷ ଦଣ୍ଡ ଶୁଣାଇବା ସହିତ ୨୫ ହଜାର ଟଙ୍କା ଜରିମାନା କରିଥିଲା। ହେଲେ ହର୍ଷଦ ମେହତା ଥାଣେ ଜେଲରେ ବନ୍ଦୀ ଥିବାବେଳେ ୨୦୦୧ ମସିହା ଡିସେମ୍ବର ୩୧ ତାରିଖରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ସେଠାକାର ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comment