ଓଡ଼ିଶାଲାଇଭ୍ ବ୍ୟୁରୋ

କୁଖ୍ୟାତ ଅପରାଧୀ ହାଇଦର ଫେରାର୍ ଘଟଣାକୁ ୫ ଦିନ। ଏପର୍ଯ୍ୟନ୍ତ ଟେର୍ ପାଉନି ପୋଲିସ। ଜମ୍ବୁରୁ ବାଂଲାଦେଶ ଯାଇଥିବା ସନ୍ଦେହ।

କୁଖ୍ୟାତ ଅପରାଧୀ ହାଇଦର୍ ଫେରାର ଘଟଣାକୁ ଏତେ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସର ହାତ ଖାଲିପଡ଼ିଛି। ହାଇଦରକୁ ଖୋଜି ପାଇବାରେ ବିଫଳ ହୋଇଛି ପୋଲିସ ପ୍ରଶାସନ। ଶନିବାର ଦିନ କଟକ ବଡ ହସ୍ପିଟାଲରୁ ପୋଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି ଗ୍ୟାଙ୍ଗଷ୍ଟର ହାଇଦର। ତାକୁ ଧରିବା ପାଇଁ ପୋଲିସ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ସ୍ୱତନ୍ତ୍ର ଟିମ୍‌କୁ କାମରେ ଲଗାଇଛି । ଏଥିସହ ସୀମାକୁ ସିଲ୍ କରିଛି।

ସମ୍ବଲପୁର ଜେଲ୍‌ରେ ସଜା କାଟୁଥିବା ହାଇଦର ଶରୀର ଅସୁସ୍ଥ ଥିବା କାରଣରୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲା। ପ୍ରାୟ ୧୨ଦିନ ଧରି ସେ ଚିକିତ୍ସା ହେଉଥିଲା। କିନ୍ତୁ ଏପ୍ରିଲ ୧୦, ସନ୍ଧ୍ୟା ସମୟରେ କିଛି ସହଯୋଗୀଙ୍କ ସହାୟତାରେ ପୋଲସକୁ ନିଶା ଦେଇ ଫେରାର୍ ହୋଇଯାଇଛି ହାଇଦର।

କେମିତି ଗିରଫ ହୋଇଥିଲା ହାଇଦର?

କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ମାଲିକ୍ ସୁଲେମାନ୍‌ର ଭାଇ ସେକ୍ ଚୁନା ହତ୍ୟାକାଣ୍ଡ ଓ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ଅପହରଣ ପରେ ହତ୍ୟା କରିଥିବା ଘଟଣାରେ ହାଇଦର ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରା ଦୋଷୀ ପ୍ରମାଣିତ ହୋଇ ଆଜୀବନ ଜେଲ ସଜା କାଟୁଛି। ପ୍ରଥମେ ସେ ବାରିମୂଳ ସବ୍‌ଜେଲ୍‌ରେ ସଜା କାଟୁଥିଲେ। ପରେ ହାଇଦରକୁ ସମ୍ବଲପୁର ଜେଲ୍ ସ୍ଥାନାନ୍ତର କରାଯାଇଥିଲା।କାହିଁକି ଏସ୍‌ସିବିକୁ ବାରମ୍ବାର ଆସୁଥିଲା?

ହାଇଦରର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଚିକିତ୍ସା ପାଇଁ ତାକୁ ବାରମ୍ବାର ଏସ୍‌ସିବିକୁ ଅଣାଯାଉଥିଲା। ସେହିପରି ପୁଣିଥରେ ତା’ର ପେଟରେ ଯନ୍ତ୍ରଣା ହେବାରୁ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ହାଇଡ୍ରୋସିଲ୍ ଅପରେସନ ହେବାର ଯୋଜନା ମଧ୍ୟ ରହିଥିଲା। ମେଡିକାଲରେ ରହିବା ପାଇଁ ସର୍ଜରୀ ବିଭାଗର ୫ନମ୍ବର କ୍ୟାବିନ୍ ଦିଆଯାଇଥିଲା। ସେଠାରେ ତା’ ଉପରେ ନଜର ରଖିବା ପାଇଁ ୬ଜଣ ଗାର୍ଡ ନିୟୋଜିତ ହୋଇଥିଲେ।

କେମିତି ମେଡିକାଲ ୱାର୍ଡରୁ ଖସିଲା?

