ବିଜୟ ମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା (୩୯)

ଯାହା କହିବା ଆମେ ଉଚିତ ମନେକରୁ, ତା’ ହେଲା ବାକ୍ୟ।  ବାକ୍ୟ ସ୍ଵତଃ ନୁହେଁ – ବାକ୍ୟର ଗଠନ ଅଛି, ପ୍ରକାଶର ଶୈଳୀ ଅଛି, ବ୍ୟାକରଣ ଅଛି। ଜୀବଜନ୍ତୁ ପରି ମଣିଷ ରଡି ଛାଡିପାରେ ବା ଶବ୍ଦ ସୃଷ୍ଟି କରିପାରେ। କିନ୍ତୁ କଥାରେ ପ୍ରକାଶ କରିବା ହେଲା ବଚନ, ବଚନର ମୂଳଦୁଆ ହେଲା ବାକ୍ୟ। ବଚନ ବି ହେଲା ଗୋଟିଏ ଶକ୍ତି। ଆମେ କାହିଁକି କଥା କହୁ, ତାର କାରଣ ଏ ପର୍ଯ୍ୟନ୍ତ ନିଧାର୍ଯ୍ୟ ହୋଇନାହିଁ।

ବଚନର ଉତ୍ସ ହେଲା ଭାବନା। ଭାବନା କେଉଁଠୁ ଆସେ, କିଏ କରାଏ–ତା’ ଆମ ପାଖରେ ଜାଣିବା ଦୁରୂହ। କୁହାଯାଏ, ଭାବନା ଫଳରେ ମଣିଷ ଭାବନାର ଖିଅରେ ରୁନ୍ଧି ହୋଇଯାଏ। ଗୋଟିଏ ଭାବନାରୁ ଆଉ ଗୋଟିଏ ଭାବନା ବାହାରେ। ସେମାନେ ଭଉଁରୀ ଖେଳନ୍ତି, ବିବ୍ରତ କରାନ୍ତି। ଭାବନା ପଛରେ ବଞ୍ଚି ରହିବାର ଆତଙ୍କ ନିହିତ ଥାଏ ବୋଲି ଦାର୍ଶନିକମାନେ ମତ ଦିଅନ୍ତି। ତେବେ ଏ’ ଆତଙ୍କ ଜନ୍ମଗତ।

ଆମେ କଥା କାହିଁକି କହିବା? କଥା ହେଲା ଆମର ଭାବନାକୁ ପ୍ରକାଶ କରିପାରିବାର ଉପାୟ। ଭାବନାକୁ ପ୍ରକାଶ କରିପାରିବାର ଶକ୍ତି ଆମର ଅଛି। ଏ’ ଶକ୍ତି ହେଲା ମାନସିକ, ମସ୍ତିଷ୍କଗତ। ପ୍ରଥମେ ଭାବନାକୁ ବୁଝିବା, ଭାବନାରୁ ଖିଅ କାଢିବା। କେତେ ଖିଅ ଅଛି ତ ଆମେ ଜାଣିନାହୁଁ, କିନ୍ତୁ ମସ୍ତିଷ୍କରେ ଖିଅ କାଢିବାର ଶକ୍ତି ଅଛି। କେତୋଟି ଖିଅ କାଢିବା ତା’ ଆମର ମସ୍ତିଷ୍କର ଶକ୍ତି ଉପରେ ନିର୍ଭର କରେ। ସୁସ୍ଥ ଶରୀର ହୋଇଥିଲେ ଭାବନାକୁ ବୁଝି ପାରିଲା ପର୍ଯ୍ୟନ୍ତ ଖିଅ କଢାଯାଇପାରେ।

“ବୁଝି ପାରିଲା ପର୍ଯ୍ୟନ୍ତ” ହେଲା ଗୋଟିଏ ବୈଜ୍ଞାନିକ ପଦ। ଅର୍ଥ ହେଉଛି ବୁଝି ପାରିବାକୁ ଆମର କିଛି ସମୟର ଆବଶ୍ୟକତା ଅଛି। ଏ’ ସମୟ ମସ୍ତିଷ୍କର ଚଳଣିର ସମୟ, ଗୋଟିଏ ଭାବନାକୁ ବୁଝିବା ପାଇଁ ମସ୍ତିଷ୍କ ଏତିକି ସମୟ ନିଏ। ଏ’ ସମୟ ହେଲା ପ୍ରାୟ ଅଧ ସେକେଣ୍ଡ୍ ବା ଆଉ ଟିକିଏ ବେଶୀ। ତା’ ଭିତରେ ଯେତିକି ଖିଅ ବାହାରି ପାରିଲା। ତା -ଅର୍ଥ ନୁହେଁ ଯେ ଆଉ ସବୁ ଖିଅ ସବୁ ହଜିଗଲେ -କିନ୍ତୁ ସେମାନେ ଲୁଚିଗଲେ, ଆମକୁ ବୁଝା ଦେଲେନାହିଁ। ଆମେ ବୁଝିସାରିଲା ଆଗରୁ ସମୟ ସରିଗଲା,  ମସ୍ତିଷ୍କ ନୂଆକାମ ନେଇ ଆଗେଇଗଲା।

