ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ କଙ୍ଗାରୁ ଦଳକୁ ପରାଜୟ ଭେଟିଦେଇଛି ଟିମ୍ ଇଣ୍ଡିଆ। ବିରାଟ ବାହିନୀ ଅଷ୍ଟ୍ରେଲିଆ ଦଳକୁ ୧୧ ରନରେ ପରାସ୍ତ କରିଛି।

ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ଭିତରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାପରେ ଟିମ୍ ଇଣ୍ଡିଆର ଦୁଇ ଓପନର ଶିଖର ଏବଂ ରାହୁଲ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।ଭାରତକୁ କିନ୍ତୁ ଆରମ୍ଭରୁ ହିଁ ଝଟକା ମିଳିଥିଲା। ଶିଖର ଧାୱନ ମାତ୍ର ୧ ରନ୍ କରି ଷ୍ଟାର୍କଙ୍କ ଦ୍ୱାରା ବୋଲଡ୍ ହୋଇଥିଲେ। ଏହାପରେ କୋହଲି ମଧ୍ୟ ବଡ଼ ଇଂନିସ ଖେଳିପାରିନଥିଲେ। ଭାରତ ଶହେ ରନ ଭିତରେ ୫ ୱିକେଟ୍ ହରାଇସାରିଥିଲା। ଶେଷ ଆଡ଼କୁ ଜାଡେଜା ୨୩ ବଲରୁ ୪୪ ରନ କରି ଦଳର ସ୍କୋରକୁ ୧୬୧ରେ ପହଞ୍ଚାଇଥିଲେ।ଏହାପରେ ୧୬୨ ରନର ବିଜୟ ଲକ୍ଷ୍ୟକୁ ନେଇ ଅଷ୍ଟ୍ରେଲିଆ ମଇଦାନକୁ ଓହ୍ଲାଇଥିଲା। ଡାର୍ସି ସଟ ଓ ଆରୋନ୍ ଫିଞ୍ଚ ଦଳ ପାଇଁ ଭଲ ଆରମ୍ଭ ମଧ୍ୟ କରିଥିଲେ। ହେଲେ ଦଳ ୨୦ ଓଭର ଶେଷ ସୁଦ୍ଧା ମାତ୍ର ୧୫୦ ରନ୍ କରିପାରିଥିଲା।

ଭାରତ ପକ୍ଷରୁ ଦ୍ରୁତ ବୋଲର ଟି ନଟରାଜନ ଓ ସ୍ପିନର ଚହଲ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ। ତା’ ସହ ଦୀପକ ଚହର ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ।

Comment