ଶନିବାର ଦିନ ସନ୍ଧ୍ୟା ସମୟରେ ଏସ୍‌ସିବି ସର୍ଜରୀ ବିଭାଗରର ୫ନମ୍ବର କ୍ୟାବିନରୁ ଖସି ପଳାଇଥିଲା ହାଇଦର। ସବୁଦିନ ତାକୁ ଜଗିବା ପାଇଁ ୨ଜଣ ଲେଖାଏଁ ଗାର୍ଡ ନିୟୋଜିତ ହେଉଥିବାବେଳେ, ସେଦିନ ଜଣେ ଗାର୍ଡ ସେଠାରେ ଥିଲେ। ହଠାତ୍ ସେହି ୱାର୍ଡରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଦେଖିବାକୁ ପାଇଥିଲେ ଯେ, ବାହାରେ ଗାର୍ଡ ଅଚେତ ଅବସ୍ଥାରେ ପଡ଼ିଛନ୍ତି ଏବଂ ଭିତରେ ହାଇଦର ନାହିଁ। ଦେଖିବା ପରେ ସେ ସଙ୍ଗେସଙ୍ଗେ ଉପରିସ୍ଥ କର୍ମଚାରୀଙ୍କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଖସିଯିବା ପଛରେ ପରିବାରର ଲିଙ୍କ୍ ଥିବା ସନ୍ଦେହ!

ହାଇଦର ମେଡିକାଲରୁ ଖସିଯିବା ପଛରେ ତା’ପରିବାର ସଦସ୍ୟଙ୍କ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ମୁଖ୍ୟତଃ ହାଇଦରର ମଝିଆ ପୁଅର ହାତ ଥିବା ସନ୍ଦେହ କରୁଛି ପୋଲିସ। ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଗାର୍ଡଙ୍କ ଅଭିଯୋଗ ମୂତାବକ, ଏପ୍ରିଲ ୧୦ରେ ହାଇଦରକୁ ଦେଖା କରିବା ପାଇଁ ତାଙ୍କ ପୁଅ, ଭାଇ, ପୁତୁରା, ଶଳା ଏବଂ ସାନ ଜ୍ୱାଇଁ ଆସିଥିଲେ। ସେହି ସମୟରେ ନିଶା ଦେଇ ଗାର୍ଡଙ୍କୁ ଅଚେତ କରି ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ଗାର୍ଡ ମହମ୍ମଦ ମୌସିମ।ଫେରାର୍ ପରେ ସହଯୋଗୀ ୟାକୁବର ଆତ୍ମସମର୍ପଣ

ହାଇଦରର ସହଯୋଗୀ ୟାକୁବ୍ ପୋଲିସ ପାଖରେ ଆତ୍ମସମର୍ପଣ କରିଛି। ସେ ହାଇଦରକୁ ତିନିଥର ବିରିୟାନି ଦେଇଛି। କିନ୍ତୁ ତା’ର ଫେରାର୍ ପଛରେ ମୋର ହାତ ନାହିଁ ବୋଲି କହିଛି ୟାକୁବ୍। ଏହି ଘଟଣାରେ କାଳେ ମୋ ପରିବାରରେ କିଛି ଅସୁବିଧା ହେବ, ତେଣୁ ଆତ୍ମସମର୍ପଣ କରିଥିବା ପୋଲିସ ଆଗରେ କହିଛି ୟାକୁବ୍। ପରେ ତାକୁ ଜେରା କରି ଗିରଫ କରିଛି ପୋଲିସ।

