ଓଡ଼ିଶାଲାଇଭ୍‌ ବ୍ୟୁରୋhome quarantine

ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯଦି ପରିବାରରେ କେହି କରୋନାରେ ପୀଡ଼ିତ ହୁଅନ୍ତି ତା’ହେଲେ କ’ଣ କରିବେ? କେମିତି ତାଙ୍କର ଯତ୍ନ ନେବେ? ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ ଜାଣନ୍ତୁ।

ସଂକ୍ରମିତଙ୍କୁ ଅଲଗା ରୁମ୍‌ରେ ରଖନ୍ତୁ

ପରିବାରରେ କାହାକୁ କୋଭିଡ୍‌ର ସାମାନ୍ୟ ଲକ୍ଷଣ ଦେଖାଦେଲେ ବା କୋଭିଡ୍‌ ଆକ୍ରାନ୍ତ ଥିବା ନେଇ ସନ୍ଦେହ କରୁଥିଲେ ତାଙ୍କୁ ପରିବାର ସଦସ୍ୟଙ୍କଠାରୁ ଅଲଗା ରଖନ୍ତୁ। ରୁମ୍‌ ସହ ସଲଗ୍ନ ଶୌଚଳୟ ରହିଥିବା ଆବଶ୍ୟକ। ଏହାସହ ସେଠାକାର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ। ଘରର କୌଣସି ସଦସ୍ୟକୁ ଏହି ରୁମ୍‌ ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ। ଏହାଛଡ଼ା ଘରେ ଯଦି କୌଣସି ଗୃହପାଳିତ ପଶୁ ବା ପକ୍ଷୀ ରହିଛନ୍ତି ସେମାନେ ମଧ୍ୟ ଯେପରି ଏହି ରୁମ୍‌ ଭିତରକୁ ନଆସିବେ ସେ ଦିଗରେ ଦିଅନ୍ତୁ।

ଆଇସୋଲେସନ୍‌ରେ ରହୁଥିବା ରୁମ୍‌ରେ ଯେପରି ବାୟୁ ଚଳାଚଳ ହୁଏ, ସେନେଇ ଧ୍ୟାନ ଦିଅନ୍ତୁ।

ସଂକ୍ରମିତଙ୍କ ଯତ୍ନ ନିଅନ୍ତୁ 

ସଂକ୍ରମିତଙ୍କଠାରେ ଦେଖାଯାଉଥିବା ଲକ୍ଷଣକୁ ନଜରରେ ରଖନ୍ତୁ। ଯଦି ଗୁରୁତର ଲକ୍ଷଣ ଦେଖାଦିଏ, ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ରୋଗୀଙ୍କ ଉପରେ ସ୍ୱତନ୍ତ୍ର ଭାବରେ ନଜର ରଖନ୍ତୁ ଏବଂ ଯଥେଷ୍ଟ ପରିମାଣରେ ବିଶ୍ରାମ କରିବାକୁ କହନ୍ତୁ।

ଯଦି ପରିବାରର କୌଣସି ବ୍ୟକ୍ତି ହୋମ କ୍ଵାରେଣ୍ଟାଇନରେ ଥିବା ପାଖକୁ ଯାଉଛନ୍ତି ତାହେଲେ ତାଙ୍କୁ ମାସ୍କ ଓ ହାତରେ ଗ୍ଲବ୍‌ସ ପିନ୍ଧି ଯିବାକୁ କୁହନ୍ତୁ। ତାଙ୍କଠାରୁ ୨ମିଟର ଦୂରତା ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ଏହାସହ ଏହି ସମୟରେ ପାଟି, ମୁହଁ, ନାକ, କାନରେ ହାତ ମାରିବାକୁ ବାରଣ କରନ୍ତୁ।

ହୋମ କ୍ଵାରେଣ୍ଟାଇନରେ ଥିବା ବ୍ୟକ୍ତି ବ୍ୟବହାର କରୁଥିବା ଟଉଲିଆ, ବିଛଣା ଆଦିକୁ ପ୍ରତିଦିନ ସଫା କରନ୍ତୁ। ଏହାସହ ହୋମ କ୍ଵାରେଣ୍ଟାଇନରେ ଥିବା ବ୍ୟକ୍ତି ବ୍ୟବହାର କରୁଥିବା ଗ୍ଲାସ, ପ୍ଲେଟ, ମୋବାଇଲ ଆଦିକୁ ବ୍ୟବହାର କରନ୍ତୁ ନାହିଁ।

ବାରମ୍ବାର ବ୍ୟବହାର ହେଉଥିବା ଜିନିଷକୁ ସାନିଟାଇଜ୍‌ କରନ୍ତୁ।

ଗୁରୁତର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ 

କରୋନାର କେତେକ ସାମାନ୍ୟ ଓ ଗୁରୁତର ଲକ୍ଷଣ ରହିଛି। ଯଦି ସାମାନ୍ୟ ଲକ୍ଷଣ ଦେଖାଦେଉଛି, ତେବେ ଘରେ ସଙ୍ଗରୋଧ ହୋଇ ରହନ୍ତୁ। ଯଦି ଗୁରୁତର ଲକ୍ଷଣ ଦେଖାଦେଉଛି, ତେବେ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଆନ୍ତୁ।

କୋଭିଡ୍‌ର ଗୁରୁତର ଲକ୍ଷଣଗୁଡ଼ିକ ହେଉଛି – ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା, ଛାତି ଯନ୍ତ୍ରଣା ହେବା, କଥା କହି ନ ପାରିବା। ଏହି ଲକ୍ଷଣଗୁଡ଼ିକ ସଂକ୍ରମିତଙ୍କ ପାଖରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ।

ସୌଜନ୍ୟ : ସ୍ୱାସ୍ଥ୍ୟପ୍ଲସ

Comment