ଓଡ଼ିଶାଲାଇଭ୍ ବ୍ୟୁରୋ

ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି ନୀତିଶ କୁମାର। ଏଥିସହ ତାଙ୍କ ସରକାର ଲଗାତର ଚତୁର୍ଥ ଥର ପାଇଁ କାମ ଆରମ୍ଭ କରିଦେଇଛି। ବର୍ତ୍ତମାନ ପାଇଁ ବିହାରରେ ରାଜନୈତିକ ଶାନ୍ତି। ହେଲେ ଶାନ୍ତି ଭିତରେ ଗୋଟିଏ ବଡ଼ ପ୍ଲାନ ଜନ୍ମ ନେଇସାରିଛି। ନାଁକୁ ନୀତିଶ ସରକାର, ହେଲେ ଏ ଭାଗୁଆଳି ସରକାରକୁ ନିୟନ୍ତ୍ରଣ କରିବ ଦିଲ୍ଲୀ। ଦିଲ୍ଲୀରୁ ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ ଏ ସରକାର ଥିବା ଯାଏ କାମ କରିବ। ଆଉ କିଛି ବିକଳ୍ପ ନାହିଁ, ତେଣୁ ବାଧ୍ୟ ହୋଇ ନୀତିଶଙ୍କୁ ଦିଲ୍ଲୀ ନିର୍ଦ୍ଦେଶ ମାନିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।ବିହାରର ଏ ନିର୍ବାଚନରୁ ଅନେକ କଥା ଶିଖିବାର ଆବଶ୍ୟକତା ରହିଛି। ବିଶେଷ କରି କୌଣସି ଦଳ ଅଧିକ ଆତ୍ମବିଶ୍ୱାସୀ ହେଲେ ଭୋଟର ତାକୁ ଜବାବ ଦେବେ। ସବୁବେଳେ ସରକାରର ନେତୃତ୍ୱ ବୟସ୍କ ନେବେ, ତାକୁ ମଧ୍ୟ ଭୋଟର ପସନ୍ଦ କରନ୍ତି ନାହିଁ। ବାମପନ୍ଥୀମାନେ ବି ଅଛୁଆଁ ନୁହନ୍ତି କି ଜାତି ଓ ଧର୍ମ ଆଧାରରେ ସବୁବେଳେ ଭୋଟ ଧୃବୀକରଣ ସମ୍ଭବ ନୁହେଁ। ଯେହେତୁ କଂଗ୍ରେସ ସୁପ୍ତ ଦଳ ଆଉ ବିଜେପି ତତକ୍ଷଣାତ ପ୍ରତିକ୍ରିୟାଶୀଳ ହେଉଥିବା ପାର୍ଟି ତେଣୁ ସ୍ୱାଭାବିକ ଭାବେ ବିଜେପି ତାର ବିହାର-୨୦୨୫ ଟାର୍ଗେଟ ସ୍ଥିର କରିସାରିଛି।ରାଜ୍ୟସଭାରେ ଆଉ ଗଣିତର ଚାପ ନାହିଁ। ଆଞ୍ଚଳିକ ଦଳ ଏବେ ବିଜେପି ଉପରେ ବୋଝ ପ୍ରମାଣିତ ହେଉଛନ୍ତି। ତେଣୁ ବିଜେପି ଏକଲା ଚଲୋ ନୀତିକୁ ରାଜ୍ୟସ୍ତରରୁ ପ୍ରୟୋଗ କରିବ। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବ। ଏଥିରେ ବର୍ତ୍ତମାନ ସୁଦ୍ଧା ବିଜେପି ଏକୁଟିଆ ଲଢ଼ିବ ବୋଲି ପ୍ରାୟ ସ୍ଥିର ହୋଇସାରିଛି। ତେଣୁ ତାର ୪ ବର୍ଷ ପରେ ବିହାରରେ ମଧ୍ୟ ଦଳ ଏକୁଟିଆ ନିର୍ବାଚନ ଲଢ଼ିବ। ସରକାର ଉପରେ ନିୟନ୍ତ୍ରଣ ରଖିବା ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀ ପଦ ନେଇଛି ବିଜେପି। ନୀତିଶଙ୍କ ଅତି ଘନିଷ୍ଠ ସୁଶୀଲ ମୋଦିଙ୍କୁ ଆଉ ରାଜ୍ୟରେ ନ ରଖି କେନ୍ଦ୍ରକୁ ନେଇଯିବ ବିଜେପି। ଏଥିରେ ବିଜେପିର ହିଁ ଲାଭ। କାରଣ ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ, କୌଣସି ନିଷ୍ପତ୍ତିରେ ବି ନୀତିଶଙ୍କୁ କିଛି କହିପାରିବେ ନାହିଁ ବୋଲି ବିଜେପିର ସନ୍ଦେହ ହେଉଛି। ନୀତିଶଙ୍କୁ ଚାପରେ ରଖିବା ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀ ରଣନୀତି ଗ୍ରହଣ କରିଛି ବିଜେପି। ଏହାସହ ବାଚସ୍ପତି ବି ବିଜେପିରୁ ହେବେ।

ଆଗାମୀ ୫ ବର୍ଷ ଭିତରେ ଜଣେ ଯୁବ ପ୍ରାର୍ଥୀ ଯିଏ ବିହାର ରାଜନୀତିକୁ ନିୟନ୍ତ୍ରଣ କରିବାର ଦକ୍ଷତା ରଖୁଥିବେ, ସେମିତି ଜଣେ ପ୍ରାର୍ଥୀଙ୍କୁ ପ୍ରସ୍ତୁତ କରିବ ଦଳ। ନୀତିଶଙ୍କର ଏହା ଆପାତତଃ ଶେଷ ନିର୍ବାଚନ ହୋଇଥିବାରୁ ଆସନ୍ତା ନିର୍ବାଚନରେ ତେଜସ୍ୱୀଙ୍କୁ ଟକ୍କର ଦେବା ପାଇଁ ନେତାଙ୍କୁ ସାମ୍ନାକୁ ଆଣିବ ବିଜେପି। ୨୦୨୫ରେ ଦଳିତ ଓବିସି ଭୋଟ ଧୃବୀକରଣ ପାଇଁ ରଣନୀତି ଆବଶ୍ୟକ ପଡ଼ିଲେ ଚିରାଗ ପାଶ୍ୱାନଙ୍କ ଏଲଜେପି ରହିଛି ବୋଲି ବିଜେପିର କୋର୍ ଟିମ ବିଚାର କରୁଥିବା ରାଜନୀତି ସମୀକ୍ଷକଙ୍କ ମତ। ଏଲଜେପି ବାମଦଳ ଓ ଆରଜେଡିର ଭୋଟ୍ ବିଭାଜନ କରିବାରେ ସକ୍ଷମ ହେବ। ଯାହାର ଫାଇଦା ସିଧା ବିଜେପିକୁ ଯିବ। ଯେହେତୁ ଏବେ ନିର୍ବାଚନ ସରିଛି, ଏବେଠାରୁ ସେମିତି କିଛି କହିବା ଅପରିପକ୍ୱ ହେବ ବୋଲି ମଧ୍ୟ କିଛି ରାଜନୀତି ସମୀକ୍ଷକଙ୍କ ମତ। ହେଲେ ବିଜେପି ଭଳି ଦଳ ଟାର୍ଗେଟରେ ଚାଲନ୍ତି, ତେଣୁ ବିହାର ପାଇଁ ସେମିତି କିଛି ପ୍ଲାନ ନାହିଁ ବୋଲି କହିହେବନାହିଁ କୁହାଯାଉଛି।

Comment