ଓଡ଼ିଶାଲାଇଭ୍ ବ୍ୟୁରୋ

ଋଷ ନାଗରିକଙ୍କୁ ଦିଆଯିବ କରୋନା ଟିକା ସ୍ପୁଟନିକ୍-ଭି ।

ଡିସେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଋଷରେ ଆରମ୍ଭ ହେବ କରୋନା ଟିକାକରଣ ପ୍ରକ୍ରିୟା। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେଠାକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୁଟିନଙ୍କ କହିବାନୁଯାୟୀ, ଋଷରେ ଏହି ଟିକାକରଣ ପ୍ରକ୍ରିୟା ବଡ଼ଧରଣରେ ଆରମ୍ଭ ହେବ। ଯେଉଁଥିରେ ଦେଶର ଲୋକମାନଙ୍କୁ ସରକାର କରୋନା ଟିକାକରଣ କରାଇବେ। ଏହି ପ୍ରକ୍ରିୟାରେ ମୋଟ୍ ୨ ମିଲିୟନ ଟିକା ସାଧାରଣ ଜନତାଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।ତେବେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ଆଗଧାଡ଼ିର କରୋନା ଯୋଦ୍ଧାକୁ ଏହି ଟିକା ଦିଆଯିବ। ଏହାପରେ ସାଧାରଣ ଜନତାଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଋଷରେ ସମସ୍ତ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

ଏହାପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଦେଶରେ ବିକଶିତ ହୋଇଥିବା କରୋନା ଟିକା ‘ସ୍ପୁଟିନିକ୍-ଭି’ ସମ୍ପର୍କରେ ଘୋଷଣା କରିଥିଲେ। ଏହି ଟିକା ୯୨ ପ୍ରତିଶତ ସଫଳ ବୋଲି ମଧ୍ୟ ସେ କହିଥିଲେ। ହେଲେ ବିଶ୍ୱର ତମାମ ଅନୁଷ୍ଠାନ ଏହି ଟିକାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ଏହାପରେ ଋଷରେ ଏହି ଭ୍ୟାକ୍ସିନର ଟିକାକରଣ ହୋଇନଥିଲା। ଗତକାଲି ଫାଇଜର-ବାୟୋଟେକ୍ କମ୍ପାନିର ଟିକାକୁ ବ୍ରିଟେନ୍ ଅନୁମତି ଦେବା ପରେ ଋଷ ସରକାର ମଧ୍ୟ ଟିକାକରଣ କରିବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ବିଶ୍ୱର ଚତୁର୍ଥ ସର୍ବାଧିକ କରୋନା ସଂକ୍ରମିତ ଦେଶ ହେଉଛି ଋଷ। ସେଠାରୁ ଏଯାବତ ମୋଟ ୨୩ ଲକ୍ଷରୁ ଅଧିକ କରୋନା କେସ୍ ଚିହ୍ନଟ ହୋଇସାରିଲେଣି। ସେଠାରେ ମୃତ୍ୟୁସଂଖ୍ୟା ମଧ୍ୟ ୪୧ ହଜାର ଟପିଛି। ତେଣୁ ଏହି ଟିକାକରଣ ପ୍ରକ୍ରିୟା ଦ୍ୱାରା ସେଠାରେ କରୋନା ସଂକ୍ରମଣ କମିପାରିବ ବୋଲି କୁହାଯାଉଛି।

ଏହାପୂର୍ବରୁ ବ୍ରିଟେନ୍ ମଧ୍ୟ ଫାଇଜର-ବାୟୋଟେକ୍ କମ୍ପାନି ଦ୍ୱାରା ବିକଶିତ କରୋନା ଟିକାକୁ ସର୍ବସାଧାରଣ ବ୍ୟବହାର ପାଇଁ ଅନୁମତି ମିଳିଛି। ଆସନ୍ତା ସପ୍ତାହରୁ ଏହା ବ୍ରିଟେନରେ ଉପଲବ୍ଧ ହେବ। ତେବେ ସେଠାରେ ମଧ୍ୟ ପ୍ରଥମ ସ୍ୱାସ୍ଥ୍ୟ କର୍ମଚାରୀ, ବୟସ୍କ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

Comment