ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଆରମ୍ଭ ହେବା ବେଳେ ଯଦି ସବୁଠାରୁ ଅଧିକ କଷ୍ଟ କିଏ ପାଇଥାନ୍ତି, ସେମାନେ ହେଲେ ପ୍ରବାସୀ ଶ୍ରମିକ। କାରଣ ପରିବାର ପୋଷିବାକୁ ସେମାନେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ପଳାଇଥିଲେ, ଆଉ ସଟଡାଉନ ଆରମ୍ଭ ହେବା କ୍ଷଣି ପୁଣି ନିଜ ଘରକୁ ଆସିଥିଲେ। ସେମାନଙ୍କ ଭିତରୁ କିଛି ଲୋକ ଘରେ ପହଞ୍ଚିଲେ ଓ କିଛି ଲୋକ ପ୍ରାଣ ହରାଇଲେ। କିନ୍ତୁ ଏ ପ୍ରବାସୀ ଶ୍ରମିକମାନଙ୍କର ସଂଖ୍ୟା କେତେ ବା କେଉଁ ରାଜ୍ୟରୁ କେଉଁ ରାଜ୍ୟରେ ଏମିତି ଲୋକ ଅଛନ୍ତି ସେତେବେଳେ କିଛି ହିସାବ ମିଳିଲାନି। ଏବେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସେମାନଙ୍କ ହିସାବ କରିବା ଆରମ୍ଭ କରିଛି। ୨୦୨୧ ଜୁନ ସୁଦ୍ଧା ଏହି ଗଣତି ଶେଷ କରିବାକୁ ଯୋଜନା କରିଛି ଶ୍ରମ ମନ୍ତ୍ରାଳୟ।

ମନରେଗା ଯୋଜନା, ଓ୍ୱାନ ନେସନ ଓ୍ୱାନ ରାସନ କାର୍ଡ ଡାଟାବେସ ସହ ଇଏସଆଇରୁ ତଥ୍ୟ ନେଇ ନୂଆ ତାଲିକା ପ୍ରସ୍ତୁତ କରୁଛି ଶ୍ରମ ମନ୍ତ୍ରାଳୟ। ପ୍ରବାସୀ ଶ୍ରମିକଙ୍କ ସ୍ୱତନ୍ତ୍ର ଡାଟାବେସ୍ ତିଆରି ହେବ। ଯେହେତୁ ଏକାଧିକ ସୂତ୍ରରୁ ତଥ୍ୟ ସଂଗ୍ରହ କରାଯିବ, ତେଣୁ ଗୋଟିଏ ନାମ ଏକାଧିକ ଥର ରହିବାର ସମ୍ଭାବନା ରହିଛି। ତେଣୁ ଏହି କ୍ଷେତ୍ରରେ ଆଧାର ନମ୍ବର ମଧ୍ୟ ବ୍ୟବହାର କରାଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି ନ୍ୟାସନାଲ ଇନଫରମେଟିକ ସେଣ୍ଟର। ପ୍ରବାସୀ ଶ୍ରମିକଙ୍କ ଗଣତି ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି। ବିଭିନ୍ନ ମନ୍ତ୍ରାଳୟ ସହ ଆଲୋଚନା କରାଯାଇ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରାଯାଉଛି।

ତୁରନ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଗଲେ, ସରକାରୀ ସୁବିଧା ସୁଯୋଗ ପ୍ରଦାନରେ କିଛି ଅସୁବିଧା ହେବନାହିଁ ବୋଲି ଶ୍ରମ ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ମିଳିଛି। ଏହା ସହିତ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ ମଧ୍ୟ କରାଯିବ।  ତେବେ ଏବେ ଦେଶରେ ୨୦ରୁ ୨୫ କୋଟି ଅଣସଂଗଠିତ ପ୍ରବାସୀ ଶ୍ରମିକ ଓ କର୍ମଜୀବୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ରୁ ୧୦କୋଟି ଏମଏନଆରଇଜିଏରେ ପଞ୍ଜୀକୃତ ହୋଇଛନ୍ତି। ଓ୍ୱାନ ନେସନ ଓ୍ୱାନ ରାସନକାର୍ଡ ପାଇଁ ୩୦ରୁ ୩୫ କୋଟି ଲୋକ ପଞ୍ଜୀକୃତ ହୋଇଛନ୍ତି।

ଏହି ଅଣସଂଗଠିତ ଶ୍ରମିକମାନେ କୌଣସି ସୁବିଧା ପାଉନାହାନ୍ତି। ସେମାନେ କାମ କରୁଥିବା ସେମାନଙ୍କ କମ୍ପାନି ସେମାନଙ୍କୁ ଇପିଏଫ୍ ଓ ଇଏସଆଇରେ ପଞ୍ଜୀକୃତ କରାଉନାହାନ୍ତି। ତେଣୁ ସେମାନଙ୍କ ସାମାଜିକ ସୁରକ୍ଷା ବିପନ୍ନ ହେଉଛି। ତେଣୁ ଏହି ଧରଣର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଥିବା କୁହାଯାଉଛି।

Comment