ତେଣୁ ତଥ୍ୟ ହେଲା ସବୁ ଭାବନାକୁ ମସ୍ତିଷ୍କ ବୁଝିପାରେ, କିନ୍ତୁ ଆମକୁ ଜ୍ଞାତ ନ ହୋଇପାରେ। ଆମର ଜ୍ଞାତ ହେବା ଲାଗି ଆମର ମନର ସାହାଯ୍ୟ ଲୋଡା। ମନ ସବୁ କଥା ବୁଝିବାକୁ ପ୍ରସ୍ତୁତ ନଥାଏ। ଯାହା ଆବଶ୍ୟକ ମନେ କରେ, ତା’ ବୁଝେ। ଏହା କାହିଁକି ହୁଏ ବା କିପରି ହୁଏ, ତା’ ଆମକୁ ଅଜଣା। କିନ୍ତୁ ସବୁ କଥା ମସ୍ତିଷ୍କ ଭିତରେ ରହେ। ରୋମନ୍ଥନ କଲାପରି ପରେ ବାହାରିପାରେ, ନୂଆ କଥା ଦିଶିପାରେ।

ମସ୍ତିଷ୍କ ଓ ଶରୀର ଭିତରେ ଦୁଆର ହେଲା ମନ। ମସ୍ତିଷ୍କ ବି ଶରୀରର ଏବଂ ମସ୍ତିଷ୍କ ଶରୀରକୁ ପରିଚାଳନା କରେ। ଆମେ ଶରୀର କହିଲେ ଅଙ୍ଗପ୍ରତ୍ୟଙ୍ଗ ଓ ଅବୟବର ଶରୀର ବୁଝୁ। ତା’ ଭିତରେ ସ୍ନାୟୁ ଶରୀର ଅଛି। ସ୍ନାୟୁ ଶରୀରର ମସ୍ତିଷ୍କ ସହ ଯୋଗାଯୋଗ ଅଛି।   ସ୍ନାୟୁର ସମସ୍ତ ସଙ୍କେତ ଆମ ଅଙ୍ଗରେ ରୂପ ପାଏନାହିଁ, ଅନେକ ସଙ୍କେତ ଆମେ ଜାଣିପାରୁନାହିଁ।

ବୁଝିପାରିବା ଯେମିତି ଗୋଟିଏ ଶକ୍ତି, ଜାଣିପାରିବା ସେମିତି ଆଉ ଗୋଟିଏ ଶକ୍ତି। ଯାହା ଆମେ ବୁଝୁ, ସବୁ ଜାଣୁନାହିଁ। ଜାଣିବା ପାଇଁ ଆମର ବୁଝାମଣାକୁ ଇନ୍ଦ୍ରିୟଗତ ଶକ୍ତିମାନଙ୍କ ସହ ତଉଲିବାକୁ ହୁଏ। ଇନ୍ଦ୍ରିୟମାନେ ବସ୍ତୁକୁ ଚିହ୍ନନ୍ତି – ଯେମିତି ଗଛ, ଲତା, ଫୁଲ, ଗାଈ, ବାଘ ବା ମଣିଷ। ଇନ୍ଦ୍ରିୟମାନେ ରୂପକୁ ଚିହ୍ନନ୍ତି, କାର୍ଯ୍ୟକୁ ଚିହ୍ନନ୍ତି ନାହିଁ। କାର୍ଯ୍ୟ ହେଲେ ପ୍ରେମ, ଦୟା, କରୁଣା, ମମତା, ଭ୍ରାତୃତ୍ଵ ବା ବାତ୍ସଲ୍ୟ ଇତ୍ୟାଦି। ଏମାନଙ୍କର ସଂଜ୍ଞା ନାହିଁ, ଏମାନେ ଖିଅରେ ବୁଝା ହୁଅନ୍ତି। ସବୁ ଖିଅ ଖୋଲେନାହିଁ।

ବସ୍ତୁମାନଙ୍କ ସାଙ୍ଗରେ ଏହି ଖିଅମାନଙ୍କର ସଂପର୍କ ଅଛି। ଏମାନେ ବସ୍ତୁକୁ ଚଳମାନ କରନ୍ତି, ବସ୍ତୁରେ ଭାବ ଆଣନ୍ତି। ଆମେ ଆଗରୁ ଭାବ କଥା ଆଲୋଚନା କରି ଥାଇଁ। ଆମେ ବସ୍ତୁକୁ ଭାବ ସହ ମସ୍ତିଷ୍କରେ ଯୋଡୁ, ତା’ ଫଳରେ ସେହି ସଂଜ୍ଞା ଭାବଯୁକ୍ତ ରୂପ ନିଏ। ଏହି ଭାବଯୁକ୍ତ ରୂପକୁ ଆମେ କଥାରେ ପ୍ରକାଶ କରୁ।

କଥା ହେଲା ବସ୍ତୁ ଓ ଭାବର ମିଶ୍ରଣ। ବସ୍ତୁର ଭାବ ନଥାଏ। ଗୋଟିଏ ବସ୍ତୁର ଅନ୍ୟ ବସ୍ତୁ ସହ ସଂପର୍କରେ ଭାବ ଉତ୍ପନ୍ନ ହୁଏ। ଏହି ସଂପର୍କକୁ ବ୍ୟାକରଣରେ କ୍ରିୟା କୁହାଯାଏ। ବସ୍ତୁ ନିଜେ ନିର୍ଜୀବ, ଆଉ ଗୋଟିଏ ବସ୍ତୁ ସଂପର୍କରେ ଆସି ସେ’ ଭାବ ସୃଷ୍ଟିକରେ। ଭାବ ଅସଂଖ୍ୟ ହୋଇପାରେ, ତାକୁ ଆମେ ଚଉଷଠିଟି ଅକ୍ଷରରେ ପ୍ରକାଶ କରିଥାଉ। ଭାବକୁ ଅକ୍ଷରରେ ପ୍ରକାଶ କରିବା ହେଲା ବାକ୍ୟର ଗଠନ।

(କ୍ରମଶଃ)

LEAVE A REPLY

Please enter your comment!
Please enter your name here