ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ସାହିତ୍ୟିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏକାଧାରରେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ଶିଶୁ ସାହିତ୍ୟିକ। ସେ ଥିଲେ ଭାଷାଶିଳ୍ପୀ ଓ ସୁରଶିଳ୍ପୀ। ଜଟିଳ ବ୍ୟାଧି, ବିଷାଦ, ବ୍ୟର୍ଥତା ଓ ନିଃସଙ୍ଗତା ତାଙ୍କ ଜୀବନର ଚିରସାଥୀ ଥିଲେ ହେଁ କବିପ୍ରାଣରେ ଥିଲା ହାସ୍ୟରସର ସ୍ୱତଃସ୍ପୂର୍ତ୍ତ ଉତ୍ସ। ଆଜି ସେହି ମହାନ କବିଙ୍କର ଜୟନ୍ତୀ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ଡିସେମ୍ବର ୯ ତାରିଖରେ ଜନ୍ମ ହୋଇଥିଲେ। ପିଲାଟି ବେଳୁ ସାହିତ୍ୟ ପ୍ରତି ସେ ଆକର୍ଷିତ ଥିଲେ। ତାଙ୍କର ଚମତ୍କାର ଲେଖା ଯୋଗୁଁ ତାଙ୍କୁ ଓଡ଼ିଆ ସାହିତ୍ୟ ଜଗତର ମଉଡ଼ମଣି ବୋଲି ମଧ୍ୟ କୁହାଯାଏ।
‘‘ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଜଣେ ବହୁ ପ୍ରତିଭାଧାରୀ ବ୍ୟକ୍ତିତ୍ୱ। ଜଣେ କବି, ଜଣେ ନାଟ୍ୟକାର, ଜଣେ ଔପନ୍ୟାସିକ ଓ ଏକ ପ୍ରତିଷ୍ଠିତ ପ୍ରତ୍ରିକା ‘ଡଗର’ର ପ୍ରତିଷ୍ଠାତା ଓ ସମ୍ପାଦକ ସେ ଥିଲେ। ସେ ତାଙ୍କର ସବୁ ଲେଖାରେ ଜାତୀୟତାକୁ ଗୁରୁତ୍ୱ ଦେଇଥିଲେ। ତାଙ୍କ ରଚିତ ନାଟକ ଓ ଉପନ୍ୟାସରେ ତାଙ୍କର ପରାକାଷ୍ଠା ପରିଲକ୍ଷିତ ହୋଇଥାଏ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।
ଫକୀରମୋହନଙ୍କ ପରେ କାନ୍ତକବି ହିଁ ଯଥାର୍ଥରେ ଥିଲେ ହାସ୍ୟରସର ସ୍ରଷ୍ଟା। ତାଙ୍କର ଏକମାତ୍ର ଉପନ୍ୟାସ ‘ କଣାମାମୁ ‘ ଏକ ଅସାଧାରଣ ସୃଷ୍ଟି ଏବଂ ହାସ୍ୟରସର ଅସରନ୍ତି ପସରା ଚିନ୍ତା ଓ ଚେତନାଗତ ନିର୍ଭୀକତାରେ ପରିପୁଷ୍ଟ ତାଙ୍କ ଦ୍ଵାରା ପ୍ରକାଶିତ ‘ଡଗର’ ସାହିତ୍ୟ ପତ୍ରିକା , କେବଳ ତାଙ୍କ ସାରସ୍ଵତ ସାଧନାର ଅଙ୍ଗ ବିଶେଷ ନଥିଲା। ଏହାଥିଲା ତାଙ୍କ ଦେଶ ଓ ସମାଜ ସେବାର ପ୍ରଧାନ ଅବଲମ୍ବନ। କାନ୍ତକବି ବହୁ ଭାବପ୍ରଧାନ ଓ ବିଷୟପ୍ରଧାନ ଉପାଦେୟ ଓଡ଼ିଆ ପ୍ରବନ୍ଧ ରଚନା କରି ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ମଧ୍ୟ ସମୃଦ୍ଧ କରିଛନ୍ତି।
‘‘ଓଡ଼ିଶାର ଜାତୀୟ ସଙ୍ଗୀତ ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ତାଙ୍କ ଲେଖନୀରୁ ନିସୃତ। କାନ୍ତ କବିଙ୍କ କବିତାରେ ଭରସା ଓ ପ୍ରତ୍ୟୟର ବାଣୀ ସ୍ପଷ୍ଟ ଥାଏ। ଅନେକ ରଚନାରେ ସେ ଶିଶୁ ସୁଲଭ ସରଳତା ଓ ଇଶ୍ୱରଙ୍କ ଉପରେ ବିଶ୍ୱାସ ପରିଲକ୍ଷିତ ହୋଇଥାଏ। ‘ବୁଢ଼ା ଶଙ୍ଖାରି’ ଗଳ୍ପ ହେଉ କିମ୍ବା ‘ଜୀବନ ସଙ୍ଗୀତ’ କବିତା, ଉଭୟ ପଦ୍ୟ ଓ ଗଦ୍ୟ ପାଇଁ ସେ ପାଠକଙ୍କ ନିକଟରେ ଆଦୃତ ହୋଇଥିଲେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।
