ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ରାଜନୀତି ଦୁନିଆର ଚର୍ଚ୍ଚିତ ଚେହେରା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ନିଆରା ଡାଏଲଗ୍ ମାରି ଲୋକଙ୍କ ମନ ଜିଣିଥିବା ଶ୍ରୀ ରାଉତରାୟ ଓଡ଼ିଆ ଗୀତ ‘ରଙ୍ଗବତୀ’ରେ ରାପ୍ କରିଛନ୍ତି। ‘ଆସିଗଲା ସୁର ରାଉତ, କଡ଼ା ଉପହାର ନେଇତ’ – ଏହିଭଳି କିଛି ଲାଇନ୍‌କୁ ନେଇ ତିଆରି ହୋଇଥିବା ଗୀତରେ ସେ କଣ୍ଠଦାନ କରିଛନ୍ତି। ଶୁକ୍ରବାର କଟକ ଲିଙ୍କ୍‌ରୋଡ ସ୍ଥିତ ମିଲନ୍ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ ହୋଇଥିବା ବେଳେ ଆସନ୍ତା ଶୁକ୍ରବାର ଦିନ ଏହା ଅର୍‌ମାନ୍ ମ୍ୟୁଜିକ୍ ଚ୍ୟାନେଲ୍‌ରେ ମୁକ୍ତିଲାଭ କରିବ।

କେତେବେଳେ ‘ମାଡି ଚାଲ’ ତ ଆଉ କେତେବେଳେ ‘ରେଡ୍ଡି ତ’। ଏହିଭଳି ଭିନ୍ନ ଭିନ୍ନ ଡାଏଲଗ୍ ମାରି ରାଜନୀତିରେ ନିଜର ନିଆରା ପରିଚୟ ତିଆରି କରିଥିବା ବିଧାୟକ ସୁର ରାଉତରାୟ ଏବେ ସଂଗୀତ ପ୍ରତି ମନ ବଳାଇଛନ୍ତି। ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ଜାପାନୀଙ୍କ ‘ରଙ୍ଗବତୀ’ ଗୀତରେ ନିଜର କୌତୁହଳ ଅନ୍ଦାଜ୍‌ରେ ସେ ରାପ୍ କରିଛନ୍ତି।

ଅର୍‌ମାନ୍ ମ୍ୟୁଜିକ୍ ପ୍ରଯୋଜିତ ଏହି ଗୀତରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଲୋପାମୂଦ୍ରା ନାୟକ ଓ ଜ୍ୟୋର୍ତିମୟୀ। ଗୀତଟିକୁ ଲେଖିଛନ୍ତି ଯୁବ ଗୀତିକାର ତପୁ ନାୟକ। ପୂର୍ବରୁ ଜାପାନୀ ଓ ତପୁ ନାୟକ ଅନେକ ରୋମାଣ୍ଟିକ୍ ଗୀତ ଭେଟି ଦେଇ ଲୋକଙ୍କ ମନ ଜିଣିଛନ୍ତି। ଏବେ ସୁର ରାଉତରାୟଙ୍କ ରାପ୍ ବେଶ୍ ଲୋକପ୍ରିୟତା ହାସଲ କରିବ ବୋଲି ସଂଗୀତ ନିର୍ଦ୍ଦେଶକ ଜାପାନୀ ଆଶାବ୍ୟକ୍ତ କରିଛନ୍ତି।ଏନେଇ ଜାପାନୀ କହିଛନ୍ତି, “ମୋତେ ସବୁବେଳେ ସୁର ରାଉତରାୟଙ୍କ କଥା ଶୁଣିବାକୁ ଭଲ ଲାଗେ। ତେଣୁ ତାଙ୍କୁ ନେଇ ଏକ ଗୀତ କରିବାକୁ ଭାବିଥିଲି। ସେଥିପାଇଁ ତାଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲି। ଭଗବାନଙ୍କ କୃପାରୁ ସେ ଗୀତ ଗାଇବାକୁ ମଧ୍ୟ ରାଜି ହୋଇଯାଇଥିଲେ। ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଲୋକମାନେ ଏହାକୁ ବହୁ ମାତ୍ରାରେ ଭଲପାଇବା ଦେବେ।”

ସେହିପରି ସୁର ରାଉତରାୟ କହିଛନ୍ତି ଯେ, ରାଜନୀତି ସାଙ୍ଗକୁ ଗୀତ ଟିକେ ଗାଇବାକୁ ଇଚ୍ଛା ହେଲା। ମିଲନ୍ ଷ୍ଟୁଡିଓରେ ରାପ୍ କରି ବହୁତ ଭଲ ଲାଗିଲା।

“ମୋର ଅନେକ ଗୀତକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ସେମାନଙ୍କ ପାଇଁ ଏଥର କିଛି ନୂଆ ଢଙ୍ଗରେ ଲେଖିଛି। ତାହା ବି ହିଟ୍ ହେବ ବୋଲି ବିଶ୍ଵାସ ଅଛି,” ଗୀତିକାର ତପୁ ନାୟକ କହିଛନ୍ତି।

ତେବେ ନିଜ ଡାଏଲଗ୍ ଓ କଥା ଶୈଳୀ ପାଇଁ ଲୋକପ୍ରିୟତା ହାସଲ କରିଥିବା ସୁର ରାଉତରାୟ ଏଥର ଗୀତ ମାଧ୍ୟମରେ ଲୋକଙ୍କ ମନ ଜିଣିବେ ବୋଲି ଆଶା କରାଯାଉଛି।

Comment