ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। କିପରି ହେବ ନିର୍ବାଚନ ଓ ଚଳିତ ବର୍ଷ ନିର୍ବାଚନ ପାଇଁ କ’ଣ ରହିବ ଗାଇଡଲାଇନ, ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ୍ୱ, ଦିବ୍ୟାଙ୍ଗ ଓ କରୋନା ସଂକ୍ରମିତଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯାଇଛି। ଏବେଠାରୁ ଏହି ପ୍ରାର୍ଥୀମାନେ ପୋଷ୍ଟାଲ ଭୋଟ ପାଇଁ ଆବେଦନ କରିପାରିବେ।

ଉପନିର୍ବାଚନ ପାଇଁ ଅଧିକ ପରିମାଣରେ ଭିଭିପାଟ୍ ଓ ଇଭିଏମ୍ ମେସିନ ପ୍ରସ୍ତୁତ ରଖାଯାଇଛି । ଏଥିସହ ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ଦୁଇଟି ଗାଡ଼ିକୁ ଅନୁମତି ଦିଆଯାଇଛି। ଡୋର୍ ଟୁ ଡୋର୍ କ୍ୟାମ୍ପେନ ସମୟରେ ପ୍ରାର୍ଥୀଙ୍କ ସହ ମାତ୍ର ୫ଜଣ ରହିପାରିବେ  ପ୍ରଚାର ସମୟରେ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ନିର୍ବାଚନ ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ।

ରାଜ୍ୟରେ କରୋନା ସଙ୍କଟ ଟଳିନଥିବାରୁ, ଗୋଟିଏ ବୁଥ୍‌ରେ ୧ହଜାର ମତଦାତା ମତଦାନ କରିପାରିବେ। ତେଣୁ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଯେଉଁମାନେ ବର୍ତ୍ତମାନ କରୋନା ସଂକ୍ରମିତ ଅଛନ୍ତି, ସେମାନେ ଶେଷ ୧ଘଣ୍ଟା ପୂର୍ବରୁ ଆସି ମତଦାନ କରିପାରିବେ। ସଭାସମିତିରେ ସମୁଦାୟ ୫୦୦ଜଣ ଯୋଗ ଦେଇପାରିବେ। ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ନିର୍ବାଚନ ସହ ଜଡ଼ିତ ଥିବା ସମସ୍ତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାଯିବା ସହ ସେମାନଙ୍କୁ ପ୍ରାଥମିକତା ଆଧାରରେ ଟିକାକରଣ କରାଯିବ। ଆସନ୍ତା ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ହେବ।

Comment