ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା। ଜୁନ୍ ୧୪ ତାରିଖରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ।

ବିଶ୍ୱ ରକ୍ତଦାତା ଦିବସ ୨୦୨୧ର ବାର୍ତ୍ତା ହେଉଛି ‘ରକ୍ତ ଦିଅନ୍ତୁ ଓ ବିଶ୍ୱର ସ୍ପନ୍ଦନ ଚଳାଇ ରଖନ୍ତୁ’ – ଗିଭ୍ ବ୍ଲଡ୍ ଏଣ୍ଡ କିପ୍ ଦ ୱାର୍ଲଡ୍ ବିଟିଙ୍ଗ।ବିଶ୍ୱରେ ଆବଶ୍ୟକତା ତୁଳନାରେ ଉପଲବ୍ଧ ହେଉଥିବା ରକ୍ତର ପରିମାଣ ଯଥେଷ୍ଟ କମ୍‌। ଏହି କାରଣରୁ ଅନେକ ଲୋକଙ୍କ ଅକାଳରେ ମୃତ୍ୟୁ ହେଉଛି। ହେଲେ, ଯଦି ଲୋକମାନେ ସ୍ୱଇଚ୍ଛାରେ ରକ୍ତ ଦାନ କରିବାକୁ ଆଗେଇ ଆସନ୍ତି ତାହାହେଲେ ଅନେକ ଅମୂଲ୍ୟ ଜୀବନ ବଞ୍ଚେଇବା ସମ୍ଭବ ହୋଇପାରିବ। ସଚେତନତା ଅଭାବରୁ ଅଧିକାଂଶ ଲୋକ ରକ୍ତଦାନ କରିବାଠାରୁ ଦୂରେଇ ରୁହନ୍ତି। ରକ୍ତଦାନ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ସହିତ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ସର୍ବ ପ୍ରଥମେ ୨୦୦୪ରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଥିଲା।

ବିଶେଷଜ୍ଞଙ୍କ ମତରେ ଯଦି ଭାରତର ମୋଟ୍ ଜନସଂଖ୍ୟାର କେବଳ ଏକ ପ୍ରତିଶତ ଲୋକ ରକ୍ତଦାନ କରନ୍ତି, ତାହେଲେ ମଧ୍ୟ ଭାରତରେ ରକ୍ତର ଅଭାବ ଦେଖାଯିବ ନାହିଁ। ଆସନ୍ତୁ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜାଣିବା ଯେ ‘ଆମେ କାହିଁକି ରକ୍ତଦାନ କରିବା ଉଚିତ’।

  • ପ୍ରତି ଦୁଇ ସେକେଣ୍ଡରେ ଜଣଙ୍କୁ ରକ୍ତ ଦେବା ଆବଶ୍ୟକ ହୋଇଥାଏ।
  • ସିକିଲ୍‌ସେଲ୍‌, ଥାଲେସେମିଆ, ହେମୋଫିଲିଆ ଆଦି ରୋଗୀମାନଙ୍କ ଜୀବନ ବଞ୍ଚେଇବା ପାଇଁ ନିୟମିତ ବ୍ୟବଧାନରେ ରକ୍ତ ଦେବାକୁ ହୋଇଥାଏ।
  • ସଡ଼କ ଦୁର୍ଘଟଣାରେ ଗମ୍ଭୀର ଭାବେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୧୦୦ ୟୁନିଟ ରକ୍ତ ଦେବା ଆବଶ୍ୟକ ହୋଇଥାଏ।
  • ପ୍ରତିବର୍ଷ ପ୍ରାୟ ୧୦ଲକ୍ଷ ଲୋକ କ୍ୟାନସର୍‌ରେ ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କ ପାଇଁ ମଧ୍ୟ ରକ୍ତ ଆବଶ୍ୟକ।
  • ଏସବୁ ବ୍ୟତୀତ ପ୍ରତିଦିନ ସଡ଼କ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟରେ ଗମ୍ଭୀର ଭାବେ ଆହତ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ରକ୍ତ ଆବଶ୍ୟକ ପଡୁଛି।
  • ଭାରତରେ ପ୍ରସବକାଳୀନ ଜଟିଳତା ହାର ଅଧିକ ହୋଇଥିବାରୁ ଏଥିପାଇଁ ମଧ୍ୟ
  • ବହୁପରିମାଣରେ ରକ୍ତ ଆବଶ୍ୟକ ହୋଇଥାଏ। ସେହିପରି ନବଜାତ ଶିଶୁଙ୍କ ଜୀବନ
  • ବଞ୍ଚାଇବା ପାଇଁ ରକ୍ତ ଆବଶ୍ୟକ ହୋଇଥାଏ।
  • O ନେଗେଟିଭ୍ ରକ୍ତ ସମସ୍ତ ଗ୍ରୁପ୍‌ର ରୋଗୀମାନଙ୍କୁ ଚଢାଯାଇ ପାରିବ। ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ, ରୋଗୀର ରକ୍ତ ଗ୍ରୁପ୍ ନିର୍ଦ୍ଧାରଣ ହୋଇ ନପାରିଲେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ O ନେଗେଟିଭ୍ ରକ୍ତ ଚଢାଯାଏ। ଏଣୁ ଏହାର ଚାହିଦା ସବୁବେଳେ ଅଧିକ। ହେଲେ, O ନେଗେଟିଭ୍ ଗ୍ରୁପ୍ ରକ୍ତର ଅଭାବ ରହିଛି।
  • ଏସବୁ ବାଦ୍ ରକ୍ତଦାନ ଦ୍ୱାରା ହୃଦୟ ସ୍ୱାସ୍ଥ୍ୟ, ଲିଭର୍ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ। ମନୁଷ୍ୟ ଚାପମୁକ୍ତ ହୋଇଥାଏ।
  • ରକ୍ତର କୌଣସି ବିକଳ୍ପ ନାହିଁ। ମନୁଷ୍ୟ ଶରୀର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରକ୍ତ ପ୍ରସ୍ତୁତ କରାଯାଇ ପାରିବନାହିଁ। ଏଣୁ ଜଣଙ୍କ ଠାରେ ଦେଖାଦେଉଥିବା ରକ୍ତାଭାବ କେବଳ ଅନ୍ୟ ଜଣଙ୍କ ରକ୍ତ ଦ୍ୱାରା ହିଁ ପୂରଣ କରାଯାଇ ପାରିବ।

Comment