ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ୍ ପରିଚାଳନା ପାଇଁ ୭ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହିସବୁ ଦିଗ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କଲେ ଖୁବ୍ ଶୀଘ୍ର କରୋନା ମୁକ୍ତ ଓଡ଼ିଶା ଗଠନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ବରିଷ୍ଠ ଅଧିକାରୀମାନେ ଏହି ମନ୍ତ୍ରକୁ ଆଧାର କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

  • ଜିଲ୍ଲାସ୍ତରୀୟ କୋଭିଡ୍ ଡାକ୍ତରଖାନାଗୁଡ଼ିକରେ ଅଗ୍ନିସୁରକ୍ଷା ଓ ଅକ୍ସିଜେନ ବ୍ୟବସ୍ଥାର ୨୪ଘଣ୍ଟିଆ ତଦାରଖ
  • ଅଧିକ ସଂକ୍ରମିତ ଥିବା ଅଞ୍ଚଳରେ ଟେଷ୍ଟିଂ, ଟ୍ରେସିଂ ଓ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ
  • ଆଇସିୟୁ ଓ ଏଚ୍‌ଡିୟୁରେ କାର୍ଯ୍ୟରତ ଡାକ୍ତରମାନଙ୍କ ପରାମର୍ଶକ୍ରମେ ପଦକ୍ଷେପ ନେବାକୁ ପରାମର୍ଶ
  • ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ତ୍ରୁଟିଶୂନ୍ୟ ଟିକାକରଣ କରିବାକୁ ପରାମର୍ଶ
  • ଚିକିତ୍ସା ପାଇଁ ଅଧିକ ଟଙ୍କା ନେଉଥିବା ଘରୋଇ ହସ୍ପିଟାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
  • କୋଭିଡ୍ ହସ୍ପିଟାଲଗୁଡ଼ିକରେ ହେଲପ୍‌ଲାଇନ ନମ୍ବର ମାଧ୍ୟମରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ନିୟମିତ ସୂଚନା ଦିଅନ୍ତୁ
  • ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ

କୋଭିଡ୍ ନିୟନ୍ତ୍ରଣ ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କ ପାଇଁ ମାଗଣା ଟିକାକରଣ ବ୍ୟବସ୍ଥା କରାଯାଇଛି। ସବୁ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ପ୍ରାଥମିକତା ଭିତ୍ତିରେ କୋଭିଡ୍ ଯୋଦ୍ଧାମାନଙ୍କୁ ଟିକାକରଣ କରିବାପରେ ଏବେ ବରିଷ୍ଠ ନାଗରିକ ଓ ଯୁବପିଢ଼ିଙ୍କୁ ବିଭିନ୍ନ କେନ୍ଦ୍ରରେ ଟିକା ଦିଆଯାଉଛି। ‘ମୋ ସରକାର’ ଜରିଆରେ ଲୋକମାନଙ୍କଠାରୁ ଚିକିତ୍ସା ଓ ଅନ୍ୟାନ୍ୟ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟର କିଛି ପ୍ରମୁଖ ଜିଲ୍ଲାମାନଙ୍କରେ କୋଭିଡ୍ ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ନଜିର ରହିଛି। ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଲକ୍‌ଡାଉନ୍ ଓ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି। ନିୟମିତ ମାସ୍କ ପିନ୍ଧନ୍ତୁ, ସାନିଟାଇଜ୍ କରନ୍ତୁ, ହାତକୁ ସାବୁନ୍‌ରେ ଧୁଅନ୍ତୁ, ସାମାଜିକ ଦୂରିତା ରକ୍ଷା କରନ୍ତୁ, ଜରୁରୀ ନଥିଲେ ବାହାରକୁ ନଯିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Comment