ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ପିଏମ୍ ଏସଭିଏ ନିଧି ଯୋଜନା ସମ୍ପର୍କରେ ଜାଣି ପାରୁ ନାହାନ୍ତଁ ରାୟଗଡ଼ା ଜିଲ୍ଲାର ଉଠା ଦୋକାନୀ। ଫଳରେ ଏହି ଯୋଜନାର ଲାଭ ଉଠାଇ ପାରୁନାହାଁନ୍ତି।
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା କାଳରେ ସବୁ ବର୍ଗ ଲୋକଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି। ଲକଡାଉନ ସଟଡାଉନ ଫଲରେ ରୋଜଗାର ହରାଇଛନ୍ତି ଅଧିକାଂଶ ଶ୍ରମଜୀବୀ। ଛୋଟ ବ୍ୟବସାୟୀ ତଥା ଉଠା ଦୋକାନୀମାନଙ୍କୁ କରୋନା ମାଡ ଆର୍ଥିକ ରୂପେ କ୍ଷତିଗ୍ରସ୍ତ କରିଛି। ଏଥିଯୋଗୁଁ ଅନେକ ରାସ୍ତକଡ ଉଠା ଦୋକାନୀ ନିଜ ବ୍ୟବସାୟ ହରାଇଛନ୍ତି। ତେବେ ମହାମାରୀ ପ୍ରକୋପରୁ ଏହି ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପିଏମ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ବା ପିଏମ ଏସ୍ଭିଏନିଧି ନାମକ ଯୋଜନା ଘୋଷଣା କରିଥିଲେ।
ଯଦ୍ୱାରା ସହରାଞ୍ଚଳରେ ରାସ୍ତାକଡ ଉଠା ଦୋକାନ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ସେମାନଙ୍କ ବ୍ୟବସାୟ ସଠିକ ପରିଚାଳନା ନିମନ୍ତେ ୭ ପ୍ରତିଶତ ସୁଧ ହାରରେ ୧୦ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଯୋଗେ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରହିଥିଲା। ଏଥିନିମନ୍ତେ ଅନଲାଇନ ଯୋଗେ ତଥା ଅଫଲାଇନ ଦ୍ୱାରା ପୌରପରିଷଦରେ ପଞ୍ଜିକୃତ ହୋଇଥିବା ଉଠା ଦୋକାନୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା।
ତେବେ ଯୋଜନା ସଂକ୍ରାନ୍ତରେ ସଚେତନତା ନଥିବାରୁ ରାୟଗଡ଼ା ପୌରାଞ୍ଚଳର ଅନେକ ଉଠା ବ୍ୟବସାୟୀ ହିତାଧିକାରୀ ଥିବା ସତ୍ତ୍ୱେ ଯୋଜନାର ଆଶାନୁରୂପ ସୁଫଳ ପାଇ ପାରୁନାହାନ୍ତି। ସୂଚନା ମୁତାବକ, ପୌରାଞ୍ଚଳ ଅଧିନରେ ୯୪୦ଟି ଉଠା ବ୍ୟବସାୟୀ ପଞ୍ଜିକରଣ ହୋଇଥିବାବେଳେ ଯୋଜନା ଅନ୍ତର୍ଗତ ୩୫୦ଜଣ ବ୍ୟବସାୟୀ ଋଣ ପାଇଁ ଅବେଦନ କରିଥିବା ସୂଚନା ମିଳିଛି।
ତେବେ ଏମାନଙ୍କ ମଧ୍ୟରୁ ୧୫୬ଜଣଙ୍କୁ ବ୍ୟଙ୍କ ଋଣ ପ୍ରଦାନ କରିଥିବାବେଳେ ବଳକା ବ୍ୟବସାୟୀଙ୍କ ଅବେଦନପତ୍ର ପଡ଼ିରହିଛି। ଯୋଜନା ସମ୍ପର୍କରେ ବ୍ୟବସାୟୀଙ୍କ ମଧ୍ୟରେ ସଚେତନତା ନଥିବାରୁ ଅବେଦନ କମ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ପୌରପାଳିକା ଅଧିକାରୀ ଏଥିପ୍ରତି ବ୍ୟବସାୟୀଙ୍କୁ ସଚେତନତା କରିବାରେ ସକ୍ଷମ ହୋଇ ନଥିବାରୁ ଯୋଜନାର ସୁଫଳ ପାଇବାରୁ ଅନେକ ହିତାଧିକାରୀ ବଞ୍ଚିତ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।