ଓଡ଼ିଶାଲାଇଭ୍ ବ୍ୟୁରୋcovid testing centers-2

କରୋନା ଦ୍ୱିତୀୟ ଲହରୀ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ସରକାର କୋଭିଡ୍ ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଙ୍ଗ କେନ୍ଦ୍ର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ରାଜ୍ୟର ଷୋହଳ ଜିଲ୍ଲା ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ ବରଗଡ଼ ସଦରମହକୁମାରେ ଗୋଟିଏ ଗୋଟିଏ ଆରଟିପିସିଆର ଟେଷ୍ଟିଙ୍ଗ କେନ୍ଦ୍ରର ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କେନ୍ଦ୍ରଗୁଡ଼ିକରେ ପ୍ରତ୍ୟେକ ଦିନ ଲୋକମାନଙ୍କୁ ସେବା ଯୋଗାଇ ଦିଆଯିବ। ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ମାଇକ୍ରୋବାଓଲୋଜିଷ୍ଟ ଓ ତିନି ଜଣ ଲ୍ୟାବ ଟେକ୍ନିସିଆନଙ୍କୁ ନିୟୋଜିତ କରାଯିବ। କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ, କିଛି ଦିନର ବ୍ୟବଧାନ ପରେ ଆଜି ରାଜ୍ୟରୁ ୯ହଜାର ୭୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ଧରି ଲଗାତାର ଭାବରେ ୧୦ହଜାରରୁ ଅଧିକ ପଜିଟିଭ୍ କେସ୍ ଚିହ୍ନଟ ହେଉଥିଲା। କିନ୍ତୁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା କାରଣରୁ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଥିବା ଚର୍ଚ୍ଚା ହେଉଛି।

Comment