ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛି ଦିନ ହେବ ରାଜ୍ୟରେ ଶିଶୁକନ୍ୟା ଅପହରଣ ଓ ହତ୍ୟା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସୁଛି। ପ୍ରଥମେ ନୟାଗଡ଼ର ଯଦୁପୁର, ପରେ ଯାଜପୁର ଓ ରାଜସୁନାଖଳା ଏବଂ ଏବେ ବାଲେଶ୍ୱରରେ ଏଭଳି ଜଘନ୍ୟ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଛି। ଏପରି ସ୍ଥିତିରେ ରାଜ୍ୟରେ ଶିଶୁମାନେ କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପଟେ ମାତ୍ର ୫ ମାସ ମଧ୍ୟରେ ୪ ଜଣ ଶିଶୁକନ୍ୟା ନିଖୋଜ ହେବା ପରେ ବାପା ମା’ଙ୍କ ମନରେ ଛନକା ପଶିଛି।

ବାଲେଶ୍ୱରରେ ନାବାଳିକାଙ୍କୁ ହତ୍ୟା

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦୁରକୋଇଲି ଗାଁରେ ଥିବା ମାମୁଁଘରେ ରହି ପାଠ ପଢ଼ୁଥିଲେ ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପ୍ରିୟା (୭)। ସେ ଗତ ଡିସେମ୍ବର ୧୧ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଝିଅର ସନ୍ଧାନ ନ ମିଳିବାରୁ ପରିବାର ଲୋକେ ରବିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସୋମବାର ସକାଳୁ ମାମୁଁଘର ପଛପଟ ପୋଖରୀରୁ ବିଷ୍ଣୁପ୍ରିୟାଙ୍କ ମୃତଦେହ ମିଳିଥିଲା।

ବିଷ୍ଣୁପ୍ରିୟାଙ୍କ ବାପାଙ୍କ ଅଭିଯୋଗ କ୍ରମେ ସୁନ୍ଦୁରକୋଇଲି ଗାଁର ନଟ ସାହୁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ନଟ ସାହୁ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଦେଖିଦେବାରୁ ତାଙ୍କୁ ହତ୍ୟା କରାଯାଇଥିବା ବସ୍ତା ଏସଡିପିଓ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସୁନ୍ଦୁରକୋଇଲି ଗାଁରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସେଠାରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।missing women-3୪ ମାସ ହେଲା ନିଖୋଜ ଅଛି ଯାଜପୁରର ‘ପିହୁ’

ପରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଯାଜପୁରରୁ ଶିଶୁ କନ୍ୟା ନିଖୋଜ ହେବା ଘଟଣା ଜଣାପଡ଼ିଥିଲା। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ରଥସାହି ଗ୍ରାମରୁ ଅଢ଼େଇ ମାସର ଶିଶୁକନ୍ୟା ପିହୁକୁ ଗତ ଅଗଷ୍ଟ ମାସ ୯ ତାରିଖରେ କେହି ଦୁର୍ବୃତ୍ତ ଅପହରଣ କରିନେଇଥିଲା। ଏନେଇ ପିହୁଙ୍କ ମା ମୋନାଲିସା ବିଞ୍ଝାରପୁର ଥାନାରେ ଏତଲା ଦେଇଥିଲେ। କିନ୍ତୁ ଘଟଣାକୁ ଇତିମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ ପିହୁଙ୍କ କୌଣସି ସନ୍ଧାନ ମିଳିନାହିଁ। ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ବସିଥିବା ପିହୁଙ୍କ ମା ଅଭିଯୋଗ କରିଛନ୍ତି।

ନୟାଗଡ଼ରେ ‘ସ୍ୱାତୀ’ ନିଖୋଜ

ନୟାଗଡ଼ର କୁନି ଝିଅ ପରୀ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ଜାରି ରହିଥିବା ବେଳେ ପୁଣି ଜଣେ ନାବାଳିକା ଅପହରଣ ନେଇ ଅଭିଯୋଗ ହୋଇଛି। ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ବଧିପାଟଣା ଗାଁର ସଞ୍ଜୟ ସାହୁଙ୍କ ୩ ବର୍ଷର ଶିଶୁକନ୍ୟା ସ୍ୱାତୀ କେଉଁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ଶନିବାର ଅପରାହ୍ଣରେ ସ୍ୱାତୀ ବାଡ଼ିପଟକୁ ଖେଳିବାକୁ ଯାଇ ଆଉ ଫେରିନଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ନ ମିଳିବାରୁ ପରିବାର ଲୋକେ ରାଜସୁନାଖଳା ଫାଣ୍ଡିରେ ଏକ ନିଖୋଜ ମାମଲା ଦାଏର କରିଛନ୍ତି।‘ପରୀ’ ଅପହରଣ ଓ ହତ୍ୟା ଘଟଣା

ଗତ ନଭେମ୍ବର ୨୩ ତାରିଖରେ ବିଧାନସଭା ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ନୟାଗଡ଼ ଯଦୁପୁରର ଅଶୋକ ସାହୁ ଓ ତାଙ୍କ ପତ୍ନୀ ସୌଦାମିନୀ ସାହୁ ଶୀତ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ଗେଟ୍ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାର କାରଣ ଜଣାପଡ଼ିବା ପରେ ସାରା ରାଜ୍ୟ ହୁଲସ୍ତୁଲ ହୋଇଥିଲା। ନିଜ ୫ ବର୍ଷର ଝିଅ ପରୀକୁ ଅପହରଣ ଓ ହତ୍ୟା କରାଯାଇଥିବା ନେଇ ଏହି ଦମ୍ପତି ଅଭିଯୋଗ କରିଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ ସେମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଥିଲେ। ଗତ ଜୁଲାଇ ୧୪ ତାରିଖରେ ପରୀକୁ ଅପହରଣ କରାଯାଇଥିଲା। ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗତ ଜୁଲାଇ ୨୩ ତାରିଖରେ ପରୀର କ୍ଷତବିକ୍ଷତ ଶବ ତାଙ୍କ ଘର ପଛପଟ ପୋଖରୀରୁ ମିଳିଥିଲା। ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀକୁ ଗିରଫ ନ କରି ଚୁପ୍ ବସିଥିବା ପରୀଙ୍କ ବାପା ମା ଅଭିଯୋଗ କରିଥିଲେ।ଏହାପରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଏସଆଇଟି ତଦନ୍ତ ଦାବି କରି ବିରୋଧୀମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ ରଖିବାକୁ ପଡ଼ିଥିଲା। ଏହାପରେ ଯଦୁପୁର ଗାଁକୁ କଂଗ୍ରେସ ଓ ବିଜେପି କର୍ମକର୍ତ୍ତାଙ୍କ ସୁଅ ଛୁଟିଥିଲା। ବିରୋଧୀଙ୍କ ପ୍ରବଳ ବିରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଟିମ୍ ଗଠିତ ହୋଇଥିଲା। ଏବେ ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏହି ଟିମ୍ ପରୀ ହତ୍ୟା ଘଟଣାର ତଦନ୍ତ କରୁଛି।

ଅନ୍ୟପଟେ ତଦନ୍ତରେ ଅବହେଳା କରିଥିବାରୁ ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବନ କରାଯିବା ସହ ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ ନୟାଗଡ଼ରୁ କନ୍ଧମାଳକୁ ବଦଳି କରାଯାଇଛି। ଏଥିସହ ପରୀଙ୍କ ପରିବାର ସମେତ ସ୍ଥାନୀୟ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment