କପିଳାସ ଭୂୟାଁ

“ନୋ ନିୟୁଜ ଇଜ ଗୁଡ ନିୟୁଜ” – ଅର୍ଥାତ କୌଣସି ଖବର କେବେ ବି ଭଲ ଖବର ନୁହେଁ। ବିଶେଷ କରି ସାମ୍ବାଦିକମାନଙ୍କ କ୍ଷେତ୍ରରେ ଏହି ଆପ୍ତ ବାକ୍ୟର ଅର୍ଥ ଅଧିକ ପ୍ରଯୁଜ୍ୟ।

ଖବର ଯେତିକି ଅଧିକ ଖରାପ ତାହା ସେତିକି ଅଧିକ ଖବର। କୌଣସି ଗୋଟିଏ ଗାଁର ଲୋକମାନେ ଏକାଠି ମିଶି ଗାଁକୁ ରାସ୍ତା ତିଆରି କଲେ, ବା ଗାଁ ପାଖ କେନାଲରେ ପୋଲ ତିଆରି କଲେ – ଏହା ନିଶ୍ଚିତ ରୂପେ ସେହି ଗାଁର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା। କିନ୍ତୁ ଏହି ଘଟଣାଟି ସମ୍ପୃକ୍ତ ଜିଲ୍ଲା ବା ରାଜ୍ୟ ପରିପ୍ରେକ୍ଷୀରେ ଆଦୌ ଖବର ପଦବାଚ୍ୟ ନୁହେଁ। ରାଜ୍ୟସ୍ତରୀୟ ଗଣମାଧ୍ୟମ ପାଇଁ କାମ କରୁଥିବା କୌଣସି ସାମ୍ବାଦିକ ଏହାକୁ ଖବର ବୋଲି ଆଦୌ ମାନେ କରିବ ନାହିଁ!

କିନ୍ତୁ, ଯଦି ସେହି ଗାଁରେ କାହାକୁ ବିଭତ୍ସ ଭାବେ ହତ୍ୟା କରାଗଲା, ତେବେ ସାମ୍ବାଦିକମାନେ ତାହାକୁ ଖବର ବୋଲି ମନେ କରିବେ ଓ ଘଟଣାଟିର ଏକ ଚାଞ୍ଚଲ୍ୟକର ବିବରଣୀ ପ୍ରସ୍ତୁତ କରି ତୁରନ୍ତ ତାହାକୁ ସଂପାଦକୀୟ କାର୍ଯ୍ୟାଳୟକୁ ପଠାଇ ଦେବେ। କହିବା ବାହୁଲ୍ୟ ଯେ, ଆମ ରାଜ୍ୟର ଖବର ଯେତେବେଳେ ବି ଜାତୀୟ ସ୍ତରର ଖବର ପାଲଟିଛି ତାହା କେବଳ ଖରାପ ଖବର ଯୋଗୁ।

ଅଶି ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ଯୌନ ବ୍ୟଭିଚାରକୁ ଇଲଷ୍ଟ୍ରେଟେଡ ୱିକ୍ଲି ପରି ପ୍ରସିଦ୍ଧ ପତ୍ରିକା ତାହାର ପ୍ରଚ୍ଛଦ କାହାଣୀ ରୂପେ ପ୍ରକାଶ କରିଥିଲା। ଗତ ଶତାବ୍ଦୀର ମଧ୍ୟ-ଅଶି ଦଶକରେ କଳାହାଣ୍ଡିର ଆଦିବାସୀ ଲୋକେ ଦିନକୁ ଓଳିଏ ଖାଇବାକୁ ପାଉନଥିବା ଖବର ସାରା ଦେଶର ହୃଦୟକୁ ତରଳାଇ ଦେଇଥିଲା। ଅଞ୍ଜନା ମିଶ୍ର ଗଣଧର୍ଷଣ ମାମଲା ଓ ପରବର୍ତ୍ତୀ ସମୟରେ ତହିଁରେ ତତ୍କାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ସମ୍ପୃକ୍ତି ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା।

ସେହି ପରି ୧୯୯୯ ମସିହାର ମହାବାତ୍ୟା ଆମ ରାଜ୍ୟକୁ ଯେଉଁଭଳି ଧ୍ଵଂସବିଧ୍ଵଂସ କରିଦେଲା ସେହି ଖବର ପାଇଁ କେବଳ ଜାତୀୟ ସ୍ତରରୁ ନୁହେଁ, ବରଂ ଆନ୍ତର୍ଜାତିକ ସ୍ତରୀୟ ସାମ୍ବାଦିକମାନେ ଆସି ଏଠାରେ ଖବର ସଂଗ୍ରହରେ ଲାଗି ପଡ଼ିଲେ। ଟିକିଏ ମନେ ପକେଇଲେ ଯେ କେହି ବି ଜାଣି ପାରିବେ ଯେ ଗତ ଦଶନ୍ଧି ମଧ୍ୟରେ କୋଇଲା ଦୁର୍ନୀତି, ଡାଲି ଦୁର୍ନୀତି, ଖଣି ଦୁର୍ନୀତି ଓ ସର୍ବୋପରି ଚିଟଫଣ୍ଡ ଦୁର୍ନୀତି ପରି ମହା ଦୁର୍ନୀତିଗୁଡିକ ଆମ ରାଜ୍ୟ ତଥା ଦେଶର ପ୍ରମୁଖ ଖବର ପାଲଟିଛି। ନିକଟରେ ଆଇଏଫଏସ ଅଫିସର ଅଭୟକାନ୍ତ ଓ ତାଙ୍କ ଠକ ପୁଅ ଏବଂ ସେମାନଙ୍କ ସହ ହାତ ମିଳେଇଥିବା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ୍ତ ପାଣିଗ୍ରାହୀଙ୍କ ଦୁର୍ନୀତି  ଆମ ରାଜ୍ୟର ବଡ଼ ଖବର ପାଲଟିଛି। ସେହି ଭଳି ଏକାଧିକ ସରକାରୀ ଅଫିସରଙ୍କର କୋଟିକୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଧରପଗଡ଼ ଖବର ପ୍ରାୟ ସବୁ ଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି।

ଉପରୋକ୍ତ ଉଦାହରଣଗୁଡ଼ିକରୁ ମାନେ ହୋଇପାରେ ଯେ ସମାଜରେ ଘଟୁଥିବା ଘଟଣାଗୁଡ଼ିକ ଖବର ପାଲଟିବା ପାଇଁ ଖରାପ ହେବା ଜରୁରୀ। ଖବର ଛାପୁଥିବା ଖବର କାଗଜ ବା ଟେଲିକାଷ୍ଟ କରୁଥିବା ଟିଭି ଚାନେଲଗୁଡ଼ିକ କ୍ଷେତ୍ରରେ ଏହା ନିଶ୍ଚୟ ପ୍ରଯୁର୍ଜ୍ୟ। କାରଣ ଲୋକେ ଚାଞ୍ଚଲ୍ୟକର ଓ ଚମକପ୍ରଦ ଖବର ଜାଣିବାକୁ ଅଧିକ ଆଗ୍ରହୀ।

କିନ୍ତୁ ବାସ୍ତବ ଦୃଷ୍ଟିରୁ ବିଚାର କଲେ ଦେଶ, ରାଜ୍ୟ ବା ଜିଲ୍ଲାର ପ୍ରତ୍ୟେକ ସ୍ତରରେ ପ୍ରତିଦିନ ବହୁତ ଭଲ ଘଟଣା ଘଟେ। ତାହା ମଣିଷର ମାନବିକତା, ସ୍ନେହା, ପ୍ରେମ ଇତ୍ୟାଦି ଭାବ ଓ ଗୁଣକୁ ବହୁଗୁଣିତ କରେ ଓ ଏକ ଉତ୍ତମ ସାମାଜିକ ବାତାବରଣ ସୃଷ୍ଟି କରିବାରେ ସକ୍ଷମ କରେ। କିନ୍ତୁ ସେଭଳି ଘଟଣାଗୁଡ଼ିକୁ ଖବର ରୂପେ ପ୍ରକାଶ କରିବାକୁ ଆଦୌ କୌଣସି ଗୁରୁତ୍ଵ ଦିଆଯାଏ ନାହିଁ। ଏହା ଦ୍ଵାରା ଏକ ବିକୃତ ସମାଜ ବ୍ୟବସ୍ଥା ମୁଣ୍ଡ ଟେକି ଉଠେ।

ଖବର କାଗଜ ଓ ଟିଭି ଚାନେଲଗୁଡିକର ସମ୍ପାଦକ, ପରିଚାଳକ ଓ ସାମ୍ବାଦିକମାନେ ସତର୍କତାର ସହିତ ଏହି ଦିଗଟି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଚାଞ୍ଚଲ୍ୟକର ଖବର ସହିତ ସମାନୁପାତିକ ଭାବେ ଭଲ ଖବରକୁ ଟେଲିକାଷ୍ଟ ଓ ପ୍ରକାଶ କରିବା ଦ୍ଵାରା ତାହା ଏକ ସୁସ୍ଥ ଓ ଗଠନମୂଳକ ସମାଜ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହୋଇ ପାରିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here