ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକଦା ଖୁବ ଶକ୍ତିଶାଳୀ ଥିବା ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ଆଗାମୀ ଦିନରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ବିଜେଡିରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଜଣାପଡିଛି। ପ୍ରଦୀପଙ୍କ ଅନୁଗତ ଓ ସମର୍ଥକ ଯେଉଁମାନେ ବିଭିନ୍ନ ଦଳୀୟ ପଦ ପଦବୀରେ ଥିଲେ ସେମାନଙ୍କୁ ହଟାଇ ଦିଆଯିବ ବୋଲି କହିଛନ୍ତି ଜଣେ ବରିଷ୍ଠ ନେତା। ବିଶେଷ କରି ମହିଳା, ଛାତ୍ର ଓ ଯୁବ ଉଇଙ୍ଗରେ ଯେଉଁମାନେ ବର୍ତ୍ତମାନ କାର୍ଯ୍ୟକର୍ତ୍ତା ଅଛନ୍ତି ସେମାନେ ଆଉ ରହିବେ ନାହିଁ।

ଅବିଭକ୍ତ ଗଞ୍ଜାମ ଅର୍ଥାତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୧୫ ବିଧାନସଭା ଆସନ ଓ ଦୁଇଟି ଲୋକସଭା ଆସନ ରହିଛି। ଏହି ଦୁଇ ଜିଲ୍ଲାରେ ନୂଆ କର୍ମକର୍ତ୍ତା ବାଛିବା କାମ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଉକ୍ତ ନେତା।

ଯଦିଓ ପ୍ରଦୀପ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲା ବିଜେଡି ରାଜନୀତିରେ ଖୁବ ପ୍ରଭାବଶାଳୀ ହୋଇ ପଡ଼ିଥିଲେ ଜିଲ୍ଲାର ଅନେକ ନେତା ତାଙ୍କ ବହିଷ୍କାର ଘଟଣାରେ ଖୁସି ଥିବା କୁହାଯାଉଛି।

ବିଜେଡି କର୍ମୀ ସମସ୍ତେ ନବୀନ ପଟ୍ଟନାୟକଙ୍କ ଅନୁଗତ, ଅନ୍ୟ କୌଣସି ନେତାଙ୍କର ନୁହେଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ଶାଖାର ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ପ୍ରଦୀପଙ୍କ ଯିବା ଦ୍ୱାରା ଗଞ୍ଜାମ ରାଜନୀତିରେ କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ଗଞ୍ଜାମ ବିଜେଡିରେ ପୂର୍ବରୁ ପ୍ରଭାବଶାଳୀ ଥିବା ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ହେବା ପରେ ସକ୍ରିୟ ରାଜନୀତିରେ ଆଉ ନାହାନ୍ତି। ଚିକିଟି ବିଧାୟିକା ଉଷା ଦେବୀ ମୁଖ୍ୟତଃ ନିଜ ନିର୍ବାଚନ ମଣ୍ଡଳୀରେ ହିଁ ନିଜକୁ ସୀମିତ ରଖୁଛନ୍ତି। ତେଣେ ଅନ୍ୟ ଜଣେ ବରିଷ୍ଠ ନେତା ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି କାରଣ ତାଙ୍କ ନିର୍ବାଚନ ମଣ୍ଡଳୀ ଭଞ୍ଜନଗର କନ୍ଧମାଳ ଜିଲ୍ଲାରେ ଆସୁଛି। ଏଣୁ କାହାକୁ ଗଞ୍ଜାମ ଜିଲ୍ଲା ଦାୟିତ୍ୱ ଦିଆଯିବ ସେ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Comment