ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠୁ ମାତ୍ ଖାଇଲା ଟିମ୍ ଇଣ୍ଡିଆ। ବିରାଟ ବାହିନୀକୁ ପ୍ରଥମ ଦିନିକିଆରେ ୬୬ ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ। ଏଥିସହ ଦଳ ଏହି ଦିନିକିଆରେ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଯେଉଁଥିରେ ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଓପନିଂ ଯୋଡ଼ିରେ ୱାର୍ନର ଓ ଫିଞ୍ଚ ଦମଦାର ୧୫୬ ରନର ପାର୍ଟନରସିପ୍ କରିଥିଲେ। ଏହାପରେ ୱାର୍ନର ଆଉଟ୍ ହୋଇଯାଇଥିଲେ। ଏହାପରେ ଆରୋନ୍ ଫିଞ୍ଚ୍ ଓ ଷ୍ଟିଭ୍ ସ୍ମିଥ ଦମଦାର ବ୍ୟାଟିଂ କରିବା ସହିତ ଶତକ ଅର୍ଜନ କରିଥିଲେ।ଶେଷ ଆଡ଼କୁ ମାକ୍ସୱେଲ ବିଧ୍ୱଂସୀ ବ୍ୟାଟିଂ କରିବା ସହିତ ମାତ୍ର ୧୯ ବଲରୁ ୪୫ ରନ ସଂଗ୍ରହ କରିଥିଲେ। ଯାହା ଫଳରେ ଅଷ୍ଟ୍ରେଲିଆ ସ୍କୋର ୫୦ ଓଭରରେ ୩୭୪ ରନ୍ କରିପାରିଥିଲା। ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ଛାଡ଼ିଦେଲେ ଆଉ ସବୁ ବୋଲରଙ୍କ ଇକୋନୋମି ରେଟ୍ ଏହି ମ୍ୟାଚରେ ୬ ଉପରେ ରହିଥିଲା।୩୭୫ ରନର ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ। ହେଲେ ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ଇଂନିସ ଖେଳିପାରିନଥିଲେ। ଶିଖର ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିଦେଲେ ଟିମ୍ ଇଣ୍ଡିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନ୍ ବି କରିପାରିନଥିଲେ। ଫଳରେ ଦଳ ୫୦ ଓଭର ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ମାତ୍ର ୩୦୮ ରନ୍ କରିପାରିଥିଲା।

୩ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଏବେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଛି। ସିରିଜର ଆଗାମୀ ମ୍ୟାଚ୍ ୨୯ ତାରିଖରେ ଖେଳାଯିବ।

Comment