ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ପାଇଁ ଦୀର୍ଘ ୧୦ ମାସର ବ୍ୟବଧାନ ପରେ ଆଜି ରାଜ୍ୟର ସମସ୍ତ କଲେଜ, ବିଶ୍ଵବିଦ୍ୟାଳୟ ଖୋଲିବ। କୋଭିଡ କଟକଣା ମଧ୍ୟରେ କେବଳ ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ କ୍ଲାସ୍ ଆସିବେ। ଏନେଇ ଗତ ୩ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ କୁହାଯାଇଥିଲା।

ଏହି ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ୟୁଜିର ପଞ୍ଚମ ଏବଂ ପିଜିର ତୃତୀୟ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରି ୧୧ରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ପାଠପଢା ଚାଲିବ। ଏହାପରେ ମାର୍ଚ୍ଚ ୧୬ରୁ ୩୧ ତାରିଖ ଯାଏଁ ସେମିଷ୍ଟାର ପରୀକ୍ଷା ହେବ ଏବଂ ଏପ୍ରିଲ ୩୦ ତାରିଖ ସୁଦ୍ଧା ସେମିଷ୍ଟାର ପରୀକ୍ଷା ଫଳ ବାହାରିବ।ସେହିପରି ଉଭୟ ୟୁଜି ଏବଂ ପିଜି ଫାଇନାଲ ସେମିଷ୍ଟାର ପାଇଁ ଏପ୍ରିଲ ୨ ତାରିଖରୁ ଜୁନ୍ ୧୫ ତାରିଖ ଯାଏଁ ପାଠପଢା ହେବ। ଏହାପରେ ଜୁନ ୧୬ରୁ ୩୧ ତାରିଖ ଯାଏଁ ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ। ଜୁଲାଇ ୧୫ ସୁଦ୍ଧା ସେମିଷ୍ଟାର ପରୀକ୍ଷା ଫଳ ବାହାରିବ।

ତେବେ ପୂର୍ବଭଳି କ୍ଲାସରେ ସମସ୍ତ ଅଧ୍ୟାୟ ପଢାଯିବ। ସମ୍ଭବ ହେଲେ କ୍ଲାସର ଭିଡିଓ ରେକର୍ଡିଂ କରି ଅନୁପସ୍ଥିତ ବିଦ୍ୟାର୍ଥୀଙ୍କୁ ଯୋଗାଇ ଦିଆଯିବ। ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ବିଦ୍ୟାର୍ଥୀ ଓ ଶିକ୍ଷକ କ୍ଲାସକୁ ଆସିବେ ନାହିଁ। ତେବେ କ୍ଲାସରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ କ୍ଲାସରେ ସାନିଟାଇଜେସନ ବ୍ୟବସ୍ଥା ରହିବ। ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଏପରିକି ଅଧିକ ବିଦ୍ୟାର୍ଥୀ ଥିବା କ୍ଲାସକୁ ବିଭାଜିତ କରାଯିବ ଏବଂ ଶିକ୍ଷାନୁଷ୍ଠାନ ପରିସରରରେ କେହି ବି ଛେପ ପକାଇ ପାରିବେ ନାହିଁ।

Comment