ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନରେ ଥିବା ଭାରତୀୟ ଦୂତାବାସ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ ଓ ବାହାରିନ ଓଡ଼ିଆ ସମାଜର ମିଳିତ ଆନୁକୂଲ୍ୟରେ ସୋମବାର ଦିନ ବାହାରିନରେ ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଛି। କରୋନା ପାଇଁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଦିବସ ପାଳିତ ହୋଇଛି।

ଏହି ଅବସରରେ ଭାରତୀୟ ଦୂତବାସ ପକ୍ଷରୁ ଏକ ଅନ୍‌ଲାଇନ୍ ଯୋଗ କ୍ୟାମ୍ପ୍‌ର ଆୟୋଜନ କରାଯାଇଥିଲା। ଏଥିରେ ବାହାରିନରେ ବାସ କରୁଥିବା ଭାରତୀୟମାନେ ସାମିଲ ହୋଇଥିଲେ। ସେହିପରି ବାହାରିନରେ ବାସ କରୁଥିବା ମୁସଲମାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଅନ୍‌ଲାଇନ୍ କ୍ୟାମ୍ପ୍‌ରେ ଯୋଡ଼ି ହୋଇ ଯୋଗର ଉପକାରିତା ବୁଝିବା ସହ ପ୍ରତିଦିନ ଯୋଗ ଅଭ୍ୟାସ କରିବାକୁ ପଣ କରିଥିଲେ।ଭାରତର ରାଷ୍ଟ୍ରଦୂତ ପିୟୂଷ ଶ୍ରୀବାସ୍ତବ, ଏହି କ୍ୟାମ୍ପ୍‌ରେ ଚଳିତ ଯୋଗ ଦିବସର ବିଷୟବସ୍ତୁ ସୁସ୍ଥ ଜୀବନଯାପନ ପାଇଁ ଯୋଗର ଆବଶ୍ୟକତା ଓ ସ୍ଵଗୃହରୁ ଯୋଗାଭ୍ୟାସ କରାଯିବାର ବାର୍ତ୍ତା ଉପରେ ଆଲୋକପାତ କରିଥିଲେ। ବିଶେଷ କରି ବର୍ତ୍ତମାନର କରୋନା ମହାମାରୀ ଜନିତ ସଙ୍କଟ କାଳରେ ଯୋଗ ଦ୍ଵାରା କିଭଳି ବିମର୍ଷ ଭାବକୁ ଦୂର କରାଯାଇ ମନରେ ସାକାରାତ୍ମକ ଚିନ୍ତାଧାରା ଅନୁପ୍ରବେଶ କରାଯାଇପାରିବ, ସେ ସମ୍ପର୍କରେ ସେ କହିଥିଲେ।ବାହାରିନ ଓଡ଼ିଆ ସମାଜ ତରଫରୁ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦର ଉପ ସଭାପତି ଭାବେ ପ୍ରତିନିଧିତ୍ଵ କରି କହିଥିଲେ ଯେ, କୋଭିଡ୍ ୧୯ ମହାମାରୀ ମାନବଜାତି ପାଇଁ ଏକ ବଡ଼ ବିପଦ। କିନ୍ତୁ ଏଥିରୁ ଆମେ ଶିଖିବାକୁ ପାଇଲୁ ଯେ ଆମକୁ ଆମ ଶରୀରକୁ ସବୁବେଳେ ସୁସ୍ଥ ରଖିବା ଆବଶ୍ୟକ। ଏଥିପାଇଁ ଆମେ ପୁଷ୍ଟିକର ଖାଦ୍ୟ ସହିତ ନିୟମିତ ଯୋଗ ଅଭ୍ୟାସ କରିବା ନିହାତି ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ବାହାରିନ ଓଡ଼ିଆ ସମାଜର ସୁନିତା ପ୍ରହରାଜ, ସୁବାସ ସାହୁ, ଜ୍ୟୋତି ଶର୍ମା, ସତ୍ୟକ ସାହୁ, ଅମୀୟ ସ୍ୱାଇଁ, ରମେଶ ପାଣିଗ୍ରାହୀ, ଅରୁଣୀତା ପ୍ରହରାଜ, ସ୍ନେହା ପାଣିଗ୍ରାହୀ, ଅନୁଷ୍କା, ନୃସିଂହ ଚରଣ ନାୟକ, ତନିମା ଧଳ, ପପିରାଣୀ, ସୁଧେନ୍ଦୁ ଦାସ, ପ୍ରିୟା ମହାନ୍ତି, ଶ୍ରେୟା ଦାସ, ପ୍ରେମ କୁମାର, ହିମାଂଶୁ, ଦେବାଶିଷ, ଭବ୍ୟା, ତୋଷୀ, ପ୍ରଣୟ ରାଉତ, ପିତାମ୍ବର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Comment