ଓଡ଼ିଶାଲାଇଭ୍ ବ୍ୟୁରୋ

ପଚାଶ ବର୍ଷୀୟ ବିର୍‌ଜୁ କୁଲୁ। ଯେତେବେଳେ ସେ ପାକିସ୍ତାନ ଜେଲରୁ ନିଜ ଘରକୁ ଫେରିଲେ ତାଙ୍କ ଆନନ୍ଦର ସୀମା ନଥିଲା। ଶୁକ୍ରବାର ଦିନ କୁଲୁଙ୍କୁ ଆତ୍ମୀୟ ସ୍ୱଜନ ଯେଉଁଭଳି ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜଣାଇଲେ ତାହା ନିହାତି ଦେଖିବାର କଥା। କୁଲୁ କୋଡ଼ିଏ ବର୍ଷ ହେଲା ପାକିସ୍ତାନର ଏକ ଜେଲରେ ବନ୍ଦୀ ଜୀବନ କାଟୁଥିଲେ। କେମିତି ଏହା ଘଟିଥିଲା? ସେ ଏକ ଦୀର୍ଘ କାହାଣୀ।

କୁଲୁଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର କାଟାଙ୍ଗା ଗାଁରେ। ୨୫ ବର୍ଷ ତଳେ ସେ ଘର ଛାଡ଼ି ଚାଲି ଯାଇଥିଲେ। ସେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା। ପଞ୍ଜାବର ବିଭିନ୍ନ ସ୍ଥାନରେ କାମ କରିବା ପରେ ଦିନେ ଭୁଲବଶତଃ ସେ ପାକିସ୍ତାନ ଇଲାକା ଭିତରକୁ ପଳାଇ ଯାଇଥିଲେ। ସେଇଠୁ ଆରମ୍ଭ ହେଲା ତାଙ୍କ କଷଣ ଓ ଦୁଃଖର କାହାଣୀ।

ପଞ୍ଜାବରେ କାମ କରୁଥିବା ବେଳେ କୁଲୁ କେମିତି ପାକିସ୍ତାନ ସୀମା ଭିତରକୁ ଚାଲି ଯାଇଥିଲେ ସେ ତାହା ଜାଣିପାରିଲେ ନାହିଁ। ତାଙ୍କୁ ପାକିସ୍ତାନ ସୀମାନ୍ତରେ ଥିବା ସୁରକ୍ଷା କର୍ମଚାରୀ ଧରି ନେଇ ଗୁପ୍ତଚର ସନ୍ଦେହରେ ଜେଲରେ ଭର୍ତ୍ତି କରିଦେଇଥିଲେ। ଆଉ କୋଡ଼ିଏ ଜଣଙ୍କ ସହ ତାଙ୍କୁ ଲାହୋର ଜେଲରେ ରଖାଯାଇଥିଲା। ଯଦିଓ ତାଙ୍କୁ ନିୟମିତ ଖାଇବା ଦିଆଯାଉଥିଲା, କିନ୍ତୁ ସେ ଜେଲରୁ ମୁକୁଳିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ।କୁଲୁଙ୍କୁ ମୁକୁଳାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଅଧିକାରୀ ଅମୃତସର ଯାଇଥିଲେ। ତେବେ ଗତ ମାସରେ କୁଲୁଙ୍କୁ ଲାହୋର ଜେଲରୁ ଆପେ ଛାଡ଼ି ଦିଆଯାଇଥିଲା। ପାକିସ୍ତାନରୁ ମୁକୁଳିବା ପରେ କୁଲୁ ଅମୃତସରର ଏକ ହସ୍ପିଟାଲରେ ପୃଥକବାସରେ ଥିଲେ।

ଲାହୋର ଜେଲରୁ ମୁକୁଳି ଆସିବା ପରେ ତାଙ୍କୁ ଘରକୁ ନେବା ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଧିକାରୀଙ୍କ ସହ ସ୍ଥାନୀୟ ଲୋକମାନେ ବି ଉପସ୍ଥିତ ଥିଲେ। ଢୋଲ, ଚାଙ୍ଗୁ, ଗୀତ ନାଚ ଭିତରେ ତାଙ୍କୁ ପାଛୋଟି ନେଇଥିଲେ ତାଙ୍କ ଜ୍ଞାତି କୁଟୁମ୍ବ। ଏହି ଶୋଭାଯାତ୍ରା ଗଲାବେଳେ ରାସ୍ତାର ଦୁଇ କଡ଼ରେ ଲୋକେ କୁଲୁଙ୍କୁ ଚାହୁଁଥିଲେ ସତ୍ରୁଷ୍ଣ ନୟନରେ।

କୁଲୁଙ୍କ ବାପା ମା’ କେହି ନାହାନ୍ତି। ବହୁ ଦିନ ହେଲା ସେମାନଙ୍କର ସ୍ୱର୍ଗବାସ ହୋଇଯାଇଛି। କିନ୍ତୁ  ଦାଦା, ଖୁଡ଼ୀ ଓ ତାଙ୍କ ପିଲା ଅଛନ୍ତି। କୁଲୁ ଫେରି ଆସିବା କଥା ଶୁଣି ସେମାନେ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରିଥିଲେ।

ଘରକୁ ଫେରିବା ପରେ କୁଲୁ କହିଛନ୍ତି, “ମୁଁ ମୋ ଜନ୍ମସ୍ଥାନକୁ ଫେରିଆସିଛି ଆଉ ଶେଷ ପର୍ଯ୍ୟନ୍ତ ଏଠି ହିଁ ରହିବି।”କୁଲୁ ଏବେ ତାଙ୍କ ସାଙ୍ଗ ସାଥି ଓ ଗାଁ ଲୋକଙ୍କୁ ମନେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି।

କୁତ୍ରା ବିଡିଓ ମାନସ ରାୟ କହିଛନ୍ତି ଯେ, କୁଲୁଙ୍କୁ ରାସନ କାର୍ଡ, ଆଧାର କାର୍ଡ ଓ ସରକାରୀ ଯୋଜନା ଅଧୀନରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ। ଆମେ ତାଙ୍କ ପାଇଁ ଖଣ୍ଡିଏ ଘର ବ୍ୟବସ୍ଥା କରିବାକୁ ମଧ୍ୟ ଉଦ୍ୟମ କରିବୁ ବୋଲି ବିଡିଓ କହିଛନ୍ତି।

Comment