ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ଉତ୍ତରପ୍ରଦେଶର ଦେବରିଆରେ କୋକେଇ ବାବା ଓରଫ ରାଜନ ଯାଦବ ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଦେବରିଆ ଆସନରୁ ହେଉଥିବା ଉପନିର୍ବାଚନ ପାଇଁ ସେ ପ୍ରାର୍ଥୀ ହୋଇଛନ୍ତି। ସବୁଠୁ ଖାସ୍ କଥା ହେଉଛି, କୋକେଇ ଉପରେ ବସି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇ ଏବେ ସେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ କୋକେଇ ବାବା ୧୧ ଥର ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ଜଣାପଡ଼ିଛି।

ଦେବରିଆ ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବାକୁ ରାଜନ ଏକ କୋକେଇରେ ଯାଇଥିଲେ। ଏହି ସମୟରେ ସେ ‘ରାମ ନାମ ସତ୍ୟ ହେ’ କହି କହି ଯାଇଥିଲେ। ସେ କୋକେଇ ଉପରେ ବସିଥିବା ବେଳେ ତାଙ୍କ ସମର୍ଥକମାନେ କୋକେଇକୁ କାନ୍ଧେଇ ନେଉଥିବା ଦେଖିବାକୁ ମିଳିଥିଲା।ଖାଲି ସେତିକି ନୁହେଁ, କୋକେଇ ଉପରେ ବସି ସେ ଗାଁ ଗାଁ ବୁଲି ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି। ଏହାର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଏନେଇ ରାଜନ କହିଛନ୍ତି, “ଭୋଟର ହେଉଛନ୍ତି ଦେବତା ସମାନ। ତେଣୁ ସେମାନଙ୍କୁ ଭଗବାନ ବୋଲି ମନେ କରି ସେମାନଙ୍କ ପାଦ ଧୋଉଛି।” ରାଜନ ଗାଁର ମହିଳା, ଦିବ୍ୟାଙ୍ଗ ଓ ଅନ୍ୟ ଲୋକଙ୍କ ପାଦକୁ ଏକ ଥାଳିରେ ରଖି ଧୋଇ ଦେଉଥିବା ଦେଖିବାକୁ ମିଳିଛି।ଦେବରିଆ ଆସନରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା କୋକେଇ ବାବା ଓରଫ ରାଜନ ଯାଦବଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ ବୋଲି ଜଣାପଡ଼ିଛି। ତେବେ ତାଙ୍କର ଏଭଳି ଅଜବ କାମ ପାଇଁ ଆଗରୁ ମଧ୍ୟ ଚର୍ଚ୍ଚା ହୋଇଛି।

LEAVE A REPLY

Please enter your comment!
Please enter your name here