ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି

ପିପିଲି ଉପନିର୍ବାଚନ ପାଇଁ ଶୁକ୍ରବାର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ବିଜେଡି। ୩୦ ଜଣିଆ ଏହି ତାଲିକାରେ ବିଜେଡି ନିଜର ବହୁ ନେତା, ମନ୍ତ୍ରୀମାନଙ୍କୁ ସାମିଲ କରିଛି। ଏହି ନେତାମାନେ ପିପିଲି ନିର୍ବାଚନ ପାଇଁ ଦଳର ପ୍ରଚାର କରିବେ। କିନ୍ତୁ ବିଜେଡିର ଏହି ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରାପଡ଼ାର ସାଂସଦ ତଥା ସିନେଷ୍ଟାର ଅନୁଭବ ମହାନ୍ତି ସ୍ଥାନ ନପାଇବା ଏବେ ରାଜନୀତି ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

ତିର୍ତ୍ତୋଲ ଓ ବାଲେଶ୍ଵର ସଦର ଉପ ନିର୍ବାଚନ ବେଳେ ମଧ୍ୟ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅନୁଭବଙ୍କୁ ସ୍ଥାନ ମିଳି ନଥିଲା। ପିପିଲି ବେଳକୁ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି।  ମହଙ୍ଗା ପଡ଼ିଲା କି ଘରକଳି?

କେନ୍ଦ୍ରାପଡ଼ାର ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ପାରିବାରିକ କଳହକୁ ନେଇ ବିବାଦରେ ଅଛନ୍ତି। ଉଭୟଙ୍କ ଛାଡ଼ପତ୍ରକୁ ନେଇ ଏବେ କୋର୍ଟରେ ମାମଲା ଚାଲୁଛି। ତେଣୁ ଏପରି ପରିସ୍ଥିତିରେ ଦଳ ତାଙ୍କୁ ଷ୍ଟାର ପ୍ରଚାରକ କରି ଭୋଟ ମାଗିବାକୁ ଠିକ୍ ଭାବି ନଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି। ଅନୁଭବଙ୍କୁ ଷ୍ଟାର ପ୍ରଚାରକ କଲେ ଦଳ ବ୍ୟାକଫୁଟରେ ରହିବା ସହ ମହିଳା ଭୋଟରଙ୍କ ସମର୍ଥନ ପାଇପାରିବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏଥିସହ ଅନୁଭବ ଗତ କିଛି ମାସ ଧରି ବିଭିନ୍ନ ଘଟଣାକୁ ନେଇ ବିବାଦ ଘେରରେ ରହିଛନ୍ତି। ଟିଭି ସାମ୍ବାଦିକଙ୍କୁ ଅସଦାଚାରଣ, ମହିଳା ସାମ୍ବାଦିକଙ୍କୁ ଧମକ୍, ପଡ଼ୋଶୀଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ଆଦି ଅନେକ ଘଟଣା ଅନୁଭବଙ୍କୁ ସବୁବେଳେ ବିବାଦ ଭିତରେ ରଖିଛି। ତେଣୁ ଏହି ସବୁ କାରଣରୁ ଦଳ ଅନୁଭବଙ୍କୁ ଏଥର ଉପ ନିର୍ବାଚନରେ ନିଜ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେଇଥିବା କୁହାଯାଉଛି।ଷ୍ଟାର ପ୍ରଚାରକ ତାଲିକାରେ ଅରିନ୍ଦମ, ଆକାଶ

ବିଜେଡିରୁ ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବ ବାଦ୍ ପଡ଼ିଥିଲେ ମଧ୍ୟ ଅନେକ ସିନେ ତାରକା ପ୍ରଚାରକ ଲିଷ୍ଟରେ ସାମିଲ୍ ଅଛନ୍ତି। ଓଲିଉଡ୍ ଅଭିନେତା ଅରିନ୍ଦମ ରାୟ, ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ ଉପ ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ। ତାଙ୍କ ସହିତ ଉପ ନିର୍ବାଚନ ପ୍ରଚାରରେ ରାଜ୍ୟସଭା ସାଂସଦ ତଥା ଅଭିନେତା ମୁନ୍ନା ଖାଁ ଦଳର ସେଲିବ୍ରିଟି ଚେହେରା ହେବେ।ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ କିଏ କିଏ?

ଉପ ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ୩୦ ଜଣିଆ ଷ୍ଟାର ପ୍ରଚାରକ ଭିତରେ ପ୍ରଥମରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହିତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ସୁଶାନ୍ତ କୁମାର ସିଂ, ନବକିଶୋର ଦାସ, ଚନ୍ଦ୍ର ସାରଥୀ ବେହେରା, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରୀଆ, ତୁଷାରକାନ୍ତି ବେହେରା, ମୁଜିବୁଲ୍ଲା ଖାନ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ କୁମାର ବଳବନ୍ତରାୟ, ସୁଧୀର କୁମାର ସାମଲ, ବ୍ୟୋମକେଶ ରାୟ, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ବିଭୂତି ବଳବନ୍ତରାୟ, ରାଜେନ୍ଦ୍ର କୁମାର ସାହୁ, ଦେବୀ ରଞ୍ଜନ ତ୍ରିପାଠୀ, ଆକାଶ ଦାସନାୟକ, ଅରିନ୍ଦମ ରାୟ ଏହି ତାଲିକାରେ ଅଛନ୍ତି।

କରୋନା କାଳରେ ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ହେବା। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ମେ’ ୨ରେ ଫଳାଫଳ ପ୍ରକାଶ ପାଇବ।

Comment