ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଘନ୍ୟ ଅପରାଧ କରିଥିବା ବ୍ୟକ୍ତିଙ୍କୁ ଆମ ଦେଶରେ ମୃତ୍ୟୁଦଣ୍ଡ ଦିଆଯାଏ। ଦେଶ ସ୍ୱାଧୀନ ହେବା ପରଠାରୁ ଏଯାଏଁ ଆମ ଦେଶରେ ଅନେକଙ୍କୁ ଫାଶୀଦଣ୍ଡ ମିଳିଛି। ଦେଶରେ ଫାଶୀ ପାଇଥିବା ଲୋକଙ୍କ ତାଲିକାରେ କିନ୍ତୁ କୌଣସି ମହିଳାଙ୍କ ନାଁ ନାହିଁ। ଏବେ କିନ୍ତୁ ଦେଶରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ପ୍ରଥମ ଥର ଦେଶରେ ଜଣେ ମହିଳା ଫାଶୀ ପାଇବେ। ଏହି ମହିଳା ହେଉଛନ୍ତି ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର ଶବନମ।

୨୦୦୮ରେ ରଚିଥିଲେ ଜଘନ୍ୟ ହତ୍ୟାକାଣ୍ଡ

ଶବନମଙ୍କର ଗାଁର କମ୍‌ ପାଠ ପଢିଥିବା ଜଣେ ଯୁବକଙ୍କ ସହ ତା’ର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ପରିବାର ଲୋକ ଏହାକୁ ବିରୋଧ କରୁଥିଲେ। ପରିବାର ଲୋକଙ୍କ ବିରୋଧକୁ ସହଜରେ ଗ୍ରହଣ କରିପାରି ନଥିଲେ। ପ୍ରେମକୁ ପାଇବା ପାଇଁ ସେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ୨୦୦୮ରେ  ନିଜ ବାପା-ମା’ଙ୍କ ସମେତ ୭ ଜଣଙ୍କୁ ହତ୍ୟା କରିଥିଲେ। ପୋଲିସ ତଦନ୍ତ ପରେ ସେ ହତ୍ୟାକାରୀ ଜଣାପଡ଼ିଥିଲା।

ଅମରୋହ ଅଦାଳତରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୦ରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ଶବନମ ଦଣ୍ଡ କୋହଳ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଁ ଏବେ ସୁପ୍ରିମକୋର୍ଟ ନିମ୍ନ ଅଦାଲତର ରାୟକୁ କାଏମ ରଖିଛନ୍ତି। ତେବେ ଶବନମଙ୍କୁ କେବେ ଫାଶୀ ଦିଆଯିବ ତାହା ଜଣାପଡ଼ିନାହିଁ।

ଏପେଟେ କିନ୍ତୁ ଶବନମ୍‌ଙ୍କୁ ଫାଶୀ ଦେବାପାଇଁ ସଜବାଜ ହେଉଛି ଉତ୍ତରପ୍ରଦେଶର ମଥୁରା ଜେଲ୍। ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦେଇଥିବା ମେରଟର ପୱନ ଜହ୍ଲାଦ ଏହା ମଧ୍ୟରେ ଦୁଇଥର ଫାଶୀ ଗୃହ ଯାଞ୍ଚ କରିସାରିଲେଣି। ଫାଶୀରେ ବ୍ୟବହୃତ ଦଉଡ଼ି ବିହାରର ବକ୍ସରରୁ ମଗା ଯାଇଥିବା ଜଣାପଡ଼ିଛି।

“ଫାଶୀ ଦେବାର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ଆମେ ପ୍ରସ୍ତୁତି ଆରମ୍ଭ କରି ସାରିଛୁ। ମୃତ୍ୟୁ ୱାରେଣ୍ଟ ଜାରି ହେବା ମାତ୍ରେ ଶବନମ୍‌ଙ୍କୁ ଫାଶୀ ଦିଆଯିବ”, କହିଛନ୍ତି ମଥୁରା ଜେଲ ଅଧିକାରୀ ଶୈଳେନ୍ଦ୍ର କୁମାର ମୈତ୍ରେୟ।

ପ୍ରାୟ ୧୫୦ବର୍ଷ ପୂର୍ବେ ମଥୁରା ଜେଲରେ ପ୍ରଥମ ମହିଳା ଫାଶୀ ଘର ତିଆରି ହୋଇଥିଲା। କିନ୍ତୁ ସ୍ୱାଧୀନତା ପରଠାରୁ କୌଣସି ମହିଳାଙ୍କୁ ଫାଶୀ ଦିଆ ଯାଇନାହିଁ।

Comment