ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର। କରୋନା ସମୟରେ ପ୍ରାୟ ୯ ମାସ ଧରି ହଷ୍ଟେଲ ବନ୍ଦ ରହିଥିବାରୁ, ସେହି ମାସଗୁଡ଼ିକର ହଷ୍ଟେଲ ଫି’ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନାହିଁ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

କରୋନା ମହାମାରୀ ପାଇଁ ୨୦୨୦ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ ରହିଥିଲା ହଷ୍ଟେଲ। ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଅନୁଷ୍ଠାନଗୁଡ଼ିକ ହଷ୍ଟେଲ ଫି’ ବାବଦକୁ ମାସିକ ୩୩୩ ଟଙ୍କା ଲେଖାଁଏ ନେଇଥାନ୍ତି। ସେଅନୁସାରେ ସମୁଦାୟ ହଷ୍ଟେଲରେ ରହୁଥିବା ୧୭ହଜାର ୧୨ ଜଣ ଛାତ୍ରଛାତ୍ରୀଙ୍କ ଫି’ ବହନ କରିବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।

ପୂର୍ବରୁ ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କରିଥିଲେ ରାଜ୍ୟ ସରକାର। ଏଥିରେ ପ୍ରାୟ ୩୦ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ମଧ୍ୟ ଛାଡ଼ କରାଯାଇଥିଲା। ରାଜ୍ୟ ସରକାରଙ୍କର ଏଭଳି ଫି’ ଛାଡ଼ ନିଷ୍ପତ୍ତିକୁ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ସ୍ୱାଗତ କରାଯାଇଛି।

Comment