ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଥିବା ଖଲ୍ଲିକୋଟ କଲେଜକୁ ମାତ୍ର ବର୍ଷକ ତଳେ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା। କିନ୍ତୁ ଏବେ ଏହି ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ମିଶାଇ ଦେବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଗତବର୍ଷ ଫେବ୍ରୁଆରି ମାସରେ ଖଲ୍ଲିକୋଟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା। ନୂଆ ପଦକ୍ଷେପ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ସେପ୍ଟେମ୍ବର ୩୦ ସୁଦ୍ଧା ଏହି ମିଶ୍ରଣ ହେବ। ତେବେ ମିଶ୍ରଣ ପୂର୍ବରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ଶେଷ କରିବାକୁ ପଡ଼ିବ। ଏଥିସହ ସେପ୍ଟେମ୍ବର ୩୦ ପୂର୍ବରୁ ଯେଉଁ ବକେୟା ପରୀକ୍ଷା ରହିଛି ତାହାକୁ ବି ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ନମ୍ବର ବା ଗ୍ରେଡ ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ହୋଇଛି।khallikote-university-berhampur-indiaବର୍ତ୍ତମାନ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୭ଟି ବିଭାଗରେ ୯୦ଜଣ ଛାତ୍ରଛାତ୍ରୀ ଅଛନ୍ତି। ସରକାରଙ୍କ ବିଜ୍ଞପ୍ତି ଅନୁସାରେ ରିସର୍ଚ୍ଚ ସ୍କଲରଙ୍କୁ ମଧ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରରେ ଭର୍ତ୍ତି କରାଯିବ। ସେମାନଙ୍କର ପ୍ରି ଡ଼କ୍ଟର କ୍ରେଡିଟକୁ ସ୍ଥାନାନ୍ତର କରାଯିବ। ତେବେ ସେମାନଙ୍କର ରେଜିଷ୍ଟ୍ରେସନ ନମ୍ବର ଓ ଗାଇଡ/ସୁପରଭାଇଜର ପରିବର୍ତ୍ତନ ହେବେ ନାହିଁ। ଓଡ଼ିଶା ସରକାର କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ଯେଉଁ ଅର୍ଥ ଆସୁଥିଲା ତାହାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଦିଆଯିବ। ଏବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ଆଡ୍‌ମିସନ କରାଯିବ ନାହିଁ।

ପାଖାପାଖି ଦୁଇଟି ବିଶ୍ୱବିଦ୍ୟାଳୟ ରହୁଥିବାରୁ ଖର୍ଚ୍ଚ କାଟ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି। ମାତ୍ର ବର୍ଷକ ମଧ୍ୟରେ ଗୋଟିଏ ବିଶ୍ୱବିଦ୍ୟାଳୟକୁ ଆଉ ଗୋଟିଏ ବିଶ୍ୱବିଦ୍ୟାଳୟ ସହ ମିଶାଇବା ଏକ ବିରଳ ଘଟଣା ବୋଲି ଆଲୋଚନା ହେଉଛି।

Comment