ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ମାଘ ସପ୍ତମୀ ଅବସରରେ ପ୍ରତିବର୍ଷ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତ ବୁଡ଼ ପକାନ୍ତି। କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା ବୁଡ଼ ଓ ସୂର୍ଯ୍ୟଙ୍କ ପହିଲି ଦର୍ଶନ ବନ୍ଦ କରି ଦିଆଯାଇଛି। ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି।
୧୯ରେ ମାଘ ସପ୍ତମୀ ପଡ଼ୁଥିବାରୁ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ ଟାଠାରୁ ୧୯ ତାରିଖ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଭବତାରଣ ସାହୁ ୧୪୪ ଧାରା ଜାରି କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଗତ ୩୦ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କେବଳ ସର୍ବାଧିକ ପାଞ୍ଚ ଶହ ବ୍ୟକ୍ତିଙ୍କ ଉପସ୍ଥିତିରେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ସମ୍ପନ୍ନ ହେବ।
ଅନ୍ୟପଟେ ଏହି କଟକଣାର ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।