ଓଡ଼ିଶାଲାଇଭ୍ ବ୍ୟୁରୋ

ଭିନ୍ନ ମୋଡ଼ ନେବାକୁ ଯାଉଛି ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା। ଦୀର୍ଘ ଦିନ ହେଲା ନିଜ ଜିଦରେ ଅଟଳ ଥିବା ବର୍ଷା ଏବେ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ରାଜି ହୋଇଛନ୍ତି।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶାଶୂଘର ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଶାଶୂଘର ଛାଡ଼ିବାକୁ ବର୍ଷା କୋର୍ଟରେ ଜଣାଇବା ପରେ ଜିଲ୍ଲା କୋର୍ଟରେ ଚାଲିଥିବା ମାମଲାର ଅନ୍ତ ଘଟିଛି। ଏକ ମାସ ମଧ୍ୟରେ ଅନୁଭବ ମହାନ୍ତିଙ୍କ ପୈତୃକ ଘରଛାଡ଼ିବେ ବୋଲି ବର୍ଷା କୋର୍ଟଙ୍କୁ ଜଣାଇଛନ୍ତି।

ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ପରେ ଅନୁଭବ ନିଜ ପୈତୃକ ଘରଛାଡ଼ି ଅନ୍ୟତ୍ର ଭଡ଼ା ଘରେ ରହୁଥିଲେ। ବର୍ଷା ତାଙ୍କ ପୈତୃକ ଘର ଛାଡ଼ନ୍ତୁ ବୋଲି କଟକ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ ଅନୁଭବ ମହାନ୍ତି। ଏହାର ଶୁଣାଣି ଗତ ଜୁନ ମାସ ୨ ତାରିଖରେ କୋର୍ଟ ଅନୁଭବଙ୍କ ସପକ୍ଷରେ ରାୟ ଦେଇ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ବର୍ଷାଙ୍କ ରହିବା ପାଇଁ ଅନୁଭବ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ମାସର ୧୦ ତାରିଖ ସୁଦ୍ଧା ୩୦ ହଜାର ଟଙ୍କା ରହଣି ବାବଦକୁ ବର୍ଷାଙ୍କୁ ଦେବା ଲାଗି ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସଡିଜେଏମ କୋର୍ଟ।

କିନ୍ତୁ ପରେ ବର୍ଷା ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଗତ ଜୁନ ୨୧ ତାରିଖରେ ଜିଲ୍ଲା କୋର୍ଟଙ୍କ ରାୟ ଆସିବା ପରେ ଝଟକା ଲାଗିଥିଲା ଅନୁଭବଙ୍କୁ। ଏସଡିଜେଏମ୍ କୋର୍ଟଙ୍କ ରାୟ ଉପରେ ଅନ୍ତରିଣ ରୋକ ଲଗାଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପୈତୃକ ଘରେ ରହିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା କୋର୍ଟ।

କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଜିଲ୍ଲା କୋର୍ଟରେ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ କହିବା ପରେ ଏବେ ଏହି ମାମଲାର ଅନ୍ତ ଘଟିଛି।

Tags: #Court #DistCourt #SDJMCourt #CelebrityCouple #BarshaPriyadarshini #AnubhabMohanty

Comment