ଓଡ଼ିଶାଲାଇଭ୍ ବ୍ୟୁରୋ

କଙ୍ଗାରୁ ଦଳକୁ ମାତ୍ ଦେଲା ଟିମ୍ ଇଣ୍ଡିଆ। ୨-୦ରେ ଆଗୁଆ ସିରିଜ୍ ଜିତିଲା ବିରାଟ ବାହିନୀ। ରବିବାର ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଆଗୁଆ ସିରିଜ୍ କବଜା କରିଛି ଭାରତୀୟ କ୍ରିକେଟ୍ ଦଳ।

ରବିବାର ଦ୍ୱିତୀୟ ଟି-୨୦ରେ ପ୍ରଥମେ ଟସ୍ ଜିତି ବିରାଟ କୋହଲି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଫିଞ୍ଚଙ୍କ ଅନୁପସ୍ଥିତିରେ ଅଧିନାୟକ ମାଥ୍ୟୁ ୱାଦେ ଓ ଡାର୍ସି ସର୍ଟ ଇଂନିସ ଓପନ କରିଥିଲେ। ଦୁହେଁ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଏହାକୁ ବଡ଼ ପାର୍ଟନରସିପରେ ବଦଳେଇ ପାରିନଥିଲେ। ଏହାପରେ ଷ୍ଟିଭ୍ ସ୍ମିଥ ଭଲ ଖେଳିଥିଲେ ବି ଅର୍ଦ୍ଧଶତକ ଅର୍ଜନ କରିପାରିନଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୫ ୱିକେଟ୍ ହରାଇ ୧୯୪ ରନ୍ ସଂଗ୍ରହ କରିଥିଲା।ଏହାପରେ ଟିମ୍ ଇଣ୍ଡିଆର ଦୁଇ ଓପନର ରାହୁଲ ଓ ଶିଖର ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମେ ପ୍ରଥମେ ରାହୁଲ କିଛି ଦର୍ଶନୀୟ ସର୍ଟ ଖେଳିବା ସହ ୩୦ ରନ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଶିଖରଙ୍କ ଅର୍ଦ୍ଧଶତକ ଓ କୋହଲିଙ୍କ ୪୦ରନରେ ଭାରତ ବିଜୟର ନିକଟତର ହୋଇଥିଲା।

ଶେଷ ଆଡ଼କୁ ହାର୍ଦ୍ଧିକ ପାଣ୍ଡ୍ୟା ୨୨ ବଲରେ ୪୨ ରନର ବିଧ୍ୱଂସୀ ଇଂନିସ ଖେଳି ଟିମ୍ ଇଣ୍ଡିଆକୁ ବିଜୟ ଉପହାର ଦେଇଥିଲେ। ଏଥିସହ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଆଗୁଆ ଜିତିନେଇଛି।

Comment