ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଲେଖକ ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର’ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ପୁରସ୍କାରଟି ଆନ୍ତର୍ଜାତିକ ସ୍ତରରେ ଦିଆଯିବ। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ହାଇସ୍କୁଲ ସ୍ତରରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟ ପ୍ରତି ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ‘ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର’ ପ୍ରଦାନ କରାଯିବ। ଏଥିପାଇଁ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଦୁଇ ଜଣଙ୍କୁ ପୁରସ୍କୃତ କରାଯିବ। ଏହି ପୁରସ୍କାର ପାଇଁ ଲକ୍ଷେ ଟଙ୍କା ଲେଖାଏଁ ନଗଦ ରାଶି ଦିଆଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ୟାନ୍ୟ ଘୋଷଣା ଭିତରେ ରହିଛି ମନୋଜ ଦାସ ଓ ତାଙ୍କ ବଡ଼ ଭାଇ ବିଶିଷ୍ଟ ଇତିହାସବିତ୍ ମନ୍ମଥ ଦାସଙ୍କ ସ୍ମୃତିରେ ‘ମନ୍ମଥ-ମନୋଜ ସ୍ମାରକୀ’ ଗଠନ କରାଯିବ। ମନୋଜ ଦାସଙ୍କ ପୈତୃକ ଗାଁ ବାଲେଶ୍ୱର ଜିଲ୍ଲା ଶଂଖାରୀ ଠାରେ ଏହି ସ୍ମୃତି ସଂଗଠନ ସ୍ଥାପିତ ହେବ। ଉଭୟଙ୍କ ଲିଖିତ ପୁସ୍ତକ ଓ ଅନ୍ୟାନ୍ୟ କୃତିକୁ ନେଇ ଏକ ପାଠାଗାର ମଧ୍ୟ ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here