‘‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟର ଜଣେ ଅବିସ୍ମରଣୀୟ ଅଧ୍ୟାୟ। ପ୍ରବନ୍ଧ, ରମ୍ୟ ରଚନା, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଆଦି ସବୁ ବିଭାଗରେ ସେ ତାଙ୍କର ଲେଖନୀ ଚାଳନା କରିଥିଲେ। ତାଙ୍କ ଲେଖାରେ ଜୀବନର ଆନନ୍ଦମୟ ଭାବନା ଜଡ଼ିତ ଥାଏ। ତାଙ୍କ ବ୍ୟକ୍ତିଗତ ଜୀବନରେ ସେ ଅନେକ ଯନ୍ତ୍ରଣା ଓ ଗ୍ଳାନିରେ ରହୁଥିଲେ ବି ତାଙ୍କ ଲେଖାଗୁଡ଼ିକ ଆନନ୍ଦମୟ ଥିଲା’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ।
ଲକ୍ଷ୍ମୀକାନ୍ତଙ୍କ ଛନ୍ଦାୟିତ ସୁମଧୁର କବିତାବଳୀ ଆବାଳବୃଦ୍ଧବନିତାଙ୍କ ନିକଟରେ ଥିଲା ଅତିପ୍ରିୟ। ନିକଟରେ କାନ୍ତକବିଙ୍କର କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରାଯାଇଛି।
‘‘ଦେଶପ୍ରେମରେ ଉବୁଟୁବୁ ହୋଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନେକ ରଚନା କରିଥିଲେ। ସେ ସମୟରେ ଲୋକଙ୍କୁ ଅସହଯୋଗ ଆନ୍ଦୋଳନରେ ସାମିଲ ହେବାକୁ ପ୍ରବର୍ତ୍ତାଇବା ପାଇଁ ସେ ଅନେକ ଦେଶପ୍ରେମୀ କବିତାମାନ ରଚନା କରିଥିଲେ। ନିଜେ ବ୍ୟାଧିଗ୍ରସ୍ତ ହୋଇଥିଲେ ମଧ୍ୟ ତାଙ୍କ ଜୀବନ ସଙ୍ଗୀତ କବିତା ଗୁଚ୍ଛର ପ୍ରତିଟି କବିତାରେ ଭରି ରହିଥିଲା ଜୀବନର ଆନନ୍ଦମୟ ଅନୁଭୂତି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।
‘‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସେ ସମୟରେ କୁଷ୍ଠରୋଗରେ ପୀଡ଼ିତ ହୋଇଥିଲେ। ବହୁ ଚିକିତ୍ସା ସତ୍ତ୍ୱେ ବି ତାଙ୍କର ଅଙ୍ଗ, ପ୍ରତ୍ୟେଙ୍ଗ ଠିକ୍ ଭାବରେ କାର୍ଯ୍ୟ କରିପାରିଲା ନାହିଁ। ତଥାପି ହତାଶ ହୋଇନଥିଲେ ସେ। ସଙ୍ଗୀତ ପ୍ରତି ତାଙ୍କର ଯେଉଁ ଆକର୍ଷଣ ଥିଲା ତାହା ତାଙ୍କୁ ପ୍ରେରଣା ଯୋଗାଉଥିଲା। ସେ ଜଣେ ବହୁମୁଖୀ ପ୍ରତିଭା ଥିଲେ। ସେ ଅନେକ ଚମତ୍କାର ଗଳ୍ପ ମଧ୍ୟ ଲେଖିଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ରବି ନାୟାରଣ ସେନାପତି।
‘‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମହାତ୍ମା ଗାନ୍ଧୀଙ୍କୁ ନିଜ ଜୀବନର ଧ୍ରୁବତାରା ଭାବେ ଗ୍ରହଣ କରିଥିଲେ। ସେଥିପାଇଁ ତ ଅସହଯୋଗ ଆନ୍ଦୋଳନରେ ସେ ଯୋଗ ଦେଇ କାରାବରଣ କରିଥିଲେ। ଏହାସହ ସେ ରୋଗାକ୍ରାନ୍ତ ହୋଇ ବି ହାରି ଯାଇନଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ ।