ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାରେ ବିଜୟ ବାନା ଉଡ଼ାଇବାକୁ ଏବେଠୁ ପ୍ରସ୍ତୁତ ହେଲାଣି ଶାସକ ଦଳ ବିଜେଡି।

ଆଉ ମାସ କେଇଟା ପରେ ଓଡ଼ିଶାରେ ହେବ ପୌର ଆଉ ପଞ୍ଚାୟତ ନିର୍ବାଚନ; ହେଲେ ଏବେଠୁ ପଶ୍ଚିମ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବା ଆରମ୍ଭ କରିଛି ଶାସକ ବିଜେଡି। ବିରୋଧୀମାନଙ୍କୁ ମାତ୍ ଦେଇ ଦଳ ପଶ୍ଚିମ ଓଡ଼ିଶାରେ ସବୁଜ ପତାକା ଉଡ଼ାଇବାକୁ ଲକ୍ଷ୍ୟ ରଖିଥିବା ଏବେ ରାଜନୈତକ ମହଲରେ ଚର୍ଚ୍ଚା ହେଉଛି।

ରାଜ୍ୟ ରାଜନୀତିର ଗ୍ରାଫକୁ ଦେଖିଲେ ଆପଣ ଜାଣିପାରିବେ ଯେ, ୨୧ ବର୍ଷର ଶାସନ ପରେ ବି ପଶ୍ଚିମ ଓଡ଼ିଶାରେ ବିଜେଡିର ସଙ୍ଗଠନ ସେତେଟା ସୁଦୃଢ଼ ହୋଇପାରିନି। ଗତ ସାଧାରଣ ନିର୍ବାଚନରେ ବି ବିଜେପି ଏଠାରୁ ୫  ଲୋକସଭା ଆସନ ହାତେଇଥିଲା, ଯାହା ବିଜେଡି ପାଇଁ ଶକ୍ତ ଧକ୍କା ଥିଲା। ଏହାପରେ ଗତ ପଞ୍ଚାୟତ ନିର୍ବାଚନରେ ବି ବିଜେପିର ବଳ ବଢ଼ିଛି।  କଂଗ୍ରେସକୁ ଚକମା ଦେଇ ଦଳ ରାଜ୍ୟ ରାଜନୀତିରେ ଦ୍ୱିତୀୟ ସ୍ଥାନକୁ ଲମ୍ଫ ମାରିଛି। ଯାହା ବିଜେଡିକୁ ଚିନ୍ତାରେ ପକାଇବା ସହିତ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ବିଷୟରେ ଭାବିବାକୁ ବାଧ୍ୟ କରିଛି।ଫୋକସରେ ଯୁବ ଭୋଟର

ପୌର ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବାକୁ ବିଜେଡି ଏବେ ଯୁବ ଭୋଟରଙ୍କୁ ଫୋକସ୍ କରିଛି। ଏଥିପାଇଁ ଦଳ ପକ୍ଷରୁ ଗତ କିଛି ଦିନ ତଳେ ଝାରସୁଗୁଡ଼ା ସହିତ ସମ୍ବଲପୁର, ବରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ରାଉରକେଲା ଆଦି ଅଞ୍ଚଳରେ ଛାତ୍ର-ଯୁବ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଦଳକୁ କିଭଳି ‘ଗ୍ରାଉଣ୍ଡ ଜିରୋ’ରେ ଶକ୍ତିଶାଳୀ କରାଯାଇପାରିବ ସେନେଇ ମାନସମନ୍ଥନ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ଆଗାମୀ ଦିନରେ ପ୍ରତି ପଞ୍ଚାୟତର ଦାୟିତ୍ୱ ଜଣେ ଜଣେ ଯୁବ ନେତାଙ୍କ ହାତରେ ଦିଆଯିବ। ଏମାନେ ପୌର ନିର୍ବାଚନ ସହିତ ୨୦୨୪ରେ ବିଜେଡି ସରକାର ଗଠନ କରିବାକୁ କାମ କରିବେ ବୋଲି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଘୋଷଣା କରିଛନ୍ତି।ବିଜେପିକୁ ଚକମା ଦେବାକୁ ଅଙ୍କକଷା

ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶାରେ ବିଜେପିର ସଙ୍ଗଠନ ଯଥେଷ୍ଟ ସୁଦୃଢ଼। ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ବି ବିଜେପି ପଶ୍ଚିମ ଓଡ଼ିଶାରେ ବେଶ ସଫଳତା ପାଇଥିଲା। ନିର୍ବାଚନରେ ୨୧ ଲୋକସଭା ଆସନରୁ ବିଜେପି ଖାତାକୁ ୮ଟି ସିଟ୍ ଯାଇଥିବାବେଳେ ସେ ଭିତରୁ ୫ଟି ସିଟ୍ କେବଳ ପଶ୍ଚିମ ଓଡ଼ିଶାରୁ ଥିଲା।

ଏହି ଧାରାକୁ ଏବେ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ଶାସକ ବିଜେଡି। ପଶ୍ଚିମ ଓଡ଼ିଶାରେ ନିଜ ସଙ୍ଗଠନ ସଜାଡ଼ିବା ସହିତ ପୌର ଓ ପଞ୍ଚାୟତ ନିର୍ବାଚନରେ ବାଜିମାତ୍ କରିବାକୁ ଦଳ ଲକ୍ଷ୍ୟ ରଖିଛି।ଅସିତଙ୍କୁ ନୂଆ ଦାୟିତ୍ୱ

ପଶ୍ଚିମ ଓଡ଼ିଶା ରାଜନୀତିରେ ଏବେ ଆଉ ଗୋଟିଏ ନୂଆ ନାଁ ଜନ୍ମନେଇଛି। ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅସିତ୍ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ସେଠାରେ ସେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ଓ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ।

ନବୀନଙ୍କ ଅନୁଗତ ଗୋଷ୍ଠୀରେ ଅସିତଙ୍କ ନାଁ ଥିବାରୁ ଏହା ବିଜେଡି ପାଇଁ ଲାଭଦାୟକ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଅସିତଙ୍କ ନିଜ ଘର ବଲାଙ୍ଗିର ଜିଲ୍ଲାରେ ହୋଇଥିବାରୁ ଏହା ପଶ୍ଚିମ ଓଡ଼ିଶା ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି।ଗତ ୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରେ ମୋଦୀ ହାୱା ବୋହିଥିଲା। ଓଡ଼ିଶାରେ କିନ୍ତୁ ନବୀନ ହାୱାକୁ ଏହା କାଟି ପାରିନଥିଲା। ଫଳସ୍ୱରୂପ ନିର୍ବାଚନରେ ୨୧ଟି ଆସନରୁ ବିଜେଡି ୨୦ଟି ସିଟ୍ ହାତେଇଥିବାବେଳେ କେବଳ ସୁନ୍ଦରଗଡ଼ ଲୋକସଭା ଆସନ ବିଜେପି ଖାତାକୁ ଯାଇଥିଲା। ବିଧାନସଭାରେ ମଧ୍ୟ ଦଳ ବିପୁଳ ବିଜୟ ହାସଲ କରିଥିଲା।

୨୦୧୯ରେ କିନ୍ତୁ ବିଜେପି ରାଜ୍ୟରେ ଭଲ ପ୍ରଦର୍ଶନ କରିଥିଲା। ୮ ଜଣ ବିଜେପି ପ୍ରାର୍ଥୀ ଲୋକସଭା ଆସନରେ ବିଜୟୀ ହୋଇଥିଲେ। ଏହାଭିତରେ ଥିଲା ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର ଓ କଳାହାଣ୍ଡି ଭଳି ସଂସଦୀୟ କ୍ଷେତ୍ର। ବିଧାନସଭା ନିର୍ବାଚନରେ ବି ଦଳ କଂଗ୍ରେସକୁ କାଟି ଦ୍ୱିତୀୟ ସ୍ଥାନକୁ ଡିଆଁ ମାରିଥିଲା। ଯାହା ଶାସକ ବିଜେଡି ପାଇଁ ମୁଣ୍ଡବିନ୍ଧା ହୋଇଥିବାବେଳେ ବିଜେପି ଶିବିରରେ ଉତ୍ସାହ ଖେଳାଇଥିଲା। ଆଗକୁ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଏବେଠୁ ପଶ୍ଚିମ ଓଡ଼ିଶାରେ ବିଜୟ ବାନା ଉଡ଼ାଇବାକୁ ବିଜେଡି କସରତ କରିବା ଆରମ୍ଭ ହୋଇଛି।

Comment