ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାରା ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ
  • ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ହେବ ପ୍ରଭାବିତ!
  • ଟିକାକରଣକୁ ଜୋରଦାର କରିବାଲାଗି କେନ୍ଦ୍ରକୁ ପରାମର୍ଶ
  • ନିର୍ବାଚନ ସ୍ଥଗିତ ରଖିବାକୁ ବୁଦ୍ଧିଜୀବୀଙ୍କ ମତ

ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ହେଲେ କୋଭିଡ୍‌ର ନୂଆ ଭ୍ୟାରିଏଣ୍ଟ୍ ଓମିକ୍ରନ ସଂକ୍ରମଣକୁ ନେଇ ସାରାଦେଶରେ ଏବେ ଭୟ ବଢ଼ିବାରେ ଲାଗିଛି। ତେଣୁ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟରେ କୋଭିଡ୍‌ ଟିକାକରଣକୁ ଜୋରଦାର କରିବା ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ କହିଛନ୍ତି।ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁଥିବା ୫ଟି ରାଜ୍ୟ ହେଲା – ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଞ୍ଜାବ। ସାରା ଦେଶରେ ଏବେ ଓମିକ୍ରନ୍ ସଂକ୍ରମଣର ପ୍ରଭାବ ଜାରି ରହିଥିବାରୁ ଏସବୁ ରାଜ୍ୟରେ ଚାଲିଥିବା ନିର୍ବାଚନୀ ସଭା ଓ ରାଲିକୁ ନେଇ ଚିନ୍ତାପ୍ରକଟ କରାଯାଇଛି।  ତେବେ ସୋମବାର ଏକ ବୈଠକରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଟିକାକରଣ ହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପଦକ୍ଷେପ ନେବା ଆରମ୍ଭ କରିଛି।ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଉତ୍ତରାଖଣ୍ଡରେ ୧୦୦ ପ୍ରତିଶତ କୋଭିଡ୍‌ର ପ୍ରଥମ ଡୋଜ୍‌ ଦିଆ ସରିଛି। ସେହିପରି ଉତ୍ତରପ୍ରଦେଶରେ ୮୫ ପ୍ରତିଶତ, ମଣିପୁର ଏବଂ ପଞ୍ଜାବରେ ପାଖାପାଖି ୮୦ ପ୍ରତିଶତ ଦିଆଯାଇଛି।  ଯେଉଁ ରାଜ୍ୟଗୁଡ଼ିକରେ ଟିକାକରଣ ଅଳ୍ପ ରହିଛି ସେଠାରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।

ଉତ୍ତରପ୍ରଦେଶକୁ ନେଇ ଚିନ୍ତା

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ୫ଟି ରାଜ୍ୟରେ ଏବେଠାରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଗଲାଣି। ରାଜ୍ୟ ସରକାରମାନଙ୍କ ପକ୍ଷରୁ ଉଦ୍‌ଘାଟନ ଓ ଶିଳାନ୍ୟାସ ପର୍ବରେ ହଜାର ହଜାର ଜନସମାଗମ ହେଉଛି। ବିଶେଷ କରି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାରାଥନ ଗସ୍ତ କରୁଛନ୍ତି। ତେଣୁ ଆଗକୁ ନିର୍ବାଚନ ଥିବାରୁ କିପରି ସତର୍କତା ଅବଲମ୍ଵନ କରାଯିବ ତାକୁ ନେଇ ଚିନ୍ତାପ୍ରକଟ କରାଯାଇଛି। ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଭିତରେ କିପରି ନିର୍ବାଚନ ହେବ ସେନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ନିର୍ବାଚନ କମିସନ।ନିର୍ବାଚନକୁ ସ୍ଥଗିତ ରଖ: ଆହ୍ଲାବାଦ ହାଇକୋର୍ଟ

କୋଭିଡ୍ ପରିସ୍ଥିତିରେ କିଭଳି ମତଦାନ ଓ ପ୍ରଚାର ହେବ ତାହା ଏବେ ଆଶଙ୍କା ସୃଷ୍ଟି କରିଛି। ଏହାରି ଭିତରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ନିର୍ବାଚନକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନକୁ ଆଉ ମାସେ କିମ୍ବା ଦୁଇ ମାସ ସ୍ଥଗିତ ରଖିବା ପାଇଁ ସେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଥିଲେ। ସେହିପରି ପ୍ରଚାର ଅଭିଯାନ ବନ୍ଦ କରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ।

ବିଧାନସଭା ନିର୍ବାଚନ ବ୍ୟତୀତ କିଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେଥି ମଧ୍ୟରୁ ଓଡ଼ିଶା ଏକ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିକଟରେ ମଧ୍ୟପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ତେଣୁ ଓମିକ୍ରନ ସଂକ୍ରମଣର ଏହି ଜଟିଳ ସ୍ଥିତିରେ ନିର୍ବାଚନ ସ୍ଥଗିତ ରଖିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here