ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ବିଶ୍ୱବିଦ୍ୟାଳୟର ୭୮ ତମ ପ୍ରତିଷ୍ଠା ଦିବସ ଅବସରରେ ଧର୍ମେନ୍ଦ୍ର ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ସେ ଲେଖିଛନ୍ତି ଯେ, ଓଡ଼ିଶାର ପଡ଼ୋଶୀ ରାଜ୍ୟ ବିହାର ଓ ଆନ୍ଧ୍ରପ୍ରଦେଶରେ ଯଥାକ୍ରମେ ୪ଟି ଓ ୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି। ହେଲେ ଓଡ଼ିଶାର କୋରାପୁଟରେ ହିଁ ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଛି। କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀମାନେ ବେଶ ଉପକୃତ ହେଇପାରୁଛନ୍ତି। ଯଦି ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ମାନ୍ୟତା ମିଳିବ ତେବେ ଉପକୂଳ ଓଡ଼ିଶାର ଛାତ୍ରମାନେ ବେଶ ଉପକୃତ ହୋଇପାରିବେ ବୋଲି ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି।

ଏଥିସହ ଚିଠିରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ୧୯୪୩ ମସିହାରେ ସ୍ଥାପନା ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ରାଜ୍ୟର ଏକ ଆଗଧାଡ଼ିର ଶିକ୍ଷାନୁଷ୍ଠାନ ଭାବେ ବେଶ ଜଣାଣୁଣା। ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୮ଟି ପିଜି ଡିପାର୍ଟମେଣ୍ଟ ସହ ୧୭ଟି ସେଲ୍ପ-ଫାଇନାନ୍ସିଂ କୋର୍ସ ପଢ଼ାଯାଉଛି। ତା’ ସହ ୯ଟି ଜିଲ୍ଲାର ୩୭୩ଟି କଲେଜ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ଧର୍ମେନ୍ଦ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ତେଣୁ କେନ୍ଦ୍ର ସରକାର ଏହାକୁ କେନ୍ଦ୍ରୀୟ ମାନ୍ୟତା ଦେବାକୁ ସେ ଅନୁରୋଧ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍ ଏ+ ମାନ୍ୟତା ହାସଲ କରିଛି। ନିକଟରେ ଏହା ସର୍ବଭାରତୀୟ ରାକିଙ୍ଗରେ ୯୬ ତମ ସ୍ଥାନ ମଧ୍ୟ ପାଇଛି। ଏସବୁ ଉପଲବ୍ଧିକୁ ଦେଖି ଏହାକୁ କେନ୍ଦ୍ରୀୟ ମାନ୍ୟତା ଦେବାକୁ ଧର୍ମେନ୍ଦ୍ର ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ  ଚିଠି ଲେଖିଛନ୍ତି।

Comment