ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରର ସାଇପ୍ରିୟା ନଗର, ଲାଏନ୍ସ କ୍ଲବ ଓ ମେନ୍ ରୋଡ୍ ଅଞ୍ଚଳରୁ ଚୋରି ହୋଇଥିବା ୩ଟି ବାଇକ୍କୁ ଉଦ୍ଧାର କରିଛି ରାୟଗଡ଼ା ଥାନା ପୋଲିସ। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଆଜି ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ବାଲକ୍ ମାଲିକମାନଙ୍କୁ ଉଦ୍ଧାର ଗାଡ଼ିଗୁଡ଼ିକ ଫେରାଇ ଦେଇଥିବା ସୂଚନା ମିଳିଛି।
ବାଇକ୍ ଚୋରି କରି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାୟଗଡ଼ା ସହରର ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଭି.ମଣିକାଟା ଓ ଝୁଲା ସାହିର ସୁଶାନ୍ତ କୁମାର ପାତ୍ର। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।ଗତ କିଛି ଦିନ ତଳେ ସାଇପ୍ରିୟା ନଗରର ବିପିନ ବିହାରୀ ସ୍ଵାଇଁ, ମେନ୍ ରୋଡ୍ ଅଞ୍ଚଳର କେ.ଆନନ୍ଦ ରାଓ ଓ ଲାଏନ୍ସ କ୍ଲବ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଅଭିଯୁକ୍ତମାନେ ୩ଟି ବାଇକ୍ ଚୋରି କରି ନେଇଯାଇଥିଲେ। ଗାଡ଼ି ମାଲିକମାନେ ଏନେଇ ଥାନାରେ ଅଭିଯୋଗ କରିଥିଲେ।
ରାୟଗଡ଼ା ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ଶିବଶଙ୍କର ସାହୁ ଓ ମାନସ କୁମାର ସାହୁ ତଦନ୍ତ ଆରମ୍ଭ କରି ୩ଟି ମୋଟର ବାଇକ୍ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପୋଲିସର ସହଯୋଗ ପାଇଁ ବାଇକ୍ ଫେରି ପାଇଥିବାରୁ ଗାଡ଼ି ମାଲିକମାନେ ରାୟଗଡ଼ା ଥାନା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।