ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିଜ ଝିଅକୁ ଅପହରଣ ନାଟକ କରିବା ପଡ଼ିଲା ମହଙ୍ଗା। ପୋଲିସ ହାତରେ ଧରାପଡ଼ିଲେ ବାପା। ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରୁ ଶିଶୁ ନିଖୋଜ ଖବର ଆସୁଥିଲା ବେଳେ ରାୟଗଡ଼ାର ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଦେଇଛି।
ଗତ ୧୫ତାରିଖ ଦିନ ରାୟଗଡ଼ା ଜିଲ୍ଲା ଆମ୍ବାଗୁଡାର ଏକ ୩ ବର୍ଷୀୟ ଝିଅ ନିଖୋଜ ହୋଇଥିବା ଖବର ଆସିଥିଲା। ପଲ୍ମା କଣ୍ଡାଗୋରି ନିଜ ଝିଅ ଗୁଞ୍ଜନ କଣ୍ଡାଗୋରିକୁ ତାଙ୍କ ସଂମ୍ପର୍କିୟ ଲୋକେ ଅପହୃତ କରିଥିବା ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ପକ୍ଷରୁ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବାବେଳେ ଗୁଞ୍ଜନକୁ ନିଜ ବାପା ଦୋରା କଣ୍ଡାଗିରି ଓ ତାଙ୍କ ସହଯୋଗୀ ଗଜେନ୍ଦ୍ର ମିଳିତ ଭାବେ ଗୁମ୍ମା ପଞ୍ଚାୟତ ଅଧୀନ କୋନବେସ ଗ୍ରାମ ପିଣ୍ଟୁ ସାରକାଙ୍କ ଘରେ ରଖିଥିଲେ। ତେବେ ପୁଲିସ ସୁରାକ ପାଇ ଉକ୍ତ ସ୍ଥାନରେ ପହଞ୍ଚି ଅପହୃତ ଝିଅକୁ ଉଦ୍ଧାର କରିବା ସହିତ ଶିଶୁକୁ ଜେଜେ ମା’ ଙ୍କୁ ହସ୍ତାନ୍ତର କରିଥିଲା।
ତଦନ୍ତ ବେଳେ ଝିଅକୁ ନିଜ ବାପା ଲୁଚାଇ ରଖି ଅପହରଣ ନାଟକ ରଚିଥିବା ଜଣାପଡ଼ିଥିଲା। ଏହି ମାମଲାରେ ଦୋରା କଣ୍ଡାଗିରି, ଗଜେନ୍ଦ୍ର ହୁଇକାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶର୍ବଣା ବିବେକ ଏମ ସୂଚନା ଦେଇଛନ୍ତି। ଏଥିସହିତ ଘଟଣାରେ ବ୍ୟବହୃତ ଏକ ବାଇକକୁ ପୁଲିସ ଜବତ କରିଛି।

















