ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବଢୁଥିବାରୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ବନ୍ଦ ଅବଧିକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ମେ’ ୧୫ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ ବନ୍ଦ ରଖାଯାଇଥିବାବେଳେ, ଏବେ ଏହାକୁ ମେ’ ୩୧ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ କମିବା ପରିବର୍ତ୍ତେ ବଢୁଥିବାରୁ ଏଏସ୍‌ଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପ୍ରତ୍ନତାତ୍ତ୍ୱିକ ସର୍ଭେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୋଣାର୍କ ମନ୍ଦିର ବନ୍ଦ ରଖିବାକୁ ଦିଲ୍ଲୀରୁ ଏକ ଚିଠି ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦ୍ୱିତୀୟ ଲହର କରୋନା ଆସିବାପରେ ପ୍ରାୟ ୧ମାସ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିଥିଲା। କିନ୍ତୁ ଏବେ ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି।

ଅନ୍ୟପକ୍ଷରେ କୋଣାର୍କ ଏଏସ୍‌ଆଇ କାର୍ଯ୍ୟାଳୟର ଅଧିକାରୀ ନିରଜ ସିଂ କହିଛନ୍ତି, ଅନ୍ୟ ଆଦେଶ ଯାଏଁ ଆମେ ଦର୍ଶକଙ୍କ ପାଇଁ କୋଣାର୍କ ମନ୍ଦିର ପ୍ରବେଶ ବନ୍ଦ ରଖିବୁ। ତେବେ ଜୁନ୍ ପହିଲାରୁ ହୁଏତ ମନ୍ଦିର ପ୍ରବେଶକୁ ଅନୁମତି ମିଳିପାରେ। କରୋନା ମାମଲା ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ପକ୍ଷରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମେ’ ୧୫ ପର୍ଯ୍ୟାନ୍ତ ବନ୍ଦ ରଖା ଯାଇଥିଲା।

Comment