ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି।
୨୦୨୧-୨୨ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସର୍ଭେରେ ଜଣାପଡ଼ିଛି ଯେ, ୨୦୨୧-୨୨ ବର୍ଷରେ ଦେଶର ଅଭିବୃଦ୍ଧି ହାର (ଜିଡିପି) ୧୧ ପ୍ରତିଶତ ରହିବ। ଏହାସହିତ ୨୦୨୦ରେ କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ମାନ୍ଦା ହୋଇପଡ଼ିଥିବା ଏଥିରେ କୁହାଯାଇଛି। ତେବେ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ କ’ଣ ଜାଣନ୍ତୁ।
ବଜେଟ୍ ଆଣିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅର୍ଥନୀତି ବିଶେଷଜ୍ଞମାନଙ୍କ ମତାମତ ଲୋଡ଼ିଥାନ୍ତି। ବଜେଟର ରୂପରେଖ କ’ଣ ହେବ ଏବଂ କାହା ଉପରେ ଫୋକସ୍ ଦେଲେ ଭଲ ହେବ ସେ ବିଷୟରେ ଆଲୋଚନା କରିଥାନ୍ତି। ଅର୍ଥନୀତି ବିଶେଷଜ୍ଞ ଏବଂ ପରାମର୍ଶଦାତାଙ୍କ ମତାମତକୁ ଆଧାର କରି ଏକ ରିପୋର୍ଟ ତିଆରି କରାଯାଏ। ଏହାକୁ ‘ଅର୍ଥନୈତିକ ସର୍ଭେ ରିପୋର୍ଟ’ କୁହାଯାଏ।
ଏହି ରିପୋର୍ଟ ମୁଖ୍ୟ ଅର୍ଥନୀତି ପରାମର୍ଶଦାତା ତିଆରି କରିଥାନ୍ତି।
ବଜେଟ୍ ଅଧିବେଶନ ଆରମ୍ଭରୁ ହିଁ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରିଥାନ୍ତି ଅର୍ଥମନ୍ତ୍ରୀ।
ପୂର୍ବ ବର୍ଷର ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହାସହ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର କେମିତି ରହିବ ତାହା ମଧ୍ୟ ଏହି ରିପୋର୍ଟରୁ ଜଣାପଡ଼ିଥାଏ।
ଏହାସହ ବଜେଟର ରୂପରେଖ କ’ଣ ହେବ ଏବଂ ସରକାର କେଉଁ ସେକ୍ଟରକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି ତାହା ମଧ୍ୟ ଏହି ରିପୋର୍ଟରୁ ଜଣାପଡ଼ିଥାଏ।
୧୯୫୦-୫୧ ଆର୍ଥିକ ବର୍ଷରୁ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଉପସ୍ଥାପିତ ହୋଇ ଆସୁଛି। ୧୯୬୪ ମସିହା ଯାଏଁ ଏହା ବଜେଟ୍ ଆଗତ ଦିନ ହିଁ ଉପସ୍ଥାପିତ ହୋଇ ଆସୁଥିଲା। ୧୯୬୪ ମସିହା ପରଠୁ ଅର୍ଥନୈତିକ ସର୍ଭେ ରିପୋର୍ଟ ବଜେଟ୍ ଆଗତ ହେବାର ପୂର୍ବଦିନ ଲୋକସଭାରେ ଉପସ୍ଥାପିତ କରାଯାଉଛି।
