ହାଇଦର ପାଇଁ ସକ୍ରିୟ ପୋଲିସ ପ୍ରଶାସନ

ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହେବାପରେ ପୋଲିସ ପ୍ରଶାସନ ଅଧିକ ସତର୍କ ହୋଇଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ସକ୍ରିୟ ରହିଛି ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳକୁ ସିଲ୍ କରି ଯାଞ୍ଚ କରାଯାଉଛି। ଏଥିସହ ବିଭିନ୍ନ ଟୋଲ୍ ଗେଟ୍ ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଉଛି। ପୂର୍ବରୁ କ୍ରାଇମ କରି ଝାଡ଼ଖଣ୍ଡରେ ଲୁଚିଥିଲା ହାଇଦର। ତେଣୁ ସେ ଫେରାର ହେବାପରେ ଝାଡ଼ଖଣ୍ଡ ଯାଇଥିବା ସନ୍ଦେହ କରି, ସେଠାକାର ଏସଟିଏଫ ସହ ଯୋଗାଯୋଗ କରିଛି। ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୋଲିସ ସତର୍କ ରହିଛି। କୋଲକାତାରେ ହାଇଦରର କ୍ରାଇମ ନେଟୱାର୍କ ସକ୍ରିୟ ଥିବାରୁ, ସେ ସେଠାକୁ ଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ହାଇଦରକୁ ଜଗିଥିବା ୬ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବନ କରାଯାଇଛି।ହାଇଦର ଫେରାର ହୋଇଯିବା ଘଟଣାରେ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, “କଟକ ଏବଂ ବାହାରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି। ଖୁବଶୀଘ୍ର ହାଇଦର ପୋଲିସ ହାତରେ ଧରାପଡ଼ିବ। ତାକୁ ଫେରାର କରିବା ପଛରେ ଯେଉଁମାନଙ୍କର ହାତ ରହିଛି, ସେମାନଙ୍କ ଉପରେ ପୋଲିସ ନଜର ରଖିଛି।

ହାଇଦର ଫେରାର୍ ଘଟଣାକୁ ନେଇ ମୁହଁ ଖୋଲିଲା ବିଜେପି

ଅନ୍ୟପଟେ ହାଇଦର ଫେରାର ଘଟଣାକୁ ନେଇ ତେଜିଛି ରାଜନୀତି। ତାକୁ ଜାଣିଶୁଣି ଶାସକ ଦଳର କିଛି ନେତା ଫେରାର କରିଥିବା ଅଭିଯୋଗ କରିଛି ବିଜେପି। ଆଜି ଏକ ପ୍ରେସମିଟ୍‌ରେ ସରକାର ଓ ପୋଲିସ ବିଭାଗକୁ ପ୍ରଶ୍ନ କରିଛନ୍ତି ପୂର୍ବତନ ପୋଲିସ ଡିଜି ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର।

ସେ କହିଛନ୍ତି, “ ବାରମ୍ବାର ହାଇଦରକୁ କାହିଁକି କଟକ ଅଣାଯାଉଥିଲା? କଟକରେ ଚିକିତ୍ସା ପାଇଁ କିଏ ସୁପାରିଶ କରିଥିଲେ? ଏସ୍‌ସିବିରେ ସାଧାରଣ ରୋଗୀକୁ କ୍ୟାବିନ ମିଳିବା ନେଇ ଅନେକ ଅସୁବିଧା ହେଉଥିବାବେଳେ, ଏତେ ସହଜରେ ତାକୁ କେମିତି ଏସି କ୍ୟାବିନ ମିଳିଲା?”

ଏହିଭଳି ଭାବରେ ଅନେକ ପ୍ରଶ୍ନ କରିବା ସହ, ସେ ଆଉ ମଧ୍ୟ କହିଛନ୍ତି ଏଭଳି ଘଟଣା ପଛରେ ନିହାତି ଜଣେ ବଡ଼ ଲୋକର ହାତ ରହିଛି।

ହାଇଦର ଏବେ ପରିବାର ସଦସ୍ୟଙ୍କ ସହ ବାଂଲାଦେଶକୁ ଯାଇଥିବା ଖବର ମିଳୁଛି। ଜମ୍ବୁରୁ ବୋଟ୍ ସାହାଯ୍ୟରେ ବାଂଲାଦେଶ ପହଞ୍ଚିବାକୁ ପ୍ରାୟ ୧୦ରୁ ୧୨ଘଣ୍ଟା ସମୟ ଲାଗିଥାଏ। ସେଠାରେ ସେ ପହଞ୍ଚିଗଲେ ତାକୁ ଧରିବା କଷ୍ଟକର ହେବ। ତେଣୁ ଓଡ଼ିଶା ପୋଲିସ ଖବର ପାଇବା ମାତ୍ରେ ବାଂଲାଦେଶ ଯିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳିଛି।

Comment