ଓଡ଼ିଶାଲାଇଭ୍ ବ୍ୟୁରୋ
- ବଜେଟରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ପାଇଁ ପ୍ରମୁଖ ପଦକ୍ଷେପ ଘୋଷଣା
- ଉଜ୍ଜ୍ୱଳା ଯୋଜନାରେ ଅଧିକ ୧ କୋଟି ହିତାଧିକାରୀ ହେବେ ସାମିଲ
- ଜମ୍ମୁ ଓ କଶ୍ମୀରରେ ହେବ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ
- ସ୍ୱାଧୀନ ଗ୍ୟାସ ପରିବହନ ବ୍ୟବସ୍ଥା ପ୍ରତିଷ୍ଠା ହେବ
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୋମବାର ସଂସଦରେ ବଜେଟ ଆଗତ ହୋଇଛି। ବର୍ତ୍ତମାନ ସମୟରେ ଲୋକମାନଙ୍କ ଜୀବନରେ ଇନ୍ଧନ ଆବଶ୍ୟକତାର ଗୁରୁତ୍ୱ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କାଳରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ନିମନ୍ତେ କେତେକ ପ୍ରମୁଖ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହିସବୁ ଘୋଷଣା;
- ଆଠ କୋଟି ପରିବାରକୁ ସୁବିଧା ଯୋଗାଇ ସାରିଥିବା ଉଜ୍ଜ୍ୱଳା ଯୋଜନାକୁ ଆଉ ୧ କୋଟି ହିତାଧିକାରୀଙ୍କ ନିମନ୍ତେ ସଂପ୍ରସାରିତ କରାଯିବାକୁ ବଜେଟରେ ଘୋଷଣା କରାଯାଇଛି।
- ଆଗାମୀ ତିନିବର୍ଷ ମଧ୍ୟରେ ସହର ଗ୍ୟାସ ବଣ୍ଟନ ନେଟୱାର୍କରେ ଦେଶର ଆଉ ୧୦୦ଟି ସହର ଅନ୍ତର୍ଭୁକ୍ତ ହେବ।
- କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏକ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ହାତକୁ ନିଆଯିବ।
- ସୁବିଧା ଓ ସମନ୍ୱୟ ଦୃଷ୍ଟିରୁ ଏକ ସ୍ୱାଧୀନ ଗ୍ୟାସ ପରିବହନ ସିଷ୍ଟମ ଅପରେଟର ଆରମ୍ଭ କରାଯିବ। ସମସ୍ତ ପ୍ରାକୃତିକ ଗ୍ୟାସ ପାଇପ ଲାଇନରେ କମନ କ୍ୟାରିଅର କାପାସିଟି ବୁକିଂ ଦୃଷ୍ଟିରୁ କୌଣସି ବାଛ ବିଚାର ନକରି ନିରପେକ୍ଷ ଢଙ୍ଗରେ ଏହା କରାଯିବ।