ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ରେ ଗୋଟିଏ ଟ୍ରକ୍ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୨ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ନୟାଗଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଡ୍ରାଇଭରକୁ ପୋଲିସ ଅଟକ ରଖିଛି।

ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଏକ ଟ୍ରକ ନୟାଗଡ଼ ରାସ୍ତା ଦେଇ ଓଡ଼ଗାଁ ଯାଉଥିଲା। ଡ୍ରାଇଭରର ବେପରୁଆ ଗାଡ଼ିଚାଳନା ଯୋଗୁ ଟ୍ରକ୍‌ଟି ପ୍ରଥମେ ନରେନ୍ଦ୍ରପୁର ଠାରେ ଦୁଇଜଣ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ସେଠାରୁ ଦ୍ରୁତଗତିରେ ଟ୍ରକ୍‌ଟି ଶରଣକୁଳ ଥାନା ଦେଇ ବଜାର ପାରି କରିବା ପରେ ସ୍ଥାନୀୟ ସୁଆର ସାହି ଛକ ନିକଟରେ ପୁଣି ଦୁଇ ଯୁବକଙ୍କ ଉପରେ ଚଢ଼ି ଯାଇଥିଲା। ଚାହୁଁ ଚାହୁଁ ଅଳ୍ପକିଛି ଆଗକୁ ଯାଇ ଟ୍ରକ୍‌ଟି ସ୍ଥାନୀୟ ଅଞ୍ଚଳର ନୀଳକଣ୍ଠ ମହାରଣା ଓ ତାଙ୍କ ନାତୁଣୀଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଦୁଇ ଯୁବକ ଏବଂ ବୃଦ୍ଧ ନୀଳକଣ୍ଠ ମହାରଣାଙ୍କର ମୃତ୍ୟୁ ହୋଇଛି।

ବୃଦ୍ଧ ନୀଳକଣ୍ଠଙ୍କ ନାତୁଣୀ ସମେତ ଅନ୍ୟ ୨ ଗୁରୁତର ଆହତଙ୍କୁ ନୟାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ନୀଳକଣ୍ଠଙ୍କ ନାତୁଣୀଙ୍କ ମୃତ୍ୟୁ ହୋଇଛି। ତେବେ ଡ୍ରାଇଭରର ଏପରି ବେପରୁଆ ଗାଡ଼ିଚାଳନା ଯୋଗୁ ୬ ମୂଲ୍ୟବାନ ଜୀବନ ଯାଇଥିବା ନେଇ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଟ୍ରକ୍‌ଟିକୁ ଶରଣକୁଳ ହାଇସ୍କୁଲ ପାଖ ନଦୀ ଖଣ୍ଡି ଭିତରକୁ ଗଡାଇଦେଇ ଚମ୍ପଟ ମାରିବା ବେଳେ ଲୋକଙ୍କ ହାତରେ ଧରା ପଡ଼ିଥିଲା। ଏହାପରେ ତାକୁ ପୋଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି।

Comment