ଓଡ଼ିଶାଲାଇଭ୍ ବ୍ୟୁରୋ
ପକ୍ଷୀଙ୍କ ଭୂସ୍ୱର୍ଗ ମଙ୍ଗଳାଯୋଡ଼ି। ଭଳି କି ଭଳି ପକ୍ଷୀ ଦେଖିବାକୁ ଏଠାକୁ ଟାଣି ହୋଇ ଆସନ୍ତି ପର୍ଯ୍ୟଟକ।
ପର୍ଯ୍ୟଟନ ୠତୁରେ ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ିରେ ଖୋଲିଛି ଦେଶୀ ବିଦେଶୀ ପକ୍ଷୀଙ୍କ ସମ୍ଭାର। ଏଠାରେ ପର୍ଯ୍ୟଟକ ରଙ୍ଗ ବେରଙ୍ଗର ପକ୍ଷୀ ଦେଖିବା ସହିତ ଦେଶୀ ଡଙ୍ଗାରେ ବୁଲିବାର ମଜା ନେଉଛନ୍ତି। ଏହାସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରୁଛନ୍ତି।
ପ୍ରତିବର୍ଷ ଏଠାରେ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା ବେଳେ ଚଳିତ ବର୍ଷ କରୋନା ପାଇଁ ପର୍ଯ୍ୟଟଙ୍କ ସଂଖ୍ୟା କମିଛି। ତେବେ ଯେତିକି ବି ଲୋକ ଆସୁଛନ୍ତି ସେମାନଙ୍କୁ କଟକଣା ଭିତରେ ମଙ୍ଗଳାଯୋଡ଼ିରେ ବୁଲିବାକୁ ଦିଆଯାଉଛି। ଏହି ସ୍ଥାନର ପରିଚଳାନା ଦାୟିତ୍ୱରେ ଥିବା ମଙ୍ଗଳାଯୋଡ଼ି ଇକୋ ଟ୍ୟୁରିଜିମ୍ ଟ୍ରଷ୍ଟ ଓ କିଛି ଗାଁ ଲୋକ ମିଶି ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଏଠାରେ ମାସ୍କ, ସାନିଟାଇଜର ବ୍ୟବସ୍ଥା ହୋଇଛି। ସେହିପରି ଡଙ୍ଗାରେ ସାମାଜିକ ଦୂରତା ରଖିବା ପାଇଁ ମାତ୍ର ୬ ଜଣଙ୍କୁ ଅନୁମତି ଦିଆଯାଉଛି। ଏମାନଙ୍କ ଭିତରେ ୪ ଜଣ ପର୍ଯ୍ୟଟକ, ଜଣେ ଡଙ୍ଗା ଚାଳକ ଓ ଅନ୍ୟ ଜଣେ ଗାଇଡ ରହୁଛନ୍ତି।
କେମିତି ଯିବେ ମଙ୍ଗଳାଯୋଡ଼ି ?
ମଙ୍ଗଳାଯୋଡ଼ିକୁ ଯିବା ପାଇଁ ଉଭୟ ସଡ଼କ ଏବଂ ରେଳପଥର ସୁବିଧା ରହିଛି। ରାଜଧାନୀ ଭୁବନେଶ୍ୱରରୁ ଟାଙ୍ଗୀ ଏବଂ ଟାଙ୍ଗୀରୁ ଭୂଷଣ୍ଡପୁର ରାସ୍ତାରେ ୫ କି.ମି ଆଗକୁ ଗଲେ ମଙ୍ଗଳାଯୋଡ଼ି ପଡ଼ିବ। ସେହିପରି ମଙ୍ଗଳାଯୋଡ଼ିର ନିକଟସ୍ଥ ଷ୍ଟେସନ ହେଉଛି କାଳୁପଡ଼ା। ଏହା ମଙ୍ଗଳାଯୋଡ଼ିରୁ ମାତ୍ର ୮ କିଲୋମିଟର ଦୂର।
ମଙ୍ଗଳାଯୋଡ଼ିରେ ରହିବା ବ୍ୟବସ୍ଥା
ମଙ୍ଗଳାଯୋଡ଼ିକୁ ଆସୁଥିବା ପର୍ଯ୍ୟଟକ ଏଠାରେ ଚାହିଁଲେ ରାତ୍ରୀଯାପନ କରିପାରିବେ। ରହିବା ପାଇଁ ଏଠାରେ ୪ଟି ଘର କରାଯାଇଛି। ଏଠାରେ ୮ ଜଣ ରହିପାରିବେ। ରହିବା ସହିତ ପର୍ଯ୍ୟଟକଙ୍କ ସକାଳ, ମଧ୍ୟାହ୍ନ ଓ ରାତ୍ରୀ ଭୋଜନର ସବୁଧା ବି ଅଛି। କେବଳ ସେତିକି ନୁହେଁ ଆପଣ ଚାହିଁଲେ ଏଠାରେ ନି ଇଚ୍ଛା ଅନୁସାରେ ଆମିଷ ଓ ନରାମିଷ ଖାଦ୍ୟ ଖାଇପାରିବେ। ରହିବା, ଖାଇବା, ବୋଟିଂ ପାଇଁ ଆପଣଙ୍କୁ ୪୧୯୯ ଟଙ୍କା ଦେବାକୁ ପଡ଼ିବ।
ସେହିପରି ଯଦି କୌଣସି ପର୍ଯ୍ୟଟକ ନରହି କେବଳ ଗୋଟିଏ ମଧ୍ୟାହ୍ନ ଭୋଜନ ଖାଇବାକୁ ଚାହିଁବେ ତେବେ ସେମାନେ ନରାମିଷ ୧୫୦ ଟଙ୍କା ଦେଇ ଖାଇପାରିବେ। ଯଦି ଆମିଷ ଖାଇବେ ତେବେ ୨୫୦ ଟଙ୍କା ଦେବାକୁ ପଡ଼ିବ। ମାତ୍ର ନିରାମଷରେ ଆପଣ ଏଠାରେ ମଟନ ଚିକେନ ନୁହେଁ କେବଳ ଚିଙ୍ଗୁଡ଼ି, କଙ୍କଡ଼ା ଓ ଚିଲିକା ମାଛ ଖାଇପାରିବେ। ଏଠାରେ କିନ୍ତୁ ପର୍ଯ୍ୟଟଙ୍କମାନଙ୍କୁ ଭୋଜି କରିବା ପାଇଁ ଅନୁମତି ନାହିଁ। ତେବେ ମଙ୍ଗଳାଯୋଡ଼ି ନିକଟରେ ଥିବା ଉଗ୍ରତାରା ମନ୍ଦିର ପାଖରେ ଭୋଜି କରିପାରିବେ।
ଜାନୁଆରିରେ ଚିଲିକା ପକ୍ଷୀ ମହୋତ୍ସବ
ଏ ବର୍ଷ ମଙ୍ଗଳାଯୋଡ଼ିକୁ କେତେ ପକ୍ଷୀ ଆସିଛନ୍ତି ସେଥିପାଇଁ ଜାନୁଆରିରେ ପକ୍ଷୀଗଣନା କରାଯିବ। ଏହାପରେ ଜାନୁଆରି ଦ୍ୱିତୀୟ ସପ୍ତାହରୁ ୩ ଦିନ ବ୍ୟାପୀ ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଉଦ୍ୟମରେ ଏହି ମହୋତ୍ସବ ଆୟୋଜନ କରାଯିବ। ଏହି ମହୋତ୍ସବ ସାଧାରଣ ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ବନ୍ୟଜନ୍ତୁ ଫଟୋଗ୍ରାଫର, ଗବେଷକମାନଙ୍କ ପାଇଁ ପକ୍ଷୀଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏକ ବିଶେଷ ସୁଯୋଗ ଦେଇଥାଏ।
ମଙ୍ଗଳାଯୋଡ଼ିକୁ ପକ୍ଷୀ କାହିଁକି ଆସନ୍ତି ?
ଭଳିକି ଭଳି ଦେଶୀ, ବିଦେଶୀ ପକ୍ଷୀ ଦେଖିବା ପାଇଁ ଶୀତଦିନେ ପର୍ଯ୍ୟଟକମାନେ ଚିଲିକାକୁ ଛୁଟି ଆସନ୍ତି। ଚିଲିକା ନିକଟରେ ମଙ୍ଗଳାଯୋଡ଼ି ପଡୁଥିବାରୁ ଏଠାରେ ମଧ୍ୟ ବିଭିନ୍ନ ପ୍ରଜାତିର ପକ୍ଷୀ ଆସୁଛନ୍ତି। ତେବେ ପର୍ଯ୍ୟଟକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ଚିଲିକା ଛାଡ଼ି ପକ୍ଷୀମାନେ ମଙ୍ଗଳାଯୋଡ଼ି କାହିଁକି ଆସନ୍ତି ? ଏହାର ପ୍ରମୁଖ କାରଣ ହେଉଛି ମଙ୍ଗଳାଯୋଡ଼ି ଆର୍ଦ୍ରଭୂମି ଅଞ୍ଚଳ। ଏଠାରେ ପକ୍ଷୀମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ମିଳେ। ସେଥିପାଇଁ ଅଧିକାଂଶ ପକ୍ଷୀ ଚିଲିକା ଛାଡ଼ି ଏଠାରେ ରହନ୍ତି।
ଚିଲିକାରେ ୨୫୦ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ମଙ୍ଗଳାଯୋଡ଼ିରେ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ସାଇବେରିଆ, ମଙ୍ଗୋଲିଆ, ଲଦାଖ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଆଦି ଅଞ୍ଚଳର ପକ୍ଷୀମାନେ ମଙ୍ଗଳାଯୋଡ଼ି ଆର୍ଦ୍ରଭୂମିରେ ଦେଖିବାକୁ ମିଳିଥାନ୍ତି। ବିଶେଷକରି ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏବେ ମଙ୍ଗଳାଯୋଡ଼ିର ବିକାଶ ହେଉଥିବାରୁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି।
ମଙ୍ଗଳାଯୋଡ଼ିକୁ ପୁରସ୍କାର
୨୦୧୦ରେ ଟିଓଏଫ୍ଟି ୱାଇଲ୍ଡ ଲାଇଫ୍ କଞ୍ଜର୍ଭେସନ ରନର୍ସଅପ୍ ଆୱାର୍ଡ ପାଇଥିବା ବେଳେ ୨୦୧୨ରେ ଆରବିଏସ୍ ଆର୍ଥ ହିରୋ ଆୱାର୍ଡ, ୨୦୧୪ରେ ୟୁଏନ୍ଡିଡି ଇଣ୍ଡିଆ ବାୟୋ ଡାଇଭରସିଟି ରନର୍ସଅପ୍ ଆୱାର୍ଡ, ୨୦୧୫ରେ ବିଜୁ ପଟ୍ଟନାୟକ ୱାଇଲ୍ଡ ଲାଇଫ୍ କଞ୍ଜରଭେସନ ଆୱାର୍ଡ (ବ୍ୟକ୍ତିଗତ), ୨୦୧୫ରେ ଏମ୍ଏସ୍ ସ୍ୱାମୀନାଥନ୍ ଫାଉଣ୍ଡେସନ ଫେଲୋସିପ୍ ଆୱାର୍ଡ (ବ୍ୟକ୍ତିଗତ), ୨୦୧୬ରେ ରାଜ୍ୟସ୍ତରୀୟ ୱେଟ୍ ଲ୍ୟାଣ୍ଡ ଡେ ଆୱାର୍ଡ ହାସଲ କରିଛି। ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଚିଲିକା ବିଶେଷ ସ୍ଥାନ ନେଇଛି। ମଙ୍ଗଳାଯୋଡ଼ି ଏବେ ହୋଇଛି ଚିଲିକାର ମୁଖ୍ୟ ଆକର୍ଷଣ।
ପକ୍ଷୀ ଶିକାରୀରୁ ପକ୍ଷୀ ପୂଜାରୀ
ଦିନଥିଲା ପକ୍ଷୀ ମାରି ପେଟ ପୋଷୁଥିଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡ଼ି ଗ୍ରାମର ଅଧିକାଂଶ ଲୋକେ। ହେଲେ ଏବେ ଛବି ବଦଳିଯାଇଛି। ଯେଉଁ ଲୋକମାନେ ଦିନେ ଚଢେଇ ମାରୁଥିଲେ ଏବେ ସେମାନେ ଚଢେଇ ଜଗି ପରିବାର ପ୍ରତିପୋଷଣ କରୁଛନ୍ତି ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ଏହା କେବଳ ସମ୍ଭବ ହୋଇଛି କିଛି ପରିବେଶବିତ୍, ବୁଦ୍ଧିଜୀବୀ ଏବଂ ଇଣ୍ଡିଆନ୍ ଗ୍ରାମୀଣ ସର୍ଭିସ ନାମକ ଏକ ସଂସ୍ଥା ପାଇଁ। ୨୦୦୯-୧୦ ପରେ ମଙ୍ଗଳାଯୋଡ଼ିର ଭୌଗୋଳିକ ନକ୍ସା ବଦଳି ଯାଇଥିବାରୁ ଏହା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ମଙ୍ଗଳାଯୋଡ଼ି ଗ୍ରାମରେ ୮୫୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ମତ୍ସ୍ୟଜୀବୀ। ବାକି ୪୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ମତ୍ସ୍ୟଜୀବୀମାନେ ପ୍ରତିଦିନ ଚିଲିକାରୁ ମାଛ, କଙ୍କଡ଼ା ଧରି ଜୀବିକା ନିର୍ବାହ କରିବା ସହ ବିଭିନ୍ନ ପ୍ରଜାତିର ଚଢେଇ ମାରୁଥିଲେ।
୧୯୯୫-୯୬ ମସିହା ପୂର୍ବରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଚଢ଼େଇ ମଙ୍ଗଳାଯୋଡ଼ିକୁ ଆସୁଥିଲେ। ମାତ୍ର ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁଁ ଚଢ଼େଇ ସଂଖ୍ୟା ହ୍ରାସ ପାଇ ଚାଲିଲା। ଏଥିରେ ପରିବେଶବିତ୍, ବୁଦ୍ଧିଜୀବୀ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଚିନ୍ତା ପ୍ରକଟ କରି ପକ୍ଷୀ ଶିକାର ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସିଡ଼ିଏର ସିଇଓ ଡକ୍ଟର ଅଜିତ୍ କୁମାର ପଟ୍ଟନାୟକ ଏବଂ ପରିବେଶବିତ୍ ନନ୍ଦ କିଶୋର ଭୂଜବଳଙ୍କ ଉଦ୍ୟମରେ ଚଢେଇ ଶିକାର ବନ୍ଦ ହୋଇଥିଲା। ଫଳରେ ୨୦୦୫-୦୬ରେ ମଙ୍ଗଳାଯୋଡ଼ିରେ ଚଢେ଼ଇ ସଂଖ୍ୟା ବୃଦ୍ଧି ପାଇଲା।
୨୦୦୯-୧୦ରେ ଇଣ୍ଡିଆନ୍ ଗ୍ରାମୀଣ ସର୍ଭିସ ଏଠାରେ ପହଞ୍ଚିଥିଲେ ଏବଂ ଆରବିଏସ୍ ଫାଉଣ୍ଡେସନ ଇଣ୍ଡିଆର ସହଯୋଗରେ ଗ୍ରାମବାସୀଙ୍କୁ ରୋଜଗାରର ପନ୍ଥା ଦେଖାଇଥିଲେ। ଫଳରେ ଏଠାରେ ଏକ ଇକୋ ଟୁରିଜିମ୍ କ୍ୟାମ୍ପସ୍ ତିଆରି କରାଗଲା। ପର୍ଯ୍ୟଟକଙ୍କ ପାଇଁ ରହିବା, ଖାଇବା ସହ ବୋଟିଂ ସୁବିଧା କରାଗଲା। ଏହାଦ୍ୱାରା ସ୍ଥାନୀୟ ଲୋକେ ସିଧାସଳଖ ରୋଜଗାର ପାଇଲେ। ଯେଉଁମାନେ ପକ୍ଷୀ ଶିକାର କରୁଥିଲେ ସେମାନେ ଗାଇଡ୍, ବୋଟ ମ୍ୟାନ୍, ହସ୍ପିଟାଲିଟି, ରୋଷେଇ ଆଦି କାର୍ଯ୍ୟରେ ନିୟୋଜିତ ହେଲେ। ଆଉ କେତେକ ଲୋକେ ଦୋକାନ କରି ଗୁଜୁରାଣ ମେଣ୍ଟାଇଲେ। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରୁ ଲୋକେ ଦି ପଇସା ଭଲଭାବେ ରୋଜଗାର କଲେ। ଏବେ ଏହି ଗାଁର ଅର୍ଥିକ ଅବସ୍ଥା ସୁଧୁରୁଛି। ପକ୍ଷୀ ଶିକାର ଅପବାଦରୁ ମୁକୁଳି ଏବେ ମଙ୍ଗଳାଯୋଡ଼ି ପକ୍ଷୀ ସୁରକ୍ଷା ଗ୍ରାମର ଆଖ୍ୟା ପାଇଛି।