ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ପାଇଁ  ବଡ଼ଖବର। ଦେଶର ସର୍ବପୁରାତନ ଚିକିତ୍ସା ପଦ୍ଧତିକୁ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିବା ସହ ଭାରତରେ ଏକ ବିଶ୍ୱସ୍ତରୀୟ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି। ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଏକ ସ୍ୱତନ୍ତ୍ର ଭିଡଓ ଜାରି କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡରସ ଆଧାନମ ଗେବ୍ରିୟାସ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଗୁଜରାଟର ଜାମନଗରରେ ଏକ ଜାତୀୟ ଆୟୁର୍ବେଦ ଗବେଷଣା ଓ ଶିକ୍ଷା ପ୍ରତିଷ୍ଠାନ ଓ ରାଜସ୍ଥାନ ଜୟପୁରରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଉଦଘାଟନ ଭିଡିଓ କନଫରେନ୍ସିଂ ଜିରଆରେ କରିଛନ୍ତି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡବ୍ଲୁଏଚଓ ମୁଖ୍ୟ ଭିଡିଓ ମାଧ୍ୟମରେ ତାଙ୍କର ବାର୍ତ୍ତା ରଖିଥିଲେ।

“ ମୁଁ ଏହା ଘୋଷଣା କରିବା ସମୟରେ ବେଶ ଖୁସି ଅନୁଭବ କରୁଛି। ଭାରତ ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ଭାରତରେ ଏକ ବିଶ୍ୱସ୍ତରୀୟ ପାରମ୍ପରିକ ଔଷଧ କେନ୍ଦ୍ର ଖୋଲାଯିବାକୁ ସହମତି ହୋଇଛି। ଭାରତୀୟ ଗବେଷଣା, ତାଲିମ, ଏଠାରେ ଥିବା ଆୟୁର୍ବେଦ ଔଷଧ ସମ୍ବନ୍ଧୀୟ ପ୍ରମାଣ ଏହି ସେଣ୍ଟର ପାଇଁ ଲାଭଦାୟକ ହେବ”, କହିଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ।

ଡବ୍ଲ୍ୟୁଏଚଓର ଏ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ନିଷ୍ପତ୍ତି ଭାରତୀୟଙ୍କୁ ଗର୍ବିତ କରିଛି। ଭାରତୀୟଙ୍କୁ ଆୟୁର୍ବେଦର ବିକାଶ ପାଇଁ ଦାୟିତ୍ୱ ଦେଇଥିବାରୁ ମୋଦି ଡବ୍ଲ୍ୟୁଏଚଓ କୁ ଧନ୍ୟବାଦ ଦେଇଛନ୍ତି।

କରୋନା ମହାମାରୀ ଆସିବା ପରେ ଆୟୁର୍ବେଦ ଓ ବିଭିନ୍ନ ପାରମ୍ପରିକ ଔଷଧ ପ୍ରତି ଲୋକଙ୍କର ବିଶ୍ୱାସ ବଢ଼ିଛି। ଆୟୁର୍ବେଦ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ସରକାରଙ୍କ ପକ୍ଷରୁ ଘୋଷଣା ପରେ ଆୟୁର୍ବେଦ ମେଡିସିନ ବିକ୍ରି ଅଧିକ ବୃଦ୍ଧି ପାଇଥିଲା। ଆଗାମୀ ଦିନରେ ଆୟୁର୍ବେଦିକ ମେଡିସିନ, ଏଲୋପାଥି ମେଡିସିନର ଏକ ଯଥାର୍ଥ ଓ ଅବ୍ୟର୍ଥ ବିକଳ୍ପ କିପରି ହେବ ତା ଉପରେ ଆୟୁଷ ମନ୍ତ୍ରାଳୟ ସମେତ ଏବେ ଖୋଲିଥିବା ଏହି ୨ଟି ଅନୁଷ୍ଠାନ କାମ କରିବେ। ସମଗ୍ର ବିଶ୍ୱ ପାଇଁ ଭାରତ ଔଷଧର ପ୍ରାଣ କେନ୍ଦ୍ର ପାଲଟିବ ବୋଲି ଡବ୍ଲ୍ୟୁଏଚଓ ଆଶାବାଦୀ ଅଛି।

Comment