ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଓଡ଼ିଶା ବିଧାନସଭା ଡିସପେନସାରୀରେ ଟିକା ନେଇଛନ୍ତି କିଛି ବିଧାୟକ। ସେମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁର ରାଉତରାୟ, କଂଗ୍ରେସ ନେତା ନରସିଂହ ମିଶ୍ର, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ରହିଛନ୍ତି। ନିଜ ପରିବାର ସଦସ୍ୟଙ୍କ ସହ ଟିକା ନେବା ପାଇଁ ବିଧାନସଭା ଡିସପେନସାରୀରେ ପହଞ୍ଚିଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ସାଙ୍ଗରେ ପତ୍ନୀକୁ ଧରି ବିଧାନସଭାର ଡିସପେନସାରୀ କେନ୍ଦ୍ରରେ ଟିକା ନେଇଥିଲେ। ଟିକାକୁ ନେଇ ଭୟଭୀତ ନଥିବା କହିଥିଲେ ବିଧାୟକ ଓ ତାଙ୍କ ପତ୍ନୀ।
ମାର୍ଚ୍ଚ ୧ରେ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଆଜି ଟିକାକରଣର ଦ୍ୱିତୀୟ ଦିନରେ ପ୍ରଥମ କରୋନା ଟିକା ନେଇଛନ୍ତି ଜଟଣୀ ବିଧାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ନେଲାପରେ ମୁଁ ଟିକା ନେବାକୁ ଆସିଛି କହିଥିଲେ ସୁର ରାଉତରାୟ। ନିୟମ ଅନୁସାରେ ପ୍ରଥମେ ଫର୍ମ ପୂରଣ କରି କରୋନା ଟିକା ନେଇଥିଲେ ବିଧାୟକ। କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ କରୋନା ଟିକା ନେଇଛନ୍ତି।
ସେପଟେ କଂଗ୍ରେସର ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନିଜ ପରିବାର ସହ ଟିକା ଦେବାକୁ ପହଞ୍ଚିଥିଲେ। ସମସ୍ତେ ଟିକା ନିଅନ୍ତୁ ଓ ସରକାରଙ୍କୁ ସହଯୋଗ କରନ୍ତୁ କହିଥିଲେ ଖରିଆର ବିଧାୟକ। କରୋନା ଟିକା ନେବା ପାଇଁ ଡିସପେନସାରୀରେ ପହଞ୍ଚିଥିଲେ ଲୋଇସିଙ୍ଗା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ। କିନ୍ତୁ ତାଙ୍କ ବୟସ ୪୮ ବର୍ଷ ହୋଇଥିବାରୁ ଏବଂ ତାଙ୍କ ପାଖରେ କୌଣସି ରୋଗ ନଥିବାରୁ, ନିୟମ ଅନୁଯାୟୀ ତାଙ୍କୁ ଟିକା ଦିଆଯାଇନାହିଁ।
ରାଜ୍ୟରେ ଆରମ୍ଭ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ। କେବଳ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଓ ୪୫ ରୁ ୬୦ ବର୍ଷ ମଧ୍ୟରେ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଘରୋଇ ହସ୍ପିଟାଲମାନଙ୍କରେ ଟିକାର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି। ସୋମବାର ପ୍ରାୟ ୧୧ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି କରୋନା ଟିକା ନେଇଥିବା ସୂଚନା ମିଳିଛି।


















