ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାଳରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୋମବାର ସଂସଦରେ କେନ୍ଦ୍ର ବଜେଟ ଆଗତ ହୋଇଛି। କରୋନା ମାଡ଼ରେ ଦୁର୍ବଳ ହୋଇପଡ଼ିଥିବା ଅର୍ଥନୀତିକୁ ଏହି ବଜେଟ ମାଇଲେଜ ଦେବ ବୋଲି କେନ୍ଦ୍ର ସରକାର କହୁଛନ୍ତି। କିନ୍ତୁ ଓଡ଼ିଶା ପାଇଁ ଏହି ବଜେଟ ନିରାଶଜନକ ହୋବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗରୁ ଓଡ଼ିଶା ୧୦ ହଜାର ୮୪୦ କୋଟି ହରାଇବ। ତେଣୁ ରାଜ୍ୟ ରାଜକୋଷ ଉପରେ ଏହା ବେଶ ନକରାତ୍ମକ ପ୍ରଭାବ ପକାଇବ ବୋଲି ନବୀନ ପ୍ରତିକ୍ରିୟାରେ କହିଛନ୍ତି।ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ କେନ୍ଦ୍ର ଟିକସରେ ରାଜ୍ୟର ଭାଗ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ କମିବ। ଏହାଦ୍ୱାରା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାକୁ ୪.୫୨୮ହାରରେ କେନ୍ଦ୍ରୀୟ ଟିକସର ଭାଗ ମିଳିବ। ଚତୁର୍ଦ୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨ ପ୍ରତିଶତ ରାଜ୍ୟମାନଙ୍କୁ ଦେବାପାଇଁ ସୁପାରିସ କରିଥିଲେ। କିନ୍ତୁ ପଞ୍ଜଦଶ ଅର୍ଥ କମିସନ ଏହାକୁ ୪୧ ପ୍ରତିଶତକୁ କମାଇ ଦେଇଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଟିକସ ଭାଗରେ ୧ ପ୍ରତିଶତ ହ୍ରାସ ପାଇଥିବାରୁ ଓଡ଼ିଶାର ରାଜକୋଷ ଉପରେ ଏହା ବିଶେଷ ପ୍ରଭାବ ପକାଇବ।

ସେହିପରି ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରାଯାଇଥିବାରୁ ନବୀନ ଆପତ୍ତି ପ୍ରକାଶ କରିଛନ୍ତି। ରେଳବାଇ ଓ ଜାତୀୟ ରାଜପଥର ବିକାଶ ପାଇଁ ଓଡ଼ିଶାକୁ ଅଧିକ ଅନୁଦାନ ମିଳିବ ବୋଲି ଆଶା କରାଯାଇଥିଲା। କିନ୍ତୁ ଓଡ଼ିଶାର ପଡ଼ୋଶୀ ରାଜ୍ୟମାନଙ୍କୁ ଏହି କ୍ଷେତ୍ରରେ ଭଲ ଅନୁଦାନ ମିଳିଥିବା ବେଳେ ଓଡ଼ିଶାକୁ କେନ୍ଦ୍ର ସରକାର ଭୁଲି ଯାଇଥିବା ନବୀନ କହିଛନ୍ତି।  ଅନ୍ୟପଟେ ଚଳିତ କେନ୍ଦ୍ର ବଜେଟର କିଛି ଭାଗରେ ଓଡ଼ିଶା ପାଇଁ ସନ୍ତୋଷଜନକ ଥିବା ନବୀନ କହିଛନ୍ତି। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଭଲ ଅନୁଦାନ ମିଳିଛି। ପଞ୍ଚଦଶ ଅର୍ଥ କମିସନ ପୁରୀ ଶ୍ରୀମନ୍ଦିର ପାଇଁ ୧୭୫କୋଟି ସୁପାରିସ କରିଛନ୍ତି। ଶ୍ରୀମନ୍ଦିର ଓ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ବାତ୍ୟା ପ୍ରବଣ ଅଞ୍ଚଳପାଇଁ ୱାର୍ଣ୍ଣିଂ ସେଣ୍ଟର ବାବଦରେ ୮ଶହ କୋଟି ଟଙ୍କା ଆସିବ। ବାରବାଟୀ ଦୁର୍ଗ ଓ ପାରିପାର୍ଶ୍ୱିକ ଏତିହ୍ୟସ୍ଥଳୀର ବିକାଶ ପାଇଁ ୧୫୦କୋଟି, ସମ୍ବଲପୁର ପୌରାଞ୍ଚଳର ଡ୍ରେନେଜ ବ୍ୟବସ୍ଥା ପାଇଁ ୧୫୦କୋଟି, ନବରଙ୍ଗପୁର କେନ୍ଦୁଗୁଡା ନିକଟରେ ଇନ୍ଦ୍ରାବତୀ ଉପରେ ଉଚ୍ଚତମ ସେତୁ ପାଇଁ ୧୫୦କୋଟି ଟଙ୍କା, ହୀରାକୁଦ ବନ୍ଦର ବିକାଶ, ମହାନଦୀ ଉପରେ ସେତୁ, ହୀରାକୁଦ ନିକଟରେ ଏୟାରଷ୍ଟ୍ରିପ୍ ବିକାଶ ପାଇଁ ୨୦୦କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମିଳିବ।କେନ୍ଦ୍ର ବଜେଟରେ ଓଡ଼ିଶାର ଛାପ

ଚଳିତ କେନ୍ଦ୍ରୀୟ ବଜେଟରେ ଓଡ଼ିଶା ବଜେଟର ଛାପ ରହିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ଗତ ବର୍ଷ ଓଡ଼ିଶା ବଜେଟକୁ ଡିଜିଟାଲ ଭାବେ ପେପରଲେସ୍ କରାଯାଇଥିଲା। ଏଥର କେନ୍ଦ୍ର ବଜେଟରେ ସମାନ ପ୍ରତିଫଳନ ହୋଇଛି। ସେହିପରି ଓଡ଼ିଶାର ମିଶନଶକ୍ତି, ମମତା ଯୋଜନାକୁ ଚଳିତ ବଜେଟରେ କେନ୍ଦ୍ର ଅନୁକରଣ କରିଥିବା ନବୀନ କହିଛନ୍ତି।

Comment