ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଇସିୟୁରେ ରହିଛି କାଳିଆ
  • ନାକପଟେ ଦିଆଯାଉଛି ତରଳ ଖାଦ୍ୟ
  • ଜଗା ସ୍ୱାସ୍ଥ୍ୟରେ ଘଟୁଛି ଦ୍ରୁତ ପରିବର୍ତ୍ତନ

ଦିଲ୍ଲୀ ଏମ୍‌ସରୁ ଶନିବାର ସନ୍ଧ୍ୟାରେ ଆସିଛି ଖୁସି ଖବର। ସୁଧୁରୁଛି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ। ଜଗା ପରେ କାଳିଆ ଆଜି ବାହାରିଛି ଭେଣ୍ଟିଲେଟରରୁ। କାଳିଆକୁ ଆଇସିୟୁରେ ରଖାଯାଇଛି। ନାକପଟେ ତରଳ ପଦାର୍ଥ ଦିଆଯାଉଛି। ଏପଟେ ଜଗା ସାଧାରଣ ୱାର୍ଡରେ ରହି ମେଡିକାଲ କର୍ମଚାରୀଙ୍କ ସହ ବଲ୍ ଖେଳୁଛି।

ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍‌ ପରେ ଜଗା ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଘଟିଥିଲା। ଅପରେସନ୍‌ର ଅଳ୍ପ ଦିନରେ ଜଗାକୁ ଭେଣ୍ଟିଲେଟରରୁ ଆଇସିୟୁ ଏବଂ ପରେ ସାଧାରଣ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଜଗା ଗୋଡ଼-ହାତ ହଲାଇବା ସହ ମାଆ କୋଳରେ ବସି ଗୀତ ଶୁଣୁଥିବା ଖବର ଆସିଥିଲା। ଏପରିକି ଜଗା ଭାତ, ଡାଲି ଏବଂ ଅଣ୍ଡା ଖାଉଥିବା ଜଣାପଡ଼ିଥିଲା।

ହେଲେ କାଳିଆର ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ଜଗା ଅପେକ୍ଷା କାଳିଆ ମାନ୍ଦା ହୋଇଯାଇଥିବା ଏମ୍‌ସ ସୂତ୍ରରୁ ଜଣାପଡ଼ିଥିଲା।

ଅକ୍ଟୋବର ୨୫ରେ ଉଭୟଙ୍କର ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍ ହୋଇଥିଲା। ୧୧ ଘଣ୍ଟା ଅପରେସନ୍ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ୭୨ ଘଣ୍ଟା ଅବଭର୍ଭସେନରେ ରଖାଯାଇଥିଲା।

ଅଗଷ୍ଟ ୨୮ରେ ଜଗା-କାଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ୍ କରାଯାଇଥିଲା। ଜାପାନରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଆସି ଅପରେସନ୍‌ରେ ସାମିଲ୍‌ ହୋଇଥିଲେ। ଏପଟେ ଜଗା-କାଳିଆଙ୍କ ଦ୍ରୁତ ଆରୋଗ୍ୟ କାମନା କରି ଓଡ଼ିଶାରେ କରାଯାଇଥିଲା ପୂଜାର୍ଚ୍ଚନା। ଜଗା-କାଳିଆଙ୍କ ଅପରେସନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଦିଆଯାଇଥିଲା।

 

